ଘରେ ବସି ଦେଖନ୍ତୁ ନିଜ ଅଞ୍ଚଳର କ୍ଵାରେଣ୍ଟିନ ସେଣ୍ଟରର ଭିତିରି ଦୃଶ୍ୟ ଓ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆରମ୍ଭ ହେଲା ଜିଆଇଏସ ମ୍ୟାପିଂ ସିଷ୍ଟମ

ଭୁବନେଶ୍ୱର: ସମଗ୍ର ରାଜ୍ୟରେ କରୋନାକୁ ମୁକାବିଲା କରିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟ ଅଣ୍ଟା ଭିଡିଛି | କୋଭିଡ ପଞ୍ଜିକରଣ ହେଉ ବା କ୍ଵାରେଣ୍ଟିନ ସେଣ୍ଟର ବାବଦରେ ତଥ୍ୟ ଜାଣିବାକୁ ହେଉ ଏହି ବିଭାଗ କିଭଳି କାର୍ଯ୍ୟ କରୁଛି ସେ ବାବଦରେ ଆଜି ବିସ୍ତୃତ ତଥ୍ୟ ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର | ତେବେ ରାଜ୍ୟ ସରକାର ଏବେ ଜିଆଇଏସ ମ୍ୟାପିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି | ଜିଆଇଏସ ଅର୍ଥାତ ଭୌଗୋଳିକ ସୂଚନା ପ୍ରକ୍ରିୟା ବାବଦରେ ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଥିବା କ୍ଵାରେଣ୍ଟିନ ସେଣ୍ଟର ଓ କୋଭିଡ ହସ୍ପିଟାଲ ବାବଦରେ ଏକ ମ୍ୟାପିଂ କରାଯାଇଛି | ଅକ୍ଷାଂଶ ଓ ଦ୍ରାଘିମାକୁ ଆଧାର କରି ରାଜ୍ୟ ସରକାର ଏହି ନୂଆ ବ୍ୟବସ୍ଥାକୁ ପ୍ରସ୍ତୁତ କରିଛନ୍ତି |

ଓଡିଶା ସ୍ପେସ ଆପ୍ଲିକେସନ ସେଣ୍ଟର ବା ଓସକାକ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ଏହି ପ୍ରଣାଳୀ ଦ୍ୱାରା ପ୍ରଥମେ ଅସ୍ଥାୟୀ ମେଡିକାଲ ସେଣ୍ଟରକୁ ମ୍ୟାପିଂ କରାଯାଇଛି | ଆସନ୍ତାକାଲିଠାରୁ ସ୍ୱାସ୍ଥ୍ୟ ବିଭାଗରେ ଏହି ମ୍ୟାପିଂକୁ ସମସ୍ତେ ଦେଖିପାରିବେ ବୋଲି ସେ ସୂଚନା ଦେଇଛନ୍ତି | ଏହି ଜିଆଇଏସ ମ୍ୟାପିଂ ବ୍ୟବସ୍ଥା ଅନୁଯାୟୀ ପ୍ରତି ଜିଲ୍ଲାରେ କେତୋଟି ଟିଏମସି(ଅସ୍ଥାୟୀ ମେଡିକାଲ ସେଣ୍ଟର) କରାଯାଇଛି ତାହା ପ୍ରଦର୍ଶିତ ହେବ | ପ୍ରତି ଅସ୍ଥାୟୀ ମେଡିକାଲ ସେଣ୍ଟର ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଜଣେ ପାଇପାରିବ |

ଅସ୍ଥାୟୀ ମେଡିକାଲ ସେଣ୍ଟରରେ କେତେ ସଂଖ୍ୟାରେ ବେଡ଼ ବ୍ୟବସ୍ଥା ହୋଇଛି, ନୋଡାଲ ଅଧିକାରୀ ଙ୍କ ନାମ ସହ ତାଙ୍କ ମୋବାଇଲ ନମ୍ବର ମଧ୍ୟ ଉପଲବ୍ଧ ଅଛି | ଏହା ସହ ସେହି ସେଣ୍ଟରରେ କିଭଳି ବ୍ୟବସ୍ଥା ଅଛି ତାହାର ଫଟୋ ମଧ୍ୟ ଆପଣ ଦେଖିପାରିବେ | ଯିଏ ବି ଓଡ଼ିଶା ବାହାରୁ ଆସୁଛନ୍ତି ସେମାନେ ଚାହିଁଲେ ନିଜ ଗାଁ ପାଖରେ କେଉଁଠାରେ କ୍ଵାରେଣ୍ଟିନ ସେଣ୍ଟର ଅଛି ସେ ବାବଦରେ ଜାଣିପାରିବେ | ସେହିପରି କେବଳ ଅସ୍ଥାୟୀ ମେଡିକାଲ ସେଣ୍ଟର ନୁହେଁ, ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ ବାବଦରେ ମଧ୍ୟ ଆପଣ ସମସ୍ତ ତଥ୍ୟ ଜାଣିପାରିବେ ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର କହିଛନ୍ତି |

ସମ୍ବନ୍ଧିତ ଖବର