ଭୁବନେଶ୍ବର: ଅତିଥି ଦେବୋ ଭବ। ଭାରତୀୟ ପରମ୍ପରାର ଏହି ମୂଳମନ୍ତ୍ର ଅନୁସାରେ ଅତିଥିଙ୍କୁ ଦେବତା ମଣି ତାଙ୍କର ଆବଶ୍ୟକତା ପୂରଣ କରିବା ଉଚିତ। ଏ ଦିଗରେ ଏବେ ସତର୍କ ହୋଇଛି ଓଡ଼ିଶା ପର୍ଯ୍ୟଟନ ବିଭ‌ାଗ। ଆଧ୍ୟାତ୍ମିକତା ଓ ସଂସ୍କୃତି ହେଉଛି ଓଡ଼ିଶା ପର୍ଯ୍ୟଟନର ୟୁଏସ୍‌ପି। ଓଡ଼ିଶାର ରାଜଧାନୀ ମନ୍ଦିରମାଳିନୀ ସହର ଭାବେ ପରିଚିତ, ପୁରୀ ଶ୍ରୀକ୍ଷେତ୍ର ହେଉଛି ଜଗନ୍ନାଥଧାମ। ଏଥିସହ ପଶ୍ଚିମରେ ମା’ ସମଲେଇଙ୍କଠାରୁ ଆରମ୍ଭ କରି ଦକ୍ଷିଣରେ ମା’ ବୁଢ଼ୀ ଠାକୁରାଣୀ ଓ ତାରାତାରିଣୀଙ୍କ ପର୍ଯ୍ୟନ୍ତ ଆମ ରାଜ୍ୟ ସଂସ୍କୃତି, ମନ୍ଦିର ଓ ଆଧ୍ୟାତ୍ମିକତାରେ ଭରପୂର। ଏଣୁ ଆଧ୍ୟାତ୍ମିକତାକୁ କେନ୍ଦ୍ର କରି ବହୁ ବର୍ଷ ହେଲା ଓଡ଼ିଶାର ପର୍ଯ୍ୟଟନ ଆଗକୁ ବଢ଼ୁଥିଲା। ହେଲେ ଯୁଗ ବଦଳିବା ସହ ଲୋକଙ୍କ ଭ୍ରମଣ ସ୍ବାଦ ବି ବଦଳିଛି। ଏଣୁ ସମୟର ଡାକରା ସହ ଓଡ଼ିଶାକୁ ଆଧ୍ୟାତ୍ମିକ ବା ସାଂସ୍କୃତିକ ପର୍ଯ୍ୟଟନରେ ସୀମିତ ରଖିଲେ ହେବ ନାହିଁ ବୋଲି ବିଳମ୍ବରେ ହେଉ ପଛେ ପର୍ଯ୍ୟଟନ ବିଭାଗ ହେଜିଛି। ଏଣୁ ଓଡ଼ିଶା ପର୍ଯ୍ୟଟନରେ ବିବିଧତା ଆଣିବାକୁ ଅଣ୍ଟା ଭିଡ଼ିଛି ବିଭାଗ। ଏବେ ସାଂସ୍କୃତିକ, ଧାର୍ମିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ ସହ ଅତ୍ୟାଧୁନିକ ପର୍ଯ୍ୟଟନକୁ ବି ବିକଶିତ କରାଯିବ। ୨୦୩୬ ମସିହା ମଧ୍ୟରେ ରାଜ୍ୟକୁ ବିଶ୍ବସ୍ତରୀୟ ପର୍ଯ୍ୟଟନରେ ପରିଣତ କରି ଏସିଆର ୫ମ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ଏହାକୁ ଲକ୍ଷ୍ୟରେ ରଖି ଆସନ୍ତା ୬ ମାସ ଭିତରେ ଆସିବାକୁ ଯାଉଛି ‘ନୂଆ ପର୍ଯ୍ୟଟନ ନୀତି’। ଏଥିସହ ପ୍ରମୋସ୍‌ନାଲ୍‌ ମାର୍କେଟିଂ ବଜେଟକୁ ୫୦୦ କୋଟିକୁ ବଢ଼ାଇବାକୁ ପର୍ଯ୍ୟଟନ ବିଭାଗ ଯୋଜନା ପ୍ରସ୍ତୁତ କରିଛି।

Advertisment

ପର୍ଯ୍ୟଟନ‌ରେ ବିବିଧତା ଆଣିବାକୁ ୧୫ଟି ସ୍ଥାନକୁ ବିକଶିତ କରିବାର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଛି। ହୀରାକୁଦ, କୋଲାବ, ଦେଓମାଳି, ଚିଲିକା, ସାତକୋଶିଆ, ସିମିଳିପାଳ, ସାତପଡ଼ା, ଭିତରକନିକା ଭଳି ପର୍ଯ୍ୟଟନ ସ୍ଥଳୀ ଏହି ୧୫ ଗନ୍ତବ୍ୟସ୍ଥଳୀର ଅନ୍ତର୍ଭୁକ୍ତ। ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତ୍ୟେକ ସ୍ଥାନ ପାଇଁ ଗୋଟିଏ ଗୋଟିଏ ଏଜେନ୍ସିକୁ ଦାୟିତ୍ବ ଦିଆଯିବ। ନିର୍ଦ୍ଦିଷ୍ଟ ପର୍ଯ୍ୟଟନ ସ୍ଥଳର ଏକ ନିର୍ଦ୍ଦିଷ୍ଟ ୟୁଏସ୍‌ପି ତିଆରି କରାଯିବ। ଏହି ସବୁ ସ୍ଥାନରେ ତିନି ତାରକା, ଚାରି ତାରକା ଓ ପଞ୍ଚ ତାରକା ହୋଟେଲ ନିର୍ମାଣ କରାଯିବ। ଏହି ସବୁ ପର୍ଯ୍ୟଟନ ସ୍ଥଳରେ ଅଭିକା ପରିସ୍ଥିତିରେ ୧ ହଜାରରୁ ୧୫୦୦ ତାରକା ହୋଟେଲ ରୁମ୍‌ ନିର୍ମାଣ ଉପରେ ଫୋକସ୍‌ କରାଯାଉଛି। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ସହ ତାଲିମପ୍ରାପ୍ତ ମାନବ ସମ୍ବଳ ପ୍ରସ୍ତୁତି ଦିଗରେ ମଧ୍ୟ କାମ ଜାରି ରହିବ। 
ବର୍ତ୍ତମାନ ଓଡ଼ିଶାକୁ ପ୍ରତିବର୍ଷ ୧ କୋଟି ପର୍ଯ୍ୟଟକ ଆସୁଥିବା ବେଳେ ଏହାର ୩୦ରୁ ୪୦ ଭାଗ ହେଉଛନ୍ତି ବିଦେଶୀ ପର୍ଯ୍ୟଟକ। ତେବେ ଓଡ଼ିଶାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଟାଣିବା ପାଇଁ ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଛି। ୨୦୩୬ ସୁଦ୍ଧା ଏହି ସଂଖ୍ୟାକୁ ୫ କୋଟିରେ ପହଞ୍ଚାଇବାକୁ ବିଭାଗ ଟାର୍ଗେଟ ରଖିଛି। ଏଣୁ ହୋଟେଲ ସୁବିଧା, ଯୋଗାଯୋଗ ବ୍ୟବସ୍ଥା, ପର୍ଯ୍ୟଟନରେ ଅତ୍ୟାଧୁନିକତା, ତାଲିମପ୍ରାପ୍ତ ମାନବ ସମ୍ବଳ ଓ ସର୍ବୋପରି ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ଦିଗରେ ଅଧିକ ଫୋକସ୍‌ କରାଯାଉଛି। ରାଜସ୍ଥାନ ଓ ଗୁଜୁରାଟ ଭଳି ଓଡ଼ିଶାର ମଧ୍ୟ ସ୍ବତନ୍ତ୍ର ଐତିହ୍ୟ ନୀତି ରହିଛି। ଏହା ମାଧ୍ୟମରେ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ସହ ପର୍ଯ୍ୟଟନକୁ କିଭଳି ବିକାଶ କରିପାରିବା ସେ ଦିଗରେ କାର୍ଯ୍ୟଚାଲିଛି ବୋଲି ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ବିମଳ ଜେନା ସୂଚନା ଦେଇଛନ୍ତି।
ତେବେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ବେଳେ ବିଭିନ୍ନ ବିଭାଗ ଭିତରେ ତାଳମେଳ ଅଭାବରୁ ନିବେଶକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ୟାର ସମାଧାନ ସ୍ବରୂପ ଏକ ସିଙ୍ଗଲ୍‌ ୱିଣ୍ଡୋ ସୁବିଧା କେନ୍ଦ୍ର (ଫେସିଲିଟେସନ୍‌ ସେଲ୍‌) ବ୍ଲକ୍‌, ଜିଲ୍ଲାସ୍ତରରେ କାମ କରିବ। ଫଳରେ ନିବେଶକମାନେ ସମ୍ମୁଖୀନ କରୁଥିବା ସମସ୍ୟାର ସହଜ ଓ ତୁରନ୍ତ ସମାଧାନ ହୋଇପାରିବ। ଏଥିସହ ମାର୍କେଟିଂ ଓ ପ୍ରଚାରପ୍ରସାରରେ ଆମକୁ ଅଧିକରୁ ଅଧିକ ସାମିଲ ହେବାକୁ ପଡ଼ିବ। ଆମେ ସାମାଜିକ ଗଣମାଧ୍ୟମଠାରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ, ଏଜେନ୍ସି, ଅନୁଷ୍ଠାନ ପ୍ରତ୍ୟେକ କ୍ଷେତ୍ରରେ ୩୬୦ ଡିଗ୍ରି ପ୍ରଚାରପ୍ରସାର ଓ ଅଭିଯାନ ଚଳାଇବାକୁ ପଡ଼ିବ। ଏଥିସହ ଓଡ଼ିଶାର ପର୍ଯ୍ୟଟନର ପ୍ରଚାରପ୍ରସାର ଓ ମାକେର୍ଟିଂ କରିବାକୁ ବଜେଟକୁ ୫୦୦ କୋଟିକୁ ବଢ଼ାଇବାକୁ ପର୍ଯ୍ୟଟନ ବିଭାଗ ଯୋଜନା ପ୍ରସ୍ତୁତ କରିଛି ବୋଲି ଶ୍ରୀ ଜେନା କହିଛନ୍ତି।