ଶ୍ରୀମନ୍ଦିର ବଜେଟ୍‌ରେ ନୂଆ ବ୍ୟବସ୍ଥା : ଭକ୍ତଙ୍କୁ ମିଳିବ ମାଗଣା ପ୍ରସାଦ

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କୁ ଏଥର ମିଳିବ ମାଗଣା ପ୍ରସାଦ। ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଦ୍ଵିତୀୟ ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଥିଲାଗି ଚଳିତ ବାର୍ଷିକ ବଜେଟ୍‌ରେ ଦେଢ଼ କୋଟିର ବ୍ୟୟବରାଦ କରାଯାଇଛି। ଏଥିସହ ବଜେଟ୍‌ରେ ଶ୍ରୀମନ୍ଦିର ଗୁରୁକୁଳ ଓ ସେବାୟତଙ୍କ ବାସଗୃହ ଖର୍ଚ୍ଚକୁ ବୃଦ୍ଧି କରି ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଅଧଘଣ୍ଟାର ସ୍ୱତନ୍ତ୍ର ଦର୍ଶନ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗତ ୨୦ ତାରିଖରେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜିର ବୈଠକରେ ୧୬୯. ୫୦ କୋଟି ଟଙ୍କାର ବଜେଟ୍‌ ସ୍ଥିରୀକୃତ ହୋଇଛି। ପ୍ରତିବର୍ଷ ବାଧ୍ୟତାମୂଳକ ନିୟମିତ ଅଡିଟ୍‌ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ମାସିକ ଆୟର ରିପୋର୍ଟ ବି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଷ୍ଟାଣ୍ଡାର୍ଡ଼ ଆକାଉଣ୍ଟିଂ ପ୍ରୋସିଡ୍ୟିୟୋର ତଥା ମର୍ଚାଣ୍ଟାଇଜ୍‌ ଆକାଉଣ୍ଟିଂ ସିଷ୍ଟମ୍‌ ପ୍ରୟୋଗ ପାଇଁ ନିଷ୍ପତ୍ତି ନିଆଯାଇଛି। ଯଦ୍ଵାରା ଯେ କୌଣସି ସଫ୍‌ଟୱେୟାର ଜରିଆରେ ସବୁର ହିସାବନିକାଶ ରଖିହେବ। ସେବକମାନଙ୍କ ହାଉସିଂ ପାଇଁ ୫ କୋଟି, ଶ୍ରୀମନ୍ଦିର ଗୁରୁକୁଳ ପାଇଁ ୫ କୋଟି ଓ ଭକ୍ତ ନିବାସ ୧୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପ୍ରଥମ ଥର ପାଇଁ ଚଳିତ ଥର ଶ୍ରୀଜଗନ୍ନାଥ ଧର୍ମସଂସ୍କତିର ଗବେଷଣା, ପ୍ରଚାରପ୍ରସାର ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କା ରଖାଯାଇଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମୁଖ୍ୟତଃ ପ୍ରସାଦ ପାଇବାକୁ ଆଶା ରଖି ଆସିଥାନ୍ତି। ପୂର୍ବରୁ ଏଥିପାଇଁ ଦୁଇ ଆଟିକା ଭକ୍ତଙ୍କ ପାଇଁ ରଖାଯାଉଥିଲା। ଯଦ୍ଵାରା ଅନେକ ଭକ୍ତ ପ୍ରସାଦ ପାଇବାରୁ ବଞ୍ଚିତ ହେଉଥିଲେ। ଏହାକୁ ବିଚାରକୁ ନେଇ ସମସ୍ତ ଭକ୍ତ କିପରି ପ୍ରସାଦ ପାଇପାରିବେ ସେ ଉପରେ ଦୃଷ୍ଟି ଦିଆଯାଇଛି। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଉପରେ ଏଥର ଗୁରୁତ୍ଵ ଦିଆଯାଇଛି। ଏଥିସହ ଚାରିଦ୍ଵାର ପାଇଁ ଚାରୋଟି ସ୍କାନର ଲଗାଯିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର