ବରଗଡ଼: ମହାନଦୀକୁ ‌ନେଇ ଛତିଶଗଡ଼ ଏକତରଫା ଖେଳୁଛି। ଏହି ନଦୀର ସୁରକ୍ଷା ଦିଗରେ ଧ୍ୟାନ ଦେବା ବଦଳରେ ଛତିଶଗଡ଼ ପ୍ରଦୂଷଣ ବଢ଼ାଇ ଚାଲିଛି। କଠିନ, ଶିଳ୍ପ ବର୍ଜ୍ୟରେ ମହାନଦୀ ପୋତି ହେଉଛି। ତେବେ, ଛତିଶଗଡ଼ର କାରସାଦି ଏତିକିରେ ସୀମିତ ରହିନାହିଁ। ମହାନଦୀର ଉପନଦୀ ମଧ୍ୟ କ୍ରମଶଃ ଶିଳ୍ପ ବର୍ଜ୍ୟରେ ପ୍ରଦୂଷିତ ହେଉଛି। ଏକ ସର୍ଭେ ରିପୋର୍ଟ ଅନୁସାରେ, ଛତିଶଗଡ଼ ମହାନଦୀରେ ଦୈନିକ ୩ ହଜାର କିଲୋଲିଟର୍‌ କେବଳ ଶିଳ୍ପ ବର୍ଜ୍ୟ ଛାଡ଼ୁଛି। ଅନ୍ୟ ବର୍ଜ୍ୟକୁ ଆକଳନ କଲେ ଏହା ଦୁଇଗୁଣା ହେବ। ସେହିପରି ମହାନଦୀ ଅବବାହିକାରେ କୋଇଲା ଖଣି ଆହୁରି ଚିନ୍ତା ବଢ଼ାଇଛି। ଦେଶର ୧୪ ପ୍ରତିଶତ କୋଇଲା ଛତିଶଗଡ଼ରୁ ମିଳିଥାଏ। କୋଇଲା ଗୁଣ୍ଡରେ ମାରାତ୍ମକ କ୍ୟାନ୍‌ସର ସୃ‌ଷ୍ଟିକାରୀ ‘କାର୍‌ସିନୋଜେନିକ୍‌’ ଧାତବ ପଦାର୍ଥ ମହାନଦୀର ପ୍ରଦୂଷଣ ବଢ଼ାଉଛି। ଛତିଶଗଡ଼ରେ ଥିବା ମହାନଦୀର ଉପନଦୀ ସିଓନାଥ, ହାଁସଦେଓ ଏବଂ ମଣ୍ଡ ନଦୀର ଜଳ ନମୁନା ବିଶେଷଜ୍ଞମାନଙ୍କୁ ଚମକାଇ ଦେଇଛି।
ଏସବୁ ଉପନଦୀରେ ପାଣିରେ କୋଇଲା ଗୁଣ୍ଡର ପରିମାଣ ମାତ୍ରାଧିକ ରହିଛି। ସମୁଦାୟ ମହାନଦୀ ଅବବାହିକା ୧,୪୧,୫୮୯ ବର୍ଗ କିଲୋମିଟର ରହିଛି। ଏଥିରୁ ଛତିଶଗଡ଼ର ଅ˚ଶ ୭୪,୯୯୭ ବର୍ଗ କିମି ଏବ˚ ଓଡ଼ିଶାର ଅ˚ଶ ରହିଛି ୬୫୫୮୦ ବର୍ଗ କିମି। ଛତିଶଗଡ଼ ପଟେ କେବଳ ମହାନଦୀ ଅବବାହିକାରେ ୨ହଜାରରୁ ଅଧିକ ରାଇସ୍ ମିଲ୍‌ ରହିଛି। ଏସବୁ ରାଇସ୍‌ ମିଲ୍‌ରୁ ଦୈନିକ ୫ହଜାର କିଲୋଲିଟର୍‌ ବର୍ଜ୍ୟବସ୍ତୁ ମହାନଦୀରେ ସିଧାସଳଖ ପଡ଼ୁଛି। ସେହିପରି, ଉପନଦୀଗୁଡ଼ିକର ଅବବାହିକାରେ ୬ଶହରୁ ଅଧିକ ରାଇସ୍‌ ମିଲ୍‌ ରହିଛି।

Advertisment

ପ୍ରମୁଖ ତିନିଟି ଶାଖା ନଦୀରେ ୨ହଜାର କିଲୋଲିଟର୍‌ ବର୍ଜ୍ୟବସ୍ତୁ (ଉଭୟ କଠିନ ଓ ତରଳ) ମହାନଦୀରେ ବିନା କିଛି ପ୍ରକ୍ରିୟାକରଣରେ ସିଧା ମିଶୁଛି। ବର୍ଜ୍ୟ ବସ୍ତୁଯୁକ୍ତ ମାଟିର ଅବକ୍ଷୟ ବି ବଢ଼ୁଛି। ଯଦ୍ବାରା ମହାନଦୀ ବିଷାକ୍ତ ହେବା ପ୍ରକ୍ରିୟା ନିରନ୍ତର ଚାଲିଛି। ଅବକ୍ଷୟ ରୋକିବାକୁ ଛତିଶଗଡ଼ ପାଖରେ କିଛି ଠୋସ୍‌ ଯୋଜନା ବି ନାହିଁ। ୨୦୦୧ ମସିହାରେ ମହାନଦୀ ଅବବାହିକାରେ ପର୍ଯ୍ୟାପ୍ତ ବନୀକରଣ ପାଇଁ ଛତିଶଗଡ଼କୁ କାମ୍ପା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୨୦୦୯-୧୦ରେ ୧୧୯.୨୭ କୋଟି, ୨୦୧୦-୧୧ରେ ୨୩୪.୨୯ କୋଟି ଏବ˚ ୨୦୧୧-୧୨ରେ ୨୩୯.୯୧ କୋଟି ଟଙ୍କା ଛତିଶଗଡ଼ କେବଳ ବନୀକରଣ ପାଇଁ କାମ୍ପା ଅନୁଦାନ ହାତେଇ ଥିଲା। କିନ୍ତୁ ଏହି ତିନିବର୍ଷରେ ମାତ୍ର ୬୭ ପ୍ରତିଶତ ଅନୁଦାନର ବିନିଯୋଗ ହୋଇଥିଲା। ୨୦୧୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଛତିଶଗଡ଼ ୨୩୦୦ କୋଟି ଟଙ୍କାର ଅନୁଦାନ ପାଇଥିଲା। ଏଥିରେ ମହାନଦୀର ତିନି ପ୍ରମୁଖ ଉପନଦୀରେ ବନୀକରଣ ଯୋଜନା ରହିଥିଲା। କିନ୍ତୁ ବନୀକରଣ ପ୍ରକ୍ରିୟା ସନ୍ତୋଷଜନକ ନୁହେଁ। ତେଣୁ ଉପନଦୀ ବି ଅବକ୍ଷୟ ହୋଇ ମହାନଦୀକୁ ପୋତିବା ସହ ଶିଳ୍ପବର୍ଜ୍ୟରେ ବିଷାକ୍ତ କରୁଛନ୍ତି।