ବିଳମ୍ବରେ ଚେତିଲେ ସରକା‌ର : ଭୁବନେଶ୍ବରରେ ଖୋଲିବ ୪ ଅସ୍ଥାୟୀ ଆର୍‌ଟିଓ କ୍ୟାମ୍ପ୍

ଆର୍‌ଟିଓ କାର୍ଯ୍ୟାଳୟରେ ଅଧିକ କାଉଣ୍ଟର ଖୋଲିବ, ଛୁଟି ଦିନରେ ବି ଆର୍‌ଟିଓ କାର୍ଯ୍ୟାଳୟ ଖୋଲାରହିବ

ଭୁବନେଶ୍ବର : ଆର୍‌ଟିଓ ଅଫିସରେ ଭିଡ଼ କମାଇବାକୁ ସରକାର ବିକଳ୍ପ ବ୍ୟବସ୍ଥା କରିଛନ୍ତି। ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ ପାଇଁ ଭୁବନେଶ୍ବରରେ ଅସ୍ଥାୟୀ ଭାବେ ୪ଟି କ୍ୟାମ୍ପ୍ ଖୋଲାଯିବ। ଆଜି ଏ ନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ସଚିବ ଜି.ଶ୍ରୀନିବାସ। ଏହା ସହ ଖୋର୍ଦ୍ଧା ସହରରେ ବି ଗୋଟିଏ ଅସ୍ଥାୟୀ କ୍ୟାମ୍ପ୍ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ଛୁଟିଦିନରେ ବି ଆର୍‌ଟିଓ କାର୍ଯ୍ୟାଳୟ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଆଞ୍ଚଳିକ ପରିବହନ ଅଫିସରେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ ପାଇଁ ଲୋକଙ୍କୁ ଅହେତୁକ ଭିଡ଼ ଜମୁଛି। ଭିତ୍ତିଭୂମି ପ୍ରସ୍ତୁତି ହୋଇନଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସରକାର ଚେତିଛନ୍ତି। ରାଜଧାନୀରେ ଥିବା ଦୁଇଟି ଆର୍‌ଟିଓ ଅଫିସର ଭିଡ଼ କମାଇବାକୁ ସହିଦନଗର, ଚନ୍ଦ୍ରଶେଖରପୁର, ବିଏମ୍‌ସି ଅଫିସ ଓ ଶିରିପୁରରେ ଖୋଲିବ ଅସ୍ଥାୟୀ କ୍ୟାମ୍ପ୍‌ ଅଫିସ। ପରିବହନ ସଚିବ କହିଥିଲେ ଯଦି ଅନ୍ୟ ଜିଲ୍ଲାର ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ଼ ବୃଦ୍ଧି ପାଇଲେ ସେଠାରେ ବି ଅସ୍ଥାୟୀ କ୍ୟାମ୍ପ୍ ଅଫିସ ଖୋଲାଯିବ।

ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହେବା ପରେ ଗାଡ଼ିର କାଗଜପତ୍ର ଠିକ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ୩ ମାସ ସମୟ କୋହଳ କରିଛନ୍ତି। ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରତିଦିନ ଆର୍‌ଟିଓ ଅଫିସରେ ଶହ ଶହ ଆବେଦନପତ୍ର ଜମା ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟାକୁ ତ୍ବାରାନ୍ବିତ କରିବାକୁ ଆର୍‌ଟିଓ କାର୍ଯ୍ୟାଳୟରେ କାଉଣ୍ଟର ସଂଖ୍ୟା ବୃଦ୍ଧି କରିବାକୁ ପରିବହନ କମିସନର ସଞ୍ଜୀବ ପଣ୍ଡା ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସରକାରୀ ଛୁଟି ଦିବସରେ ଲୋକଙ୍କୁ ସେବା ଉପଲବ୍ଧ କରିବା ପାଇଁ ସବୁ ଆର୍‌ଟିଓ ଅଫିସ ଖୋଲା ରହିବ। ଏହାର ବ୍ୟତିକ୍ରମ ହେଲେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନର ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର