ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ର କନିଷ୍ଠ ଯନ୍ତ୍ରୀ ଫିଲଟର କୁମାର ମୁର୍ମୁଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ମୋବାଇଲ ବିସ୍ଫୋରଣ ନୁହେଁ, ପତ୍ନୀ କିରାସିନି ଢାଳି ତାଙ୍କୁ ଜାଳି ଦେଇଥିବା ପୁଲିସ ସ୍ପଷ୍ଟ କରିଛି। ମୃତ ଫିଲଟରଙ୍କ ବାପା ଦିବାକର ମୁର୍ମୁ ଏନେଇ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଫିଲଟରଙ୍କ ପତ୍ନୀ ଅଭିଯୁକ୍ତ ପାଣିମନି ହେମ୍ବ୍ରମକୁ ଗିରଫ କରିଛି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଭାଟଛତର ଗାଁର ଫିଲଟର ୨୦୦୫ ଅଗଷ୍ଟ ୨୨ରେ ଜିପିଟିଏ ଭାବେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ରେ ନିଯୁକ୍ତି ପାଇଥିଲେ। ୨୦୧୮ ସେପ୍ଟେମ୍ବର ୨୨ରେ ସେ କନିଷ୍ଠ ଯନ୍ତ୍ରୀ ଭାବେ ତେଲକୋଇ ବ୍ଲକ୍ରେ ନିଯୁକ୍ତ ହୋଇଥିଲେ।
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳର ପାଣିମନିଙ୍କୁ ବିବାହ କରିଥିଲେ। ଉଭୟ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁରରେ ଘରଭଡ଼ା ନେଇ ରହୁଥିଲେ। ବିବାହର ବହୁବର୍ଷ ପରେ କୌଣସି ସନ୍ତାନ ନଥିବାରୁ ଉଭୟଙ୍କ ସମ୍ପର୍କ ଭଲ ନଥିଲା। ଗତ ୧୮ ତାରିଖ ରାତି ୧୨ଟାବେଳେ ଫିଲଟର ଭୁବନେଶ୍ବରରୁ ଘରକୁ ଫେରିଥିଲେ। ଭୋର୍ରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେନ୍ଦୁଝର ଡାକ୍ତରଖାନା ନିଆଯାଇଥିଲା। ଖଟ ଉପରେ ପଡ଼ିଥିବା ମୋବାଇଲ୍ଟି ପୋଡ଼ି ଯାଇଥିବାରୁ ମୋବାଇଲ ବିସ୍ଫୋରଣରେ ସେ ଗୁରୁତର ହୋଇଥିବା ସନ୍ଦେହ କରାଯାଉଥିଲା। ତେବେ, ୨୦ ତାରିଖରେ ଫିଲଟରଙ୍କ ବାପା ଦିବାକର ମୁର୍ମୁ କେନ୍ଦୁଝର ଟାଉନ ଥାନାରେ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ପୁଅବୋହୂଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା। ବୋହୂ ପାଣିମନି ସ୍ବାମୀ ଫିଲଟରଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ବାହାର ପଟୁ କବାଟ ବନ୍ଦ କରିଦେଇଥିବା ସେ ଅଭିଯୋଗ କରିଥିଲେ।
ଦିବାକରଙ୍କ ଅଭିଯୋଗ ପରେ କେନ୍ଦୁଝର ଟାଉନ ଥାନା ପୁଲିସ କଟକ ବଡ଼ଡାକ୍ତରଖାନା ଯାଇ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଫିଲଟରଙ୍କ ବୟାନ ରେକର୍ଡ କରିଥିଲା। ଗତକାଲି ରାତିରେ ଫିଲଟରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏନେଇ କେନ୍ଦୁଝର ଟାଉନ ଥାନାରେ କେସ୍ ନମ୍ବର ୧୩୮/୨୦୨୪ ଦଫା ୪୩୬, ୩୦୭, ୩୨୬ ଓ ୩୦୨ରେ ମାମଲା ରୁଜୁ ହୋଇଛି। ଫିଲଟରଙ୍କ ପତ୍ନୀ ପାଣିମନିଙ୍କୁ ଗିରଫ କରାଯାଇଥିବା ଆଇଆଇସି ରମାକାନ୍ତ ସଏ କହିଛନ୍ତି। ପାଣିମନି ଏବେ ତିନିମାସର ଅନ୍ତଃସତ୍ତ୍ବା ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଆଜି ସକାଳେ ତେଲକୋଇ ବ୍ଲକ୍ ସଭାଗୃହରେ ବିଡିଓ ଗୀତା ମୁର୍ମୁଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ବ୍ଲକ୍ କର୍ମଚାରୀମାନେ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିଥିଲେ।