ଗାଡ଼ି ବେଗରେ ଲାଗିବ ଅଙ୍କୁଶ : ‌ଲେନ୍‌ ଡ୍ରାଇଭିଂକୁ ଗୁରୁତ୍ବ, ପ୍ରସ୍ତୁତ ହେବ ସ୍ପିଡ୍‌ ଚାର୍ଟ

ଜାତୀୟ ରାଜପଥରେ ଲାଗୁହେବ କଡ଼ା କଟକଣା

ଭୁବନେଶ୍ୱର : ଏଣିକି ଦ୍ବୈତନଗରୀ(ଭୁବନେଶ୍ୱର-କଟକ)ରେ କେହି ମନଇଚ୍ଛା ଗାଡ଼ି ଚଳାଇ ପାରି‌ବେ ନାହିଁ। ଗାଡ଼ିର ବେଗ ଉପରେ ଅଙ୍କୁଶ ଲାଗିବ। ସହର ମଧ୍ୟରେ ଓ ସଂଲଗ୍ନ ଜାତୀୟ ରାଜପଥରେ କେଉଁ ଗାଡ଼ି କେତେ ବେଗ‌ରେ ଗଡ଼ିବ, ତାହା ଧାର୍ଯ୍ୟ କରାଯିବ। ଏଥିପାଇଁ ଖୁବ୍‌ଶୀଘ୍ର ଏକ ସ୍ବତନ୍ତ୍ର ସ୍ପିଡ୍‌-ଚାର୍ଟ ପ୍ରସ୍ତୁତ କରାଯିବା ସହ ଲୋକଙ୍କୁ ସଚେତନ କରାଯିବ। ଏହି ଚାର୍ଟ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ବର୍ତ୍ତମାନ ଗାଡ଼ିଗୁଡ଼ିକର ବେଗ (ସହର ଭିତର ଓ ରାଜପଥରେ) ଘଣ୍ଟା ପ୍ରତି ୫୦/୬୦ କିମି ରହିବ। ଭୁବନେଶ୍ୱରସ୍ଥିତ କମିସନରେଟ୍‌ ପୁଲିସ ମୁଖ୍ୟାଳୟ‌ରେ ଶୁକ୍ରବାର ହୋଇଥିବା ସମନ୍ବୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦ୍ବୈତନଗରୀର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥାକୁ ସଜାଡ଼ିବା ଉଦ୍ଦେଶ୍ୟରେ ହୋଇଥିବା ଏହି ବୈଠକରେ କମିସନରେଟ୍‌ ପୁଲିସ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବିଏମ୍‌ସି, ପୂର୍ତ୍ତ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହାବ୍ୟତୀତ ବୈଠକରେ ଲେନ୍‌-ଡ୍ରାଇଭିଂ ଉପରେ ମଧ୍ୟ ଜୋର୍‌ ଦିଆଯାଇଛି। ୬ ଥାକିଆ ଜାତୀୟ ରାଜପଥର ଉଭୟପଟ ରାସ୍ତାର ମଝି ଲେନ୍‌ରେ ଭାରୀଯାନ ଚଳାଚଳ କରିବ। ସେହିପରି ବାମ ଲେନ୍‌ରେ ବାଇକ୍‌, ସ୍କୁଟି ଭଳି ଦୁଇଚକିଆ ଗାଡ଼ି ଓ ଅଟୋ ଭଳି ୩ଚକିଆ ଗାଡ଼ି ଏବଂ ଡାହଣ ଲେନ୍‌ରେ କାର୍‌, ଟାଟା ଏସ୍‌ ଭଳି ହାଲୁକା ୪ଚକିଆ ଯାନ ଯାତାୟାତ କରିବ। ଏଥିପାଇଁ ପ୍ରଥମେ ପୁଲିସ ପକ୍ଷରୁ ସଚେତନତା କରାଯିବ। ଏ ସଂପର୍କିତ ସାଇନ‌ବୋର୍ଡ ମଧ୍ୟ ପ୍ରତି ୫ କିଲୋମିଟର ବଦଳ‌ରେ ପ୍ରତି ୧ କଲୋମିଟରରେ ସାଇନ୍‌-ବୋର୍ଡ ମଧ୍ୟ ଲଗାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ନିୟମକୁ କଡ଼ାକଡ଼ି କରାଯିବା ସହ ଜରିମାନା ଆଦାୟ କରାଯିବ।

ଚିହ୍ନଟ ହେବ ଦୁର୍ଘଟଣାପ୍ରବଣ ରାସ୍ତା, ଲାଗିବ ସିସିଟିଭି
ସହର ଭିତର ଓ ଜାତୀୟ ରାଜପଥରେ ଜାମ୍‌ ଓ ଦୁର୍ଘଟଣାପ୍ରବଣ ରାସ୍ତାଗୁଡ଼ିକୁ ଚିହ୍ନଟ କରାଯିବା ପାଇଁ ଆଲୋଚନା ହୋଇଥିଲା। କେଉଁ କାରଣରୁ ସେଠାରେ ଦୁର୍ଘଟଣା ଘଟୁଛି ବା ଜାମ୍‌ ପରିସ୍ଥିତି ଉପୁଜୁଛି, ତାହାର ତଦନ୍ତ କରି ସମାଧାନ କରାଯିବ। ସେହିପରି ସହର ଭିତରେ ବିଭିନ୍ନ ସ୍ଥାନରେ ପାର୍କିଂ ‌ସ୍ଥାନ ଚିହ୍ନଟ କରାଯିବ। ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବା ପାଇଁ ମଧ୍ୟ ଯୋଜନା କରାଯାଇଛି। ଏଥିରୁ ନିୟମ ଉଲଂଘନକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଦୁଇଟି ଟିମ୍‌ ମଧ୍ୟ ଗଠନ କରାଯାଇଛି। ଟ୍ରାଫିକ୍‌ ଏସିପିଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ଏହି ସବୁ ସମସ୍ୟାର ଗ୍ରାଉଣ୍ଡ ରିପୋର୍ଟ ପ୍ରସ୍ତୁତ କରି ଟ୍ରାଫିକ୍‌ ଡିସିପିଙ୍କୁ ଦେବେ। ଆସନ୍ତା ୧୫ଦିନ ମଧ୍ୟରେ ସମସ୍ତ ରିପୋର୍ଟ ଦେବା ପାଇଁ କୁହାଯାଇଛି।

ବାପା, ମା’ଙ୍କ ସହ ଯାଇପାରିବେ ୧୨ବର୍ଷ ପର୍ଯ୍ୟନ୍ତ ଛୁଆ
ସଂଶୋଧିତ ମୋଟର ଯାନ ଆଇନ ଅନୁଯାୟୀ, ଗୋଟିଏ ବାଇକ୍ ବା ସ୍କୁଟି‌ରେ ବାପା, ମା’ଙ୍କ ସହ ୧୨ ବର୍ଷ ପର୍ଯ୍ୟନ୍ତ ଛୁଆ ଯାଇପାରିବେ। ଧରାପଡ଼ିଲେ, ଏଥିପାଇଁ ଜରିମାନା ଦେବାକୁ ପଡ଼ିବ ନାହିଁ।

ସ୍କୁଲ ପିଲାଙ୍କୁ ଗାଡ଼ି ମନା
‌କୌଣସି ପରିସ୍ଥିତିରେ ବି ସ୍କୁଲ ଛାତ୍ରଛାତ୍ରୀ ଗାଡ଼ି ଚଳାଇପାରିବେ ନାହିଁ। ଧରାପଡ଼ିଲେ, ସେମାନଙ୍କ ଅଭିଭାବକଙ୍କୁ ଜରିମାନା ଦେବାକୁ ପଡ଼ିବ। ଏହାସହ ଧରାପଡ଼ିଥିବା ଛାତ୍ରଛାତ୍ରୀଙ୍କୁ ୨୫ବର୍ଷ ନ ହେବା ପର୍ଯ୍ୟନ୍ତ ଗାଡ଼ି ଚଳାଇବା ପାଇଁ ଲାଇସେନ୍ସ ଆର୍‌ଟିଓ ପ୍ରଦାନ କରିବ ନାହିଁ।

ବାଦ୍‌ ପଡ଼ିବେନି ପୁଲିସ୍‌ କର୍ମଚାରୀ
‌ସାରା ଦେଶରେ ଲାଗୁ ହୋଇଥିବା ଏହି ନୂଆ ଆଇନରେ ପୁଲିସ କର୍ମଚାରୀ ବି ବାଦ୍‌ ପଡ଼ିବେନି। ବାଇକ୍‌ ଚଲାଇବା ବେଳେ ହେଲମେଟ୍‌ ଓ କାର୍‌ ଚଲାଇବା ବେଳେ ସିଟ୍‌-ବେଲ୍‌ଟ ନଥିଲେ ପୁଲିସ କର୍ମଚାରୀଙ୍କଠାରୁ ବି ନିର୍ଧାରିତ ଜରିମାନା ଆଦାୟ ହେବ। ନିକଟ ଅତୀତରେ ନିୟମ ଭାଙ୍ଗି ବାଲିପାଟଣା ଥାନାର ଜଣେ କର୍ମଚାରୀଙ୍କୁ ମଧ୍ୟ ୧ ହଜାର ଟଙ୍କା ଜରିମାନା‌ ଦେବାକୁ ପଡ଼ିଥିଲା।

‌ବେଆଇନ ଭାବେ ଆଦାୟ କଲେ ଅଧିକାରୀ ଦେବେ ଡବଲ୍‌ ଜରିମାନା
ପୁଲିସ ଅଧିକାରୀ ଯଦି ବେଆଇନ ଭାବେ କୌଣସି ଚାଳକଙ୍କଠାରୁ ଜରିମାନା ଆଦାୟ କରନ୍ତି ଓ ଏହା ପ୍ରମାଣିତ ହୁଏ, ତେବ‌େ ସଂପୃକ୍ତ ଅଧିକାରୀଙ୍କଠାରୁ ଚାଳକଙ୍କ ଉପରେ ଧାର୍ଯ୍ୟ ଜରିମାନାର ଦୁଇଗୁଣ ଅର୍ଥ ଆଦାୟ କରାଯିବ। ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଓ ଲୋକଙ୍କୁ ଅଯଥାରେ ହଇରାଣ ନ କରିବା ପାଇଁ ଏପରି ନିୟମ କରାଯାଇଛି।

ବୈଠକରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୁଲିସ କମିସନର୍‌ ସଞ୍ଜୟ ସିଂ, ଏଡିଏମ୍‌ ଅରୁଣ ବେହେରା, ଡିସିପି ଅନୁପ ସାହୁ, ଡିସିପି(ଟ୍ରାଫିକ୍‌) ସାଗରିକା ନାଥ, ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦେଶକ ଦେବପ୍ରସାଦ ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ-୧ ପ୍ରଦୀପ ମହାନ୍ତି, ଆର୍‌ଟିଓ-୨ ସଞ୍ଜୟ ‌ବେହେରା, ପିଡବ୍ଲ୍ୟୁଡି ୪ଟି ଡିଭିଜନ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏଡିସିପି ଅମରେଶ ପଣ୍ଡା, ଏସିପି କିଶୋର ପାଣିଗ୍ରାହୀ, ଆଇଆଇସି ସୁରେନ୍ଦ୍ର ବଳ, ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ମାସକ ପାଇଁ ପ୍ରଦୂଷଣ ଯାଞ୍ଚ ନିୟମ କୋହଳ
ପ୍ରଦୂଷଣ ପ୍ରମାଣପତ୍ର କଡ଼ାକଡ଼ି ଲାଗୁ ପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଭାରୀଯାନ ମାଲିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରମାଣପତ୍ର ଦେବା ପାଇଁ କୌଣସି ସରକାରୀ ବିଧିବ୍ୟବସ୍ଥା ନଥିବାରୁ କେତେକ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ତେଣୁ ପ୍ରମାଣପତ୍ର ପ୍ରଦାନର ସଠିକ୍‌ ବ୍ୟବସ୍ଥା ନ ହେବା ପର୍ଯ୍ୟନ୍ତ ଏହି ନିୟମକୁ ସାମୟିକ ଭାବେ କୋହଳ କରାଯାଇଛି। ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ନିୟମକୁ କୋହଳ କରାଯାଇଛି। ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ପ୍ରଦୂଷଣ ବାବଦକୁ ଜରିମାନା ଆଦାୟ କରାଯିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଲୋକଙ୍କୁ ହଇରାଣ କରିବା ପାଇଁ ଯଦି କୌଣସି ଅଧିକାରୀ ବେଆଇନ ଭାବେ ଜରିମାନା ଆଦାୟ କରି‌ବେ, ସେ ଜରିମାନା ରାଶିର ଦୁଇଗୁଣ ଅଧିକ ତଣ୍ଡ ଗଣିବେ ବୋଲି ପରିବହନ ସଚିବ ଜି. ଶ୍ରୀନିବାସ କହିଛନ୍ତି।

ରାଜଧାନୀରେ ପ୍ରଦୂଷଣ ଯାଞ୍ଚ ପାଇଁ ପର୍ଯ୍ୟାପ୍ତ ମେସିନ୍‌ ନଥିବାରୁ ଏବେ ସମସ୍ୟା ଦେଖାଦେଇଛି। ଏହି ପ୍ରମାଣପତ୍ର ଦେଉଥିବା ରାଜଧାନୀର ଦୁଇଟି ଆର୍‌ଟିଓ (ଆର୍‌ଟିଓ-୧ ଓ ଆର୍‌ଟିଓ-୨) ଅଧୀନ‌ରେ ଥିବା ମୋଟ ୪୩ଟି ବେସରକାରୀ ସଂସ୍ଥା ମଧ୍ୟରୁ ୧୧ଟି ସଂସ୍ଥାର ମେସିନ୍‌ ଅଚଳ। ସେହିପରି ମାତ୍ର ୧୩ଟି ସଂସ୍ଥାକୁ ଅନଲାଇନ୍‌ ଆଇଡି ଓ ପାସୱାର୍ଡ ଦିଆଯାଇଛି। ଏମାନେ ଅନ୍‌ଲାଇନ୍‌ରେ ପ୍ରମାଣପତ୍ର ଦେଇପାରିବେ। ତେବେ ଏମାନଙ୍କ ବ୍ୟତୀତ ବାକି ୧୯ଟି ସଂସ୍ଥା ବର୍ତ୍ତମାନ ମାସକ ପାଇଁ ଅଫଲାଇନ୍‌ରେ ମଧ୍ୟ ପ୍ରମାଣପତ୍ର ଦେବେ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ ପ୍ରଦୂଷଣ ଯାଞ୍ଚର ଭିତ୍ତିଭୂମିକୁ ସୁଦୃଢ଼ କରାଯିବ, ଯେପରି ସବୁ ସଂସ୍ଥା ଅନ୍‌ଲାଇନରେ ପ୍ରମାଣପତ୍ର ଦେଇପାରିବେ। ଏହା ପରଠାରୁ ଗାଡ଼ିର ପ୍ରଦୂଷଣ ରିପୋର୍ଟ ସିଧାସଳଖ ବାହାନ ଆପ୍‌ରେ ଅପ୍‌ଲୋଡ୍‌ ହେବ।

ସମ୍ବନ୍ଧିତ ଖବର