ଭୁବନେଶ୍ବର : ଗାଡ଼ି କାଗଜପତ୍ର ଠିକ୍ କରିବା ପାଇଁ ଲୋକମାନଙ୍କୁ ଆଉ ତିନି ମାସ ମହଲତ ମିଳିଛି। ନଭେମ୍ବର ୩୦ ବଦଳରେ ଫେବ୍ରୁଆରି ୨୮କୁ କଣ୍ଟ ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିଧାନସଭାରେ ଏହା ‌ଘୋଷଣା କରିଛନ୍ତି। କିନ୍ତୁ ରାସ୍ତାରେ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କ୍ଷେତ୍ରରେ ସରକାର କୌଣସି ରୋକ୍ ଲଗାଇ ନାହାନ୍ତି।

Advertisment

ଆଜି ବିଧାନସଭାରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ସଂଶୋଧିତ ମୋଟରଯାନ ଆଇନ୍‌ ଲାଗୁ ହେଲା ପରେ କାଗଜପତ୍ର ଠିକ୍ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ୩ ମାସ ସମୟ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସଂଶୋଧିତ ଆଇନ୍‌ରେ ଥିବା ବ୍ୟବସ୍ଥା ସମ୍ପର୍କରେ ପରିବହନ ବିଭାଗ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଶିବିର ଖୋଲିଥିଲା। ଲୋକମାନଙ୍କ ଗାଡ଼ି କାଗଜପତ୍ର ଠିକ୍ କରିବା ପାଇଁ ବିଭାଗ ପକ୍ଷରୁ ନୂଆ କେନ୍ଦ୍ର, ଅତିରିକ୍ତ କାଉଣ୍ଟର୍‌ ଖୋଲାଯାଇଥିଲା।

ପ୍ରତିଦିନ ଅଫିସ୍‌ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ଖୋଲାଯାଇ ଓ ଛୁଟି ବାତିଲ୍‌ କରାଯାଇ ଏହି କାମ କରାଯାଉଥିଲା। ପରିବହନ ବିଭାଗ କର୍ମଚାରୀଙ୍କ ନିରନ୍ତର ଉଦ୍ୟମ ଯୋଗୁ ଗତ ତିନି ମାସରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସାଢ଼େ ୯ ଲକ୍ଷ ଆବେଦନ ଗ୍ରହଣ କରାଯାଇଥିଲା। ଏହା ମଧ୍ୟରୁ ୫.୪୫ ଲକ୍ଷ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯାଇଛି। କିନ୍ତୁ ୨୦୧୮ ମସିହାରେ ମାତ୍ର ୩.୪୮ ଲକ୍ଷ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ଗତ ତିନି ମାସରେ ଏକ ଲକ୍ଷ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଛି। ଆର୍‌ଟିଓ କାର୍ଯ୍ୟାଳୟର ଉଦ୍ୟମକୁ ମନ୍ତ୍ରୀ ପ୍ରଶଂସା କରିଥିଲେ।

ଶ୍ରୀ ବେହେରା ଆହୁରି ଜଣାଇଥିଲେ ଯେ ଆଜି ମୁଖ୍ୟମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କଲା ପରେ କାଗଜପତ୍ର ଠିକ୍ ‌କରିବାକୁ ଲୋକଙ୍କୁ ଆଉ ତିନି ମାସ ସମୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଶେଷ ସୁଯୋଗ ଓ ସମୟ ଅବଧି ଆଉ ବଢ଼ାଯିବ ନାହିଁ। ମଦ ପିଇ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ଦୁଇ ଚକିଆରେ ତିନି ଜଣ ଯିବା, ନିର୍ଦ୍ଧାରିତ ଓଜନରୁ ଅଧିକ ଜିନିଷ ନେବା, ଗାଡ଼ି ଚଳାଇଲା ବେଳେ ମୋବାଇଲ୍‌ରେ କଥା ହେବା, ଟ୍ରାଫିକ୍ ନିୟମ ନ ମାନି ଗାଡ଼ି ଚଳାଇବା, ନାଲି ପ୍ରତୀକକୁ ନ ମାନିବା, ହେଲ୍‌ମେଟ୍‌ ଓ ସିଟ୍‌ ବେଲଟ୍‌ ନ ପିନ୍ଧିବା ଆଦି କ୍ଷେତ୍ରରେ ଯାଞ୍ଚ୍ କଡ଼ାକଡ଼ି କରାଯିବ। ସଡ଼କ ନିରାପତ୍ତା ବ୍ୟବସ୍ଥାକୁ ନ ମାନୁଥିବା ଲୋକଙ୍କ କ୍ଷେତ୍ରରେ କାଗଜପତ୍ର ବି ଯାଞ୍ଚ୍ କରାଯିବ। ପରିବହନ ବିଭାଗ ଲୋକମାନଙ୍କୁ ଭଲ ସେବା ଯୋଗାଇ ଦେବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିବ। ରାସ୍ତା ନିରାପତ୍ତା ସଚେତନତା କାର୍ଯ୍ୟକ୍ରମକୁ ଆଗାମୀ ତିନି ମାସରେ ଆହୁରି ଜୋର୍‌ଦାର୍ କରାଯିବ।

ଆଜି ଶୂନ୍ୟକାଳରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏ ପ୍ରସଙ୍ଗ ବିଧାନସଭାରେ ଉଠାଇଥିଲେ। କହିଥିଲେ, ଗାଡି ଲାଇସେନ୍ସ ହେଉ କି ପ୍ରଦୂଷଣ ପ୍ରମାଣପତ୍ର ଡିସେମ୍ବର ୧ ତାରିଖରୁ କଡ଼ାକଡ଼ି ଲାଗୁ ହେବ। ଏଥିପାଇଁ ଭିନ୍ନକ୍ଷମଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ ଲମ୍ବା ଧାଡି ଲଗାଇ ଛିଡା ହୋଇଛନ୍ତି। ସନ୍ଧ୍ୟା ପରେ ଏ ସ୍ଥିତି ଲାଗି ରହୁଛି। ଲୋକେ ଦୁର୍ବିସହ ଅବସ୍ଥାର ସମ୍ମୁଖୀନ ହେଲେଣି। ସରକାର ଅତି କମରେ ଏ କ୍ଷେତ୍ରରେ ଲୋକଙ୍କୁ ଆଉ ତିନିମାସ ମହଲତ ଦେବାର ଆବଶ୍ୟକତା ରହିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଯେ କୋରାପୁଟକୁ ଏ କ୍ଷେତ୍ରରେ ଉଦାହରଣ ଭାବେ ନିଆଯାଉ। ସେଠାରେ ମାତ୍ର ୪ଜଣ କର୍ମଚାରୀ ଆରଟିଓ ଅଫିସରେ ଅଛନ୍ତି। ଲୋକେ ଧାଡିରେ ଠିଆ ହୋଇଛନ୍ତି। ସକାଳ ୧୦ଟାରେ ଗେଟ୍ ଖୋଲିବ, କିନ୍ତୁ ସେମାନେ ସକାଳୁ ଯାଇ ଅଛନ୍ତି। ଯେଉଁଠାରେ ଦଲାଲ ୨୦୦ ଟଙ୍କା ନେଉଥିଲା, ଏବେ ୫ହଜାର ଟଙ୍କା ନେଲେଣି। ବିଧାୟକ ପ୍ରଦୀପ ମହାରଥୀ ମଧ୍ୟ ଏହି ପ୍ରସଙ୍ଗକୁ ସମର୍ଥନ କରିଥିଲେ। ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହର ଉଦବେଗକୁ ଲକ୍ଷ୍ୟ ରଖି ପରିବହନ ମନ୍ତ୍ରୀଙ୍କୁ ଏ ସଂପର୍କରେ ସାନି ଅନୁଧ୍ୟାନ କରିବା ଲାଗି ଅନୁରୋଧ କରିଥିଲେ।