ଗଠିତ ହେଲା ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି, ୩ ପୁରୁଣା, ୭ ନୂଆ ମୁହଁ

ସ୍ଥାନ ପାଇଲେ ସୁଦର୍ଶନ ପଟ୍ଟନାୟକ, ଡା.ରମାକାନ୍ତ ପଣ୍ଡା ଆଇନଜୀବୀ ଅଶୋକ ମହାପାତ୍ର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶରତ ଭଦ୍ର

ପୁରୀ : ଗୁରୁବାର ରାଜ୍ୟ ସରକାରଙ୍କ ଆଇନ ବିଭାଗ ଶ୍ରୀମନ୍ଦିର ପରିଚାଳନା କମିଟିର ୧୦ଜଣିଆ ମନୋନୟନ ତାଲିକା ପ୍ରକାଶ କରିଛି। ନୂଆ କମିଟିରେ ୩ଜଣ ପୂର୍ବତନ ପରିଚାଳନା କମିଟି ସଦସ୍ୟ ରହିଥିବାବେଳେ ବାକି ୭ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି। ଫଳରେ ନୂଆ କମିଟିକୁ ନେଇ ୫ ମାସ ଧରି ‌ଯେଉଁ ଘାଣ୍ଟଚକଟା ଚାଲିଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି(୮୦୭୩/୧୨.୮.୨୦୨୧) ଅନୁଯାୟୀ, ଶ୍ରୀମନ୍ଦିର ମୁକ୍ତିମଣ୍ଡପର ପ୍ରତିନିଧି ଭାବେ ହାଇକୋର୍ଟ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର ନୂଆ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଶ୍ରୀ ମହାପାତ୍ରଙ୍କ ଘର ପୁରୀ ଜିଲ୍ଲା ସଦର ବ୍ଲକ୍‌ ବୀରନରସିଂହପୁର ଗ୍ରାମରେ। ସେହିଭଳି ପୂଜାପଣ୍ଡା ନିଯୋଗରୁ ପୂର୍ବତନ ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା, ପ୍ରତିହାରୀ ନିଯୋଗରୁ ପୂର୍ବତନ ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର ଓ ସୁଆର ମହାସୁଆର ନିଯୋଗରୁ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି ନୂଆ ଟିମ୍‌ରେ ସ୍ଥାନ ପାଇଛନ୍ତି। ନୂଆ ମୁହଁ ଭାବେ ଦଇତାପତି ନିଯୋଗରୁ ଦୁର୍ଗାପ୍ରସାଦ ଦାସମହାପାତ୍ର, ପୁଷ୍ପାଳକ ନିଯୋଗରୁ ଜଗନ୍ନାଥ କର(ମଣ୍ଟୁ ସିଂଘାରୀ), ମଠ ପ୍ରିତିନିଧି ଭାବେ ସିଂହଦ୍ବାର ସମ୍ମୁଖ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସମହାପାତ୍ର ନୂଆ କମିଟିରେ ସ୍ଥାନ ପାଇଛନ୍ତି। ଭାସ୍କର୍ଯ୍ୟଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଦଳରେ ଖ୍ୟାତନାମା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନୂଆ ପରିଚାଳନା କମିଟିରେ ସ୍ଥାନ ପାଇଛନ୍ତି। ସେହିଭଳି ଶ୍ରୀମନ୍ଦିର ପୂର୍ବତନ ପ୍ରଶାସକ ମହିମୋହନ ତ୍ରିପାଠୀଙ୍କ ବଦଳରେ ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ ଡା. ରମାକାନ୍ତ ପଣ୍ଡା ନୂଆ କମିଟିରେ ସ୍ଥାନ ପାଇଛନ୍ତି। ଡା. ପଣ୍ଡାଙ୍କ ଘର ଯାଜପୁର ଜିଲ୍ଲା ଦାମୋଦରପୁର ଗାଁରେ। ସେ ଏମ୍‌ସ ଟପ୍ପର ହୋଇଥିବାବେଳେ ଜୀବନ କାଳ ଭିତରେ ପ୍ରାୟ ୨୦ହଜାର ହାର୍ଟ ସର୍ଜରୀ କରିଛନ୍ତି। ସେହିଭଳି ନୂତନ କମିଟିରେ ଜଣାଶୁଣା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ର ସ୍ଥାନ ପାଇଛନ୍ତି। ଶ୍ରୀ ଭଦ୍ର ‘ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍ ଇଣ୍ଡିଆ’ର ଇଷ୍ଟର୍ଣ୍ଟ ଇଣ୍ଡିଆ ରିଜଓନାଲ୍‌ କାଉନ୍‌ସିଲ ସଦସ୍ୟ ଅଛନ୍ତି।

ସୂଚନାଯୋଗ୍ୟେ, ଶେଷ ଥର ୨୦୧୮ ମାର୍ଚ୍ଚ ୧୫ରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇଥିଲା। ୨୦୨୧ ମାର୍ଚ୍ଚ ୧୫ରୁ ଏହି କମିଟିର କାର୍ଯ୍ୟକାଳ ‌ଶେଷ ହୋଇଥିଲେ ମଧ୍ୟ ନୂତନ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିଲା। ଏ ନେଇ ‘ସମ୍ବାଦ’ରେ ଏକାଧିକ ଖବର ପ୍ରକାଶିତ ହୋଇଥିଲା।

ସମ୍ବନ୍ଧିତ ଖବର