ରା.ଉଦୟଗିରି/ପାରଳାଖେମୁଣ୍ଡି: ଗଜପତିଜିଲ୍ଲା ରାମଗିରି ଥାନା ତୁଳସୀନଗର ଗାଁ ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଥିବା ଛତୁଆ ଖାଇ ୨ ଶିଶୁକନ୍ୟା ପ୍ରାଣ ହରାଇବା ଓ ୨ ଜଣ ଅସୁସ୍ଥ ହେବା ଘଟଣାରେ ଆଜି ଦିନସାରା ପୁଲିସ ଓ ପ୍ରାଶାସନିକ ଟିମ୍ ଖୋଳତାଡ଼ କରିଛି। ଗଜପତି ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ରା.ଉଦୟଗିରି ତହସିଲଦାର ଜ୍ୟୋତିର୍ମୟ ଦାସ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ମନୋରମା ଦେବୀ, ରା.ଉଦୟଗିରି ସିଡିପିଓ ଲଳିତା ପୂଜାରୀ, ଫୁଡ଼୍ ଇନ୍ସପେକ୍ଟର ପ୍ରମୁଖ ଆଜି ରାମଗିରି ଯାଇ ବିଭିନ୍ନ ଦିଗରୁ ତଦନ୍ତ କରିଛନ୍ତି। ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। କିଛି ଛତୁଆ ପ୍ୟାକେଟ୍ର ନମୁନା ଓ ପୀଡ଼ିତ ପରିବାରଙ୍କ ଘରେ ରନ୍ଧା ଯାଇଥିବା ଛତୁଆ ସଂଗ୍ରହ ହୋଇଛି। ଘଟଣା ପରେ ପୀଡ଼ିତ ପରିବାର ଏହି ରନ୍ଧା ଛତୁଆକୁ ଗୋବର ଗଦାରେ ପୋତି ଦେଇଥିଲେ। ଏହାକୁ ମଧ୍ୟ ଫୁଡ୍ ଇନ୍ସପେକ୍ଟର ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି।
ପରୀକ୍ଷା ପାଇଁ ଗଲା ଖାଦ୍ୟ ନମୁନା
ଛତୁଆ ନୁହେଁ, ୨୩ ପିଲା ପ୍ରି-ମିକ୍ସ ଖାଦ୍ୟ ଖାଇଛନ୍ତି: ଜିଲ୍ଲାପାଳ
ପୁଲିସ, ଡାକ୍ତରୀ ଟିମ୍, ପ୍ରାଶାସନିକ ଅଧିକାରୀଙ୍କ ଖୋଳତାଡ଼
ପରୀକ୍ଷଣ ରିପୋର୍ଟ ଆସିଲେ ଏଥିରେ କଣ ମିଶା ଯାଇଥିଲା, ଜଣାପଡ଼ିବ ବୋଲି କୁହାଯାଇଛି। ଏହାସହ ପ୍ରାଶାସନିକ ଅଧିକାରୀ ହାଟପଦାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ପାରିପାର୍ଶ୍ୱିକ ସ୍ଥିତି ପରଖିଛନ୍ତି। ତେବେ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ସୂଚନା ମୁତାବକ, ପୀଡ଼ିତ ପରିବାରର ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ କୌଣସି ଛତୁଆ ଦିଆଯାଇ ନଥିଲା। ଏହା ଏକ ପ୍ରି-ମିକ୍ସ ଖାଦ୍ୟ, ଅଟା ଓ ବେସନର ମିଶ୍ରଣ ଥିଲା। ଏହା କେବଳ ଶରୀର ଓଜନ କମ୍ ଥିବା ପିଲାଙ୍କୁ ଦିଆଯାଏ। ଏହି ଖାଦ୍ୟ ସେଦିନ କେନ୍ଦ୍ରର ସମୁଦାୟ ୨୩ ଜଣ ଶିଶୁଙ୍କୁ ଦିଆଯାଇଥିଲା। ୨୦ଜଣ ଶିଶୁଙ୍କୁ କିଛି ହୋଇନଥିବା ବେଳେ ଗୋଟିଏ ପରିବାରର ୪ ଜଣ ଏହାକୁ ଖାଇ ଅସୁସ୍ଥ ହେବା ପଛର କାରଣ କ’ଣ ହୋଇପାରେ ତାର ତଦନ୍ତ ଚାଲିଛି। ଶିବଶଙ୍କର ବଡମୁଣ୍ଡିଙ୍କ ପ୍ରଥମ ସ୍ତ୍ରୀର ଝିଅ ତୁଳସୀ ଓ ତାଙ୍କ ୨ ଭଉଣୀ ଗୁଣମତି (୩ ବର୍ଷ), ସୁମିତ୍ରା (୧୨ ବର୍ଷ) ଓ ବାପା ଅର୍ଜୁନ ଏହି ଖାଦ୍ୟ ଖାଇ ଗୁରୁତର ହୋଇଥିଲେ। ତେଣୁ ଶିବଶଙ୍କରଙ୍କ ଦ୍ବିତୀୟ ପତ୍ନୀଙ୍କ ଭୂମିକା ନେଇ ତଦନ୍ତକାରୀ ଟିମ୍ର ସନ୍ଦେହ ବଢ଼ିଛି। ଏହି କାରଣରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଆଜି ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତରୀ ଟିମ୍ ଓ ପ୍ରାଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସାବତ ମା’ଙ୍କୁ ପଚରାଉଚରା କରାଯାଇଛି। ଏପଟେ ଶବ ବ୍ୟବଚ୍ଛେଦ ପରେ ଦୁଇ ଶିଶୁ କନ୍ୟାଙ୍କ ମୃତ ଶରୀର ହସ୍ତାନ୍ତର ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଭିସେରା ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପ୍ରଶାସନ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଗତକାଲି ଶିବଶଙ୍କର ଝିଅ ତୁଳସୀ, ଦୁଇ ଭଉଣୀ ଗୁଣମତି ଓ ସୁମିତ୍ରା ଏବଂ ବାପା ଅର୍ଜୁନ ଅଙ୍ଗନବାଡ଼ିରୁ ମିଳିଥିବା ଅଟା ଓ ବେସନର ପ୍ରି-ମିକ୍ସ ଖାଇଥିଲେ। ଏଥିରେ ଝିଅ ତୁଳସୀ ଓ ଭଉଣୀ ଗୁଣମତିଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ଭଉଣୀ ସୁମିତ୍ରା ଓ ବାପା ଅର୍ଜୁନ ବର୍ତ୍ତମାନ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନା ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/baby.jpg)