କଟକ: ଏସ୍‌ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲ ଓପିଡିକୁ ଆସୁଥିବା ରୋଗୀଙ୍କୁ ଏଣିକି ଆଉ ରକ୍ତ ପରୀକ୍ଷା ପାଇଁ ଅଥବା ରକ୍ତ ପରୀକ୍ଷା ରିପୋର୍ଟ ପାଇବାକୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଆଜିଠାରୁ ଓପିଡିରୁ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବ୍ୟବସ୍ଥାରେ ଓପିଡିକୁ ଆସୁଥିବା ରୋଗୀମାନଙ୍କୁ ରକ୍ତ ନମୁନା ପରୀକ୍ଷା ପାଇଁ ଆଉ ନିଦାନ କେନ୍ଦ୍ରକୁ ଯିବାକୁ ପଡିବନି। ଡାକ୍ତରଙ୍କ ପରାମର୍ଶ ନେବା ପରେ ଡାକ୍ତରଙ୍କ ଚିଠା ଅନୁସାରେ ସେହିଠାରେ ହିଁ ରୋଗୀଙ୍କର ରକ୍ତ ନମୁନା ସଂଗ୍ରହ କରାଯିବ ଓ ସେହି ସ୍ଥାନରେ ପରୀକ୍ଷା ରିପୋର୍ଟ ରୋଗୀଙ୍କୁ ପ୍ରଦାନ କରାଯିବ। ଆଜିଠାରୁ ପରୀକ୍ଷାମୂଳକଭାବେ ଏସ୍‌ସିବିର ସବୁଠାରୁ ବ୍ୟସ୍ତବହୁଳ ବିଭାଗ ମେଡିସିନ୍‌ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଓପିଡି ରୋଗୀଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ପ୍ରଥମ ଦିନରେ ୫୦୦ଜଣ ରୋଗୀଙ୍କ ରକ୍ତର ବିଭିନ୍ନ ପରୀକ୍ଷା ଓ ସେମାନଙ୍କ ରିପୋର୍ଟ ସେହି ସ୍ଥାନରେ ପ୍ରଦାନ କରାଯାଇଛି। ପୂର୍ବରୁ ଏସସିବିର ୱାର୍ଡରୁ ରୋଗୀଙ୍କ ରକ୍ତନମୁନା ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଆଜିଠାରୁ ଓପିଡିରେ ଏହି ବ୍ୟବସ୍ଥା ଆରମ୍ଭ ହେବା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

Advertisment

ପୂର୍ବରୁ ଏସ୍‌ସିବି ଓପିଡିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଡାକ୍ତରଙ୍କ ଚିଠା ପାଇବା ପରେ ରକ୍ତ ନମୁନା ପରୀକ୍ଷା ପାଇଁ ରାଣୀହାଟ ମୁଖ୍ୟ ଗେଟ ପାଖ ନମୁନା ସଂଗ୍ରହ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡା ହେଉଥିଲେ। ରିପୋର୍ଟ ଆଣିବା ପାଇଁ ବି ଏଭଳି ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁଥିଲା। ଏ ସମସ୍ୟାର ସମାଧାନ ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ଆଜିଠାରୁ ମେଡିସିନ୍ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଏହି ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏ ପ୍ରକାର ବ୍ୟବସ୍ଥା ଏହି ଦୁଇ ବିଭାଗରେ ସଫଳତାର ସହ କ‌ାର୍ଯ୍ୟକାରୀ ହେବା ପରେ ଆଗକୁ ପର୍ଯ୍ୟାୟକ୍ରମେ ଅନ୍ୟ ବିଭାଗର ଓପିଡିରେ ମଧ୍ୟ ଏହାକୁ ଲାଗୁ କରାଯିବ ବୋଲି ଦାୟିତ୍ବରେ ଥିବା ଏସସିବିର ଅଧୀକ୍ଷକ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ ଓ କୁଳସଚିବ ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି।