କାଲିଠୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି: ଜିଲ୍ଲାପାଳ-ଏସ୍‌ପିଙ୍କୁ ଚିଠି ଲେଖିଲେ ପରିବହନ କମିନସର

ଭୁବନେଶ୍ୱର: ରାତି ପାହିଲେ ନୂଆ ସଂଶୋଧିତ ମୋଟରଯାନ ଆଇନ ଅନୁସାରେ ଉଲ୍ଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ  ଆରମ୍ଭ ହୋଇଯିବ । ଏହା ପୂର୍ବରୁ ରାଜ୍ୟ ପରିବହନ କମିସନର ରାଜ୍ୟର ସମସ୍ତ ଜିଲ୍ଲାପାଳ ଏସ୍‌ପି ଓ ଡିଏସ୍‌ପିମାନଙ୍କୁ ଚିଠି ଲେଖିଛନ୍ତି। ସରକାର ଦେଇଥିବା ୬ମାସ ଟ୍ରାଫିକ ନିୟମ କୋହଳ ଅବଧି ଆଜି ଶେଷ ହୋଇଯିବ। କାଲିଠାରୁ (ମାର୍ଚ୍ଚ ୧) ଟ୍ରାଫିକ ନିୟମ କାର୍ଯ୍ୟକାରୀତାକୁ ତ୍ବରାନ୍ବିତ କରିବାକୁ ପରିବହନ କମିସନର ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ନୂଆ ଆଇନ ଅନୁସାରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ।

ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଫିଟନେସ୍, ପରମିଟ୍ ଭଳି କାଗଜପତ୍ର ତିଆରି କରିବା ଲାଗି ଶେଷ ହୋଇଛି ଡେଡ୍ ଲାଇନ୍। ମାର୍ଚ୍ଚ ୧ ତାରିଖଠାରୁ ନିୟମ କଡ଼ାକଡ଼ି ପାଳନ ସହ କାର୍ଯ୍ୟାନୁଷ୍ଠାନ ଲାଗି ପରିବହନ ଓ ପୁଲିସର ମଧ୍ୟ ପ୍ରସ୍ତୁତି ଶେଷ ହୋଇସାରିଲାଣି। ଯେଉଁ ଗାଡ଼ି ଚାଳକ ନିୟମ ଉଲ୍ଲଂଘନ କରିବେ କିମ୍ବା ଆବଶ୍ୟକ କାଗଜପତ୍ର ରଖି ନ ଥିବେ, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ।

ପରିବହନ କମିସନର ଚିଠିରେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ଟ୍ରାଫିକ ନିୟମ ଉଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କାଲିଠାରୁ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯାଉ। ରାଜଧାନୀ ଭୁବନେଶ୍ବରର ଏଜି, ନାଲକୋ, କଳ୍ପନା, ରୂପାଲି, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବବିହାର, ପଟିଆ, ରସୁଲଗଡ଼ ଭଳି ଗୁରୁତ୍ବପୂର୍ଣ୍ଣ ଛକରେ କଡ଼ାକଡ଼ି ଯାଞ୍ଚ କରାଯିବ।

ଅନ୍ୟପଟରେ ଆଜି କଣ୍ଟ ପୂରିଥିବାରୁ ବାଇକ୍‌ ଆରୋହୀ ଓ କାର ଚାଳକଙ୍କ ଚିନ୍ତା ବଢ଼ିଯାଇଛି। ଯେଉଁମାନେ ଏ ପର୍ଯ୍ୟନ୍ତ ଗାଡ଼ି ସଂପର୍କିତ କାଗଜପତ୍ର ପ୍ରସ୍ତୁତ କରିପାରି ନାହାନ୍ତି, ସେମାନେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଛନ୍ତି।

ସମ୍ବନ୍ଧିତ ଖବର