ଏମ୍‌ସରେ ନୂତନ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟିତ

ଏଣିକି ୭୫୦ ଟଙ୍କାରେ ରେଡିଏସନ୍‌ ଓ ୨୫୦ ଟଙ୍କାରେ ନ୍ୟୁକ୍ଲିୟର ଚିକିତ୍ସା

ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସରେ କ୍ୟାନ୍‌ସର ଓ ଥାଇରଏଡ୍‌ ଚିକିତ୍ସା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଏଣିକି ଏଠାରେ ମାତ୍ର ୭୫୦ ଟଙ୍କାରେ ବିକିରଣ ଚିକିତ୍ସା ଓ ୨୫୦ ଟଙ୍କାରେ ନାଭିକୀୟ ଚିକିତ୍ସା ଉପଲବ୍‌ଧ ହେବ। ଘରୋଇ ହସ୍ପିଟାଲରେ ଏଥିପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଥିବାବେଳେ ଏମ୍‌ସରେ ଏଭଳି ସୁବିଧା ସୁଲଭ ମୂଲ୍ୟରେ ମିଳିବ। ଆଜି ଏଠାରେ ନାଭିକୀୟ ଭେଷଜ ବିଜ୍ଞାନ କେନ୍ଦ୍ର ଓ ବିକିରଣ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟିତ ହେବା ପରେ ରାଜ୍ୟବାସୀଙ୍କ ପାଇଁ ଏହା ସମ୍ଭବ ହେବାକୁ ଯାଉଛି।

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥିଭାବେ ଯୋଗ ଦେଇ ଏହି ନୂଆ ଚିକିତ୍ସା କେନ୍ଦ୍ରଦ୍ୱୟକୁ ଲୋକାର୍ପଣ କରିଛନ୍ତି। ବିକିରଣ ଚିକିତ୍ସା (ରେଡିଏସନ୍‌ ଥେରାପି)କେନ୍ଦ୍ରରେ କ୍ୟାନ୍‌ସର ରୋଗ ଚିକିତ୍ସା ପାଇଁ ‘ହାଇ ଏନର୍ଜି ଲିନିୟର୍‌ ଆକ୍ସିଲେଟର୍‌(ହେଲା), ‘ଲୋ ଏନର୍ଜି ଲିନିୟର୍‌ ଅରକ୍ସିଲେଟର୍‌’(ଲେଲା), ସିଟି ସିମୁଲେଟର୍‌ ଓ ହାଇ ଡୋଜ୍‌ ରେଟ୍‌ ବ୍ରାକିଥେରାପି ଯନ୍ତ୍ରପାତି ଲାଗିଥିବାବେଳେ ନାଭିକୀୟ ଚିକିତ୍ସା(ନ୍ୟୁକ୍ଲିୟର୍‌ ଥେରାପି)କେନ୍ଦ୍ରେରେ ଗାମା କ୍ୟାମେରା ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯାଇଛି।

ଅଙ୍କୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଦିଲ୍ଲୀପ କୁମାର ପରିଡ଼ାଙ୍କ ସୂଚନାନୁସାରେ ୩୦ କୋଟି ଟଙ୍କା ବ୍ୟୟରେ ବିକିରଣ କେନ୍ଦ୍ରରେ ଏହି ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରତିଷ୍ଠା କରାଯାଇଛି। ପୂର୍ବ ଭାରତ ତଥା ଓଡ଼ିଶାରେ ଏଭଳି ଯନ୍ତ୍ରପାତି ନଥିଲା। ତେଣୁ ସର୍ଜରି ପାଇଁ ସମସ୍ୟା ଦେଖା ଦେଉଥିବା ଭଳି ସ୍ଥାନରେ କ୍ୟାନ୍‌ସର ବା ଟ୍ୟୁମର ହୋଇଥିଲେ, ରୋଗୀମାନେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେବା ସହ ଚିକିତ୍ସା ବାବଦରେ ବହୁ ଅର୍ଥ ବ୍ୟୟ କରୁଥିଲେ। ମାତ୍ର ଏଣିକି ସ୍ୱଳ୍ପ ବ୍ୟୟରେ ରୋଗୀମାନେ ଏହି ଚିକିତ୍ସା ସେବା ପାଇପାରିବେ। ସେହିଭଳି ଥାଇରଏଡ୍‌ ଚିକିତ୍ସା କ୍ଷେତ୍ରରେ ନାଭିକୀୟ କେନ୍ଦ୍ରରେ ଲଗାଯାଇଥିବା ଗାମା କ୍ୟାମେରା କିଡ୍‌ନି, ହାର୍ଟ, ବୋନ୍‌, ଲିଭର୍‌, ବ୍ରେନ୍‌ ଭଳି ଗୁରୁତ୍ୱପୂର୍ଣ ଅଙ୍ଗରେ ହେଉଥିବା ରୋଗ ନିରୂପଣ କରିବ। ଓଡ଼ିଶାରେ ମାତ୍ର ୨ଟି କର୍ପୋରେଟ୍‌ ହସ୍ପିଟାଲରେ ଏହି କ୍ୟାମେରା ରହିଛି। ରୋଗୀମାନେ ଏଥିପାଇଁ ବହୁ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ଏଣିକି ଏମ୍‌ସରେ ସ୍ୱଳ୍ପ ଖର୍ଚ୍ଚରେ ରୋଗୀମାନଙ୍କୁ ଏହି ଚିକିତ୍ସା ସେବା ମିଳିବ। ସହକାରୀ ପ୍ରଫେସର କହ୍ନେୟାଲାଲ୍‌ ଅଗ୍ରଓ୍ଵାଲ୍‌ଙ୍କ ସୂଚନାନୁସାରେ ଏହି କ୍ୟାମେରାର ଦାମ୍‌ ୪ କୋଟି ଟଙ୍କା ଓ ଏଥିରେ ନିହାତି ସମ୍ବେଦନଶୀଳ ଅଙ୍ଗର ନିଭୃତ ଅଂଶରୁ ଫଟୋ ଚିତ୍ର ଉତ୍ତୋଳନ(ମଲ୍ୟୁକୁଲାର ଇମେଜିଂ) ହୋଇପାରୁଥିବାରୁ ରୋଗ ନରୂପଣ ପୂରାପୂରି ଠିକ୍‌ ହୋଇଥାଏ। ଫଳରେ ଏଭଳି ଗୁରୁତ୍ୱପୂର୍ଣ ଅଂଗରେ କ୍ୟାନ୍‌ସର ହେଲେ ତାହାକୁ ଚିହ୍ନଟ କରିବା ସହଜ ହୋଇଥାଏ ଓ ରୋଗ ଅନ୍ୟ ଅଂଶକୁ ବ୍ୟାପିବା ଆଗରୁ ଚିକିତ୍ସା କରାଯାଇଥାଏ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏମ୍‌ସ ପରିସରରେ ସମ୍ପର୍କୀୟମାନଙ୍କ ପାଇଁ ନିର୍ମିତ ଏକ ବିଶାଳ ବିଶ୍ରାମ ଗୃହକୁ ମଧ୍ୟ ଲୋକାର୍ପଣ କରିଥିଲେ। ପରେ ଏମ୍‌ସରେ ଜାତୀୟସ୍ତରରେ ଭେଷଜ ମହାବିଦ୍ୟାଳୟମାନଙ୍କୁ ନେଇ ଚାଲିଥିବା ରଙ୍ଗାରଙ୍ଗ କାର୍ଯକ୍ରମ ‘କାଏଜ୍ମା’ରେ ଅତିଥିଭାବେ ଯୋଗ ଦେଇଥିଲେ। ନିର୍ଦେଶକ ଗୀତାଂଜଳି ବାତ୍ମାଁବାନୋ, ଡିନ୍‌ ପ୍ରଫେସର ବିକାଶ ଭାଟିଆ, ଅଧୀକ୍ଷକ ପ୍ରଫେସର ସଚିଦାନନ୍ଦ ମହାନ୍ତି , ଡିଡିଏ ପିକେ ରାୟ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ଆନ୍ତଃମହାବିଦ୍ୟାଳୟସ୍ତରୀୟ ଅତିରିକ୍ତ ସହ ଶିକ୍ଷଣ କାର୍ଯ୍ୟକ୍ରମରେ ଭାରତର ସମସ୍ତ ଏମ୍‌ସ ସହ ବିଭିନ୍ନ ସରକାରୀ ମେଡିକାଲ କଲେଜରୁ ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହ ସଂଗୀତ, ବକ୍ତତା, ପ୍ରବନ୍ଧ, କୁଇଜ୍‌ ଓ ନୃତ୍ୟ ଗୀତ ଆଦି ପ୍ରତିଯୋଗିତାରେ ଭାଗ ନେବେ। ଗୁରୁବାର ସନ୍ଧ୍ୟାରେ ପଦ୍ମଶ୍ରୀ ବିଶ୍ୱମୋହନ ଭଟ୍ଟ ଏହି ଉତ୍ସବରେ ଯୋଗ ଦେଇ ବଂଶୀ ବାଦନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅର୍ମାନ୍‌ ମଲିକ ଓ ଅଜିମ୍‌ ବାନାଟ୍‌ଓ୍ଵାଲାଙ୍କ ଭଳି ପ୍ରଖ୍ୟାତ ସଂଗୀତଜ୍ଞମାନେ ସେମାନଙ୍କର ଜଲଓ୍ଵା ପ୍ରଦର୍ଶନ କରିବେ।

ସମ୍ବନ୍ଧିତ ଖବର