ଭୁବନେଶ୍ବର : କରୋନା ସମୟରେ ଘରୋଇ ସ୍କୁଲ ଫି’ ହ୍ରାସକୁ ନେଇ ପୁଣିଥରେ ବିବାଦ ମୁଣ୍ଡ ଟେକିଛି। ସୁପ୍ରିମ୍‌କୋର୍ଟଙ୍କ ରାୟ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ପୁନଶ୍ଚ ଏକ ବିଜ୍ଞପ୍ତି ଜାରି କରିଛି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ଯେଉଁ ବିଦ୍ୟାଳୟଗୁଡ଼ିକ ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ(ରାଜିନାମା)ରେ ସ୍ବାକ୍ଷର କରିଥିଲେ, ତାହା ବଳବତ୍ତର ରହିବ। ସ୍ବାକ୍ଷର କରି ନଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ୧୫ ପ୍ରତିଶତ ଫି’ ହ୍ରାସ କରିବେ। ୨୦୧୯-୨୦ ଶିକ୍ଷାବର୍ଷରେ ସ୍କୁଲ କର୍ତୃପକ୍ଷ ଯେତିକି ଫି’ ଆଦାୟ କରୁଥିଲେ, ୨୦୨୦-୨୧ ଶିକ୍ଷାବର୍ଷରେ ତା’ଠାରୁ ୧୫% କମ୍‌ ଫି’ ଆଦାୟ କରିବାକୁ କୁହାଯାଇଛି। ଯେଉଁ ଅଭିଭାବକ ସମ୍ପୂର୍ଣ୍ଣ ସ୍କୁଲ ଫି’ ଦାଖଲ କରିସାରିଛନ୍ତି, ସେମାନଙ୍କୁ ପରବର୍ତ୍ତୀ କିସ୍ତିରେ ସ୍କୁଲ କର୍ତୃପକ୍ଷ ରିହାତି ଦେବେ। ସମସ୍ତ ଅଂଶୀଦାର ଏହି ନିର୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବେ। ଅଭିଭାବକ ମହାସଂଘ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏହି ନିୟମକୁ ଶୃଙ୍ଖଳିତ ଢଙ୍ଗରେ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Advertisment

ଅନ୍ୟପକ୍ଷରେ ଗଣଶିକ୍ଷା ବିଭାଗର ବିଜ୍ଞପ୍ତିକୁ ନେଇ ଓଡ଼ିଶା ଅଭିଭାବକ ମହାସଂଘ ପ୍ରଶ୍ନ ଉଠାଇଛି। ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ କେଉଁ ଫି’ ଉପରେ ୧୫% ଛାଡ଼ ହେବ, ତାହା ନିଶ୍ଚିତ କରାଯାଉ। କାରଣ ଗତଥର ଟ୍ୟୁସନ୍‌ ଫି’ ଉପରେ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଥିଲା। ସ୍କୁଲ ଖୋଲିବା ପଯ୍ୟନ୍ତ ଏହି ବିଜ୍ଞପ୍ତି ବଳବତ୍ତର ରହିବା କଥା। ତାହାକୁ ନ ଲେଖି କେବଳ ୨୦୨୦-୨୧ ବର୍ଷ ଲାଗି ଉଲ୍ଲେଖ କରାଗଲା, ତାହା ଜଣାପଡ଼ୁ ନାହିଁ। ଏଥିରୁ ଜଣାପଡ଼ୁଛି ଯେ ୨୦୨୧-୨୨ ଶିକ୍ଷାବର୍ଷରେ ସ୍କୁଲ କର୍ତୃପକ୍ଷ ସମ୍ପୂର୍ଣ୍ଣ ଫି’ ଆଦାୟ କରିବେ। ଏଭଳି ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ସ୍କୁଲଗୁଡ଼ିକ କୌଣସି ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରୁ ନିବୃତ୍ତ କରିପାରିବେ ନାହିଁ, ପରୀକ୍ଷାରୁ ବଞ୍ଚିତ କରିପାରିବେ ନାହିଁ, କ୍ଲାସ ପ୍ରମୋସନରୁ ମଧ୍ୟ ବଞ୍ଚିତ କରିପାରିବେ ନାହିଁ, ଯେଉଁମାନେ ନ ମାନିବେ ତାଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ସେନେଇ ବିଜ୍ଞପ୍ତିରେ ଉଲ୍ଲେଖ କରିବାକୁ ମହାସଂଘ ଦାବି କରିଛି।