ଭୁବନେଶ୍ବର: ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼ ଆସିଛି। ୩୪ ନମ୍ବର ୱାର୍ଡର ଜଣେ ସ୍ଵଛସାଥି ରେବତୀ ରାଉତଙ୍କୁ ଅତିରିକ୍ତ କମିସନର ରତ୍ନାକର ସାହୁ ଚାକିରୀ ନେଇଯିବାର ଭୟ ଦେଖାଇବା ସହ ଖରାପ ବ୍ୟବହାର କରିଥିଲେ। ଯେଉଁଥିପାଇଁ ରେବତୀ,

Advertisment

ଅତିରିକ୍ତ କମିସନରଙ୍କ ବିରୁଦ୍ଧରେ ଖାରବେଳେ ନଗର ଥାନାରେ ଏତଲା ଦେଇଥିଲେ। ଏ ବାବଦରେ ସ୍ୱଚ୍ଛସାଥି ମୋ ସହିତ ଆଲୋଚନା କରିଥିଲେ, ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ମୁଁ ଅତିରିକ୍ତ କମିସନରଙ୍କୁ ଫୋନ କରିଥିଲି। ସେ ଫୋନରେ ମୋତେ ଅଶାଳୀନ ବ୍ୟବହାର କରିଥିଲେ। 

ଏହା ପରେ ୱାର୍ଡରେ କାମ କରୁଥିବା କର୍ମୀମାନେ ଅତିରିକ୍ତ କମିସନରଙ୍କୁ ସାକ୍ଷାତ କରି ପଚାରିବାକୁ ଯାଇଥିଲେ । ହେଲେ ଦଳୀୟ କର୍ମୀମାନଙ୍କୁ ଅତିରିକ୍ତ କମିସନର ଦୁର୍ବ୍ୟବହାର କରିଥିଲେ। ଏହାପରେ ଯେଉଁ ଘଟଣା ଘଟିଛି ତାହା ଦୁଃଖଦାୟକ, ମୁଁ ଏହାକୁ ନିନ୍ଦା କରୁଛି ବୋଲି 

ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ଘଟଣାରେ ଦଳୀୟ କର୍ମୀଙ୍କ ସଂପୃକ୍ତି ରହିଛି ବୋଲି  ନିଜେ ଜଗନ୍ନାଥ ପ୍ରଧାନ କହିଛନ୍ତି। ଗୋଟେ ହାତରେ କେବେ ବି ତାଳି ବାଜେନି। ଜଣେ ସରକାରୀ ଅଧିକାରୀ ଭାବେ ସେ ମଧ୍ୟ ସାଧାରଣ ଲୋକଙ୍କୁ ବ୍ୟବହାର ଖରାପ କରିଛନ୍ତି। ଯାହାର ପ୍ରଭାବରେ ଏପରି ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ ଏହାକୁ ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସେମାନଙ୍କ ମଧ୍ୟରୁ କିଛି ଜଣ ଗିରଫ ମଧ୍ୟ ହୋଇଛନ୍ତି। ଘଟଣାର ଏବେ ତଦନ୍ତ ଚାଲିଛି ବୋଲି ଜଗନ୍ନାଥ କହିଛନ୍ତି। ସେହିଭଳି ଆଜିର ଦିନରେ ସରକାରୀ ଅଧିକାରୀଙ୍କ ବିଜେଡି ପ୍ରୀତି ଛାଡ଼ିନି ବୋଲି ଜଗନ୍ନାଥ ପ୍ରଧାନ କହିଛନ୍ତି। ଯେଉଁଠି ଜନପ୍ରତିନିଧି ମାନଙ୍କୁ ସମ୍ମାନ ଦିଆଯାଉନହିଁ ସେଠି ସାଧାରଣ ନାଗରିକ ଉପରେ କଣ ବିତୁଥିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ଏହାକୁ ବରଦସ୍ତ କରିବେ ନାହିଁ। ଉଚିତ୍ ସମ୍ମାନ ନଦିଆ ଗଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଅନ୍ୟପଟେ ଏହି ଘଟଣାକୁ ନିର୍ବାଚନରେ ହାରିବା ପରେ ମାନସିକ ସନ୍ତୁଳନ ହରାଇ ବିଜେଡି ରାଜନୀତି କହୁଛି ବୋଲି ସେ କହିଛନ୍ତି। 

ଏହା ସହିତ ଭୁବନେଶ୍ୱର ମହାନଗର ନିଗମ ନାମରେ ବଡ଼ ଅଭିଯୋଗ ଆଣିଛନ୍ତି ଜଗନ୍ନାଥ ପ୍ରଧାନ। ସେ କହିଛନ୍ତି ଯେ, ଦୁର୍ବ୍ୟବହାର ଘଟଣା ବେଳେ ସିସିଟିଭି ଚେକ୍ କରାଯାଉ। ଗୋଟେ ହାତରେ କେବେ ବି ତାଳି ବାଜେନାହିଁ। ପ୍ରଥମେ ସରକାରୀ ଅଧିକାରୀଙ୍କ ଦୁର୍ବ୍ୟବହାରରେ ଉତ୍ୟକ୍ତ ହୋଇ ଦଳର ପିଲା ତାଙ୍କୁ ଆକ୍ରମଣ କରିଥିଲେ। ସେତେବେଳେ ସମାନ ଜାଗାରେ ମେୟରଙ୍କ ସୁରକ୍ଷାକର୍ମୀ ଉପସ୍ଥିତ ରହିଥିଲେ।

ଏପରିକି ବିଏମସି ଅଫିସର ସୁରକ୍ଷାକର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ। ହେଲେ ସମସ୍ତେ ଭିଡିଓ କରୁଥିଲେ। ଏପରି କରିବା ପାଇଁ ମେୟରଙ୍କ ନିର୍ଦ୍ଦେଶ ଥିଲା ତେବେ ସେହି ଭିଡିଓକୁ ହିଁ ମେୟର ଗଣମାଧ୍ୟମକୁ ପଠାଇଛନ୍ତି ବୋଲି ଜଗନ୍ନାଥ ପ୍ରଧାନ ଅଭିଯୋଗ କରିଛନ୍ତି।  

ଏନେଇ ସ୍ବଚ୍ଛସାଥି ରେବତୀ ରାଉତ କହିଛନ୍ତି, ମୁଁ ୩୪ ନମ୍ୱର ୱାର୍ଡରେ ସ୍ଵଛସାଥି ଭାବେ ସଫେଇ ଦାୟିତ୍ୱରେ ଅଛି। ମିସନ ଶକ୍ତିରେ କାମ କରୁଥିବାରୁ, ସରକାରୀ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ନେବା ଦାୟିତ୍ୱ ବହନ କରିଥାଏ। ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲୋକ ନେଇ ଯିବାକୁ ମୋତେ ୩୪ ନମ୍ବର ୱାର୍ଡର କର୍ପୋରେଟର କହିଥିଲେ।

ମୁଁ ତାଙ୍କ କଥା ନ ମାନିବାରୁ ମୋ ନାଁରେ ମିଛ ଅଭିଯୋଗ ଆଣିଲେ ଏବଂ ଚାକିରୀ ନେଇଯିବାର ଧମକ ଦେଲେ। ଏହାପରେ ମୋତେ ଅତିରିକ୍ତ କମିସନର କର୍ପୋରେଟରଙ୍କ ଉପସ୍ଥିତିରେ ତାଙ୍କ ଚାମ୍ବରକୁ ଡକାଇଥିଲେ। ସେଠାରେ ଅତିରିକ୍ତ କମିସନର ମୋତେ ଅଯଥା ଗାଳିଗୁଲଜ କରିବା ସହ ମୋ ନାମରେ କାମ ନ କରିବା, ଲାଞ୍ଚ ନେବା ଭଳି ମିଛ ଅଭିଯୋଗ ଆଣିଥିଲେ। ଚାକିରୀ ନେଇଯିବେ ବୋଲି ଖୋଲାଖୋଲି ଧମକ ଦେଇଥିଲେ।

କର୍ପୋରେଟରଙ୍କ ସ୍ଵାମୀଙ୍କ ସହ ସାଲିସ କରି କାମ କରିବାକୁ ରତ୍ନାକର ସାର୍ ମୋତେ କହିଥିଲେ। ଏକଥା ମୁଁ ଜଗା ଭାଇଙ୍କୁ ଜଣାଇଥିଲି ଏବଂ ଅତିରିକ୍ତ କମିସନରଙ୍କ ଏଭଳି ବ୍ୟବହାର ବିରୁଦ୍ଧରେ ମୁଁ ଗତକାଲି ପୂର୍ବାହ୍ନ ୧୦ଟା ସମୟରେ ଏତଲା ଦେଇଥିଲି ବୋଲି ସେ କହିଛନ୍ତି।