ଜୟଦେବ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାରରେ ବସ୍‌ ଅଟକିବନି : ନୂଆପଲ୍ଲୀରୁ ସତ୍‌ସଙ୍ଗ ବିହାର ଛକ ଫ୍ଲାଏଓଭର ଉପରେ ଯିବ, ଫ୍ଲାଏଓଭର ତଳକୁ ଓହ୍ଲାଇଲେ ହଜାରେ ଜରିମାନା

ଭୁବନେଶ୍ବର : ଜୟଦେବ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ‌ ଦେଇ ଆଉ କୌଣସି ବସ୍‌ ଯାତାୟାତ କରିବନି। କଟକରୁ ବରମୁଣ୍ଡା ଆସୁଥିବା ଏବଂ ବରମୁଣ୍ଡାରୁ କଟକ ଯାଉଥିବା ସମସ୍ତ ଲାଇନ୍ ବସ୍‌ ଏଣିକି ବାଣୀବିହାର, ଆଚାର୍ଯ୍ୟ ବିହାର କି ଜୟଦେବ ବିହାର ଛକରେ ରହିବେନି। ଏହି ତିନିଟି ଛକରେ ବସ୍‌ ଫ୍ଲାଏଓଭର ଦେଇ ଯିବ। ଯାତ୍ରୀମାନେ ସତ୍‌ସଙ୍ଗ ବିହାର ଛକରେ ଏବଂ କ୍ରାଉନ୍ ହୋଟେଲ ସମ୍ମୁଖ ବସ୍‌ ବେ’ରେ ଓହ୍ଲାଇବେ। ଯଦି କୌଣସି ବସ୍‌ ଏହି ତିନିଟି ଛକରେ ଯାତାୟାତ କରନ୍ତି(ଫ୍ଲାଏଓଭର ତଳେ), ସେମାନଙ୍କଠାରୁ ହଜାରେ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ। ଆଜି ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବାଣୀବିହାର ଓ ଆଚାର୍ଯ୍ୟବିହାର ଛକରେ ଭିଡ଼ କମା‌ଇବା ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ୨୦୦୩ (ଓଡ଼ିଶା ଆଇନ ୮ର ୨୦୦୭) ଏବଂ ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ (ଟ୍ରାଫିକ ଏବଂ ସାଧାରଣ ନିର୍ଦ୍ଦେଶ) ନିୟମାବଳୀ ୨୦୦୮ର ନିୟମ ୩୬ ଅନୁଯାୟୀ, ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିୟମ ଉଲ୍ଲଂଘନ କଲେ ଓଡ଼ିଶା ପୁଲିସ ଆଇନ ୨୦୦୩ର ଧାରା ୯୬ ଅନୁଯାୟୀ ହଜାରେ ଟଙ୍କା ଜରିମାନା ଆଦାୟ ହେବ।

କମିସନରେଟ୍ ପୁଲିସ ପକ୍ଷରୁ ଏନେଇ ବସ୍‌ ମାଲିକଙ୍କୁ ଅବଗତ କରାଇ ଦିଆଯାଇଛି। ଏହି ନିୟମ ତୁରନ୍ତ ଲାଗୁ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

କମିସନରେଟ୍ ପୁଲିସ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ ହେଁ ବରମୁଣ୍ଡାରୁ ପୁରୀ, କୋଣାର୍କ, ଅସ୍ତରଙ୍ଗ ରୁଟ୍‌ରେ ଯାଉଥିବା ଲାଇନ୍ ବସ୍‌ଗୁଡ଼ିକ ଏବେ ଫ୍ଲାଏଓଭର୍‌ରେ ଯିବେ ନା ତଳେ ଯିବେ, ସେନେଇ କିଛି ସ୍ପଷ୍ଟ ହୋଇନି।

ଅପରପକ୍ଷେ ପୂର୍ବରୁ ପରିବହନ ବିଭାଗ ପକ୍ଷରୁ ପ୍ରାୟ ଦୁଇ ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା ଯେ ଭୁବନେଶ୍ବର ମଧ୍ୟରେ କୌଣସି ବସ୍‌ ଫ୍ଲାଏଓଭର ତଳେ ଯାତାୟାତ କରିବନି। ବସ୍‌ଗୁଡ଼ିକ ପଳାସୁଣୀଠାରୁ ଫ୍ଲାଏଓଭର ଉପରେ ଆସି ବରମୁଣ୍ଡା ନିକଟରେ ଯାତ୍ରୀ ଓହ୍ଲାଇବେ। ଯାତ୍ରୀମାନେ କେବଳ ଏହି ଦୁଇଟି ସ୍ଥାନରେ ଓହ୍ଲାଇବେ। ଯେଉଁଠି ଯାତ୍ରୀମାନେ ଫ୍ଲାଏଓଭର ଉପରେ ଓହ୍ଲାଇବେ ସେଠାରୁ ଯେପରି ସୁବିଧାରେ ଯାତାୟାତ କରିପାରିବେ ସେଥିପାଇଁ ସେହି ରୁଟ୍‌ରେ ଆବଶ୍ୟକୀୟ ସିଟି ବସ୍ (ମୋ ବସ୍)ଚଳାଚଳ କରିବ। ମୋ ବସ୍‌ରୁ ଓହ୍ଲାଇବାକୁ ଥିବା ଯାତ୍ରୀମାନେ ସହରର ବିଭିନ୍ନ ଗଳିକନ୍ଦିକୁ ଅଟୋରେ ଯାତାୟାତ କରିବେ। ହେଲେ ଏବେ ବସ୍‌ ବେ’ ନିକଟକୁ ଆବଶ୍ୟକ ମୋ’ ବସ୍‌ ଯାତାୟାତ କରୁନଥିବା ବେଳେ କମିସନେରଟ୍ ପୁଲିସର ଏହି ନୂଆ ନିୟମ ଲୋକଙ୍କ ପାଇଁ ବୋଝ ସଦୃଶ ହେବନି ତ!

ଆଗକୁ ଅଟୋ ପାଳି!

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯା‌ୟୀ, ରାଜଧାନୀରେ ଅଟୋ ଚଳାଚଳ ଉପରେ ଖୁବ୍‌ଶୀଘ୍ର କଟକଣା ଜାରି ହେବ। ନିର୍ଦ୍ଦିଷ୍ଟ ରାସ୍ତାରେ କେବଳ ଅଟୋ ଚଳାଚଳ କରିବାକୁ ଅନୁମତି ମିଳିବ। ଲୋକମାନେ ବିଭିନ୍ନ ଅଞ୍ଚଳରୁ ରାଜଧାନୀକୁ ଲାଇନ୍ ବସ୍‌ରେ ଆସିବା ପରେ ଫ୍ଲାଏଓଭର ଉପରେ ବା କିଛି ନି‌ର୍ଦ୍ଦିଷ୍ଟ ଛକରୁ ଓହ୍ଲାଇବେ। ସେଠାରୁ ଯାତ୍ରୀମାନେ ମୋ’ ବସ୍‌ରେ ସହର ଭିତରକୁ ଯିବେ। ଯେଉଁମାନେ ଗଳିକନ୍ଦି ଅଞ୍ଚଳକୁ ଯିବାକୁ ଥିବ, ସେମାନେ ଅଟୋରେ ଯିବେ। ଅଟୋଗୁଡ଼ିକ ସହର ଭିତରେ ପ୍ରମୁଖ ଛକକୁ ସଂଯୋଗ କରୁଥିବା ରାସ୍ତାରେ ହିଁ ଚାଲିବ। ଉଦାହରଣ ସ୍ବରୂପ ଜଣେ ଯଦି ସହିଦନଗର ଭିତରେ କୌଣସି ସ୍ଥାନକୁ ଯିବାକୁ ଚାହୁଁଥିବେ, ତେବେ ସେ ସତ୍‌ସଙ୍ଗ ବିହାର ବସ୍‌ ବେ’ ନିକଟରେ ଓହ୍ଲାଇବା ପରେ ସେଠାରୁ ମୋ ବସ୍‌ରେ ରୁପାଲି ଛକ ପର୍ଯ୍ୟନ୍ତ ଆସିବେ। ଏହାପରେ ଅଟୋରେ ରୁପାଲି ଛକରୁ ସହିଦନଗର ଭିତରକୁ ଯାଇପାରିବେ। ରାଜଧାନୀରେ ଅଟୋ ଚଳାଚଳ ଉପରେ କଟକଣା ଲଗାଇବା ପାଇଁ ଖୁବ୍ ଶୀଘ୍ର ପରିବହନ ବିଭାଗ ଓ କମିସନରେଟ୍ ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର