ଜର ନ ହେଲେବି ହୋଇପାରେ କରୋନା: ସାମାନ୍ୟ କାଶ, ପତଳା ଝାଡା ଓ ଧଇଁସଇଁ ଲାଗିଲେ ପରୀକ୍ଷା କରାଇନେବାକୁ ଡାକ୍ତରଙ୍କ ପରାମର୍ଶ

ଭୁବନେଶ୍ବର: ଶରୀରରେ ଜର ନଥିଲେ ବି ହୋଇପାରେ କରୋନା । ଅର୍ଥାତ୍ ଆପଣଙ୍କୁ ଜର ନଥିବ ତେବେ ବି ଆପଣଙ୍କଠାରେ କରୋନା ଭୂତାଣୁ ଥାଇପାରେ । ବରିଷ୍ଠ ମେଡିସିନ୍ ସ୍ପେଶାଲିଷ୍ଟ (ଭେଷଜ ବିଶେଷଜ୍ଞ )ଡାକ୍ତର ନିରୋଜ ମିଶ୍ର ଏପରି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଧଇଁସଇଁ ଲାଗିଲେ, ସାମାନ୍ୟ କାଶ ହେଲେ ଓ ପତଳା ଝାଡା ହେଲେ ପରୀକ୍ଷା କରାଇନେବା ଆବଶ୍ୟକ ।

ବର୍ତ୍ତମାନ କରୋନାର ଯେଉଁ ଲକ୍ଷଣ ଦେଖିବାକୁ ମିଳୁଛି ସେଥିରେରୋଗୀକୁ ଜର ଆସୁନାହିଁ, କିନ୍ତୁ ଏଭଳି ଲକ୍ଷଣ ଦେଖାଦେଉଛି । ତେଣୁ ଧଇଁସଇଁ ଲାଗିଲେ ଏବଂ ପତଳା ଝାଡା ହେଲେ ପରୀକ୍ଷା କରାଇ ନେବା ସହ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷରେ ବିଶେଷଜ୍ଞଙ୍କ ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ଶୀର୍ଷ ଅତିକ୍ରମ କରିସାରିଲାଣି କରୋନା । ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ଚାରି ଦିନ ହେଲାଣି ରାଜଧାନୀରେ ପଜିଟିଭ୍ ସଂଖ୍ୟା କମ୍ ରହୁଛି । ତେଣୁ ଆମେ କହିପାରିବା ଭୁବନେଶ୍ୱର ବର୍ତମାନ ପ୍ଲାଟୁ ଷ୍ଟେଜରେ ରହିବ । ଅର୍ଥାତ୍ ମାମଲା ଗୁଡିକ ବେଶି ନ କମିଲେ ବି ଆଖିଦୃଶିଆ ଭାବେ ବଢିବ ନାହିଁ । ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ରାଜ୍ୟରେ କରୋନା ମାମଲା ଧିରେ ଧିରେ କମିବ ଏବଂ ନଭେମ୍ବର ୧୭ ସୁଦ୍ଧା ମାମଲା କମିବ ବୋଲି ଅଧ୍ୟୟନରୁ ଜଣାପଡିଛି । ତେବେ ଆଗାମୀ ଦୁଇ ମାସ ଆମକୁ ସତର୍କ ରହିବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର