ଯୋଗଦେଲେ ଓୟୁଏଟିର, ନୂଆ କୁଳପତି

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଥିବା‌ ନୂଆଦିଲ୍ଲୀସ୍ଥିତ ଆଇସିଏଆର୍‌ ସହକାରୀ ଉପ-ମହାନିର୍ଦ୍ଦେଶକ ଡ଼. ପବନ କୁମାର ଅଗ୍ରୱାଲ ଆଜି କାର୍ଯ୍ୟ‌ରେ ଯୋଗଦେଇଛନ୍ତି। ପୂର୍ବାହ୍ନରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଅପରାହ୍‌ଣରେ କୁଳପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହ ଓୟୁଏଟିର ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣକୁ କିଭଳି ବ୍ୟାପକ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରେ ୧୯୬୪ରେ ଜନ୍ମ ଗ୍ରହଣ କରିଥିବା ଡ. ଅଗ୍ରୱାଲ ଓୟୁଏଟିରୁ କୃଷି ବିଜ୍ଞାନରେ ସ୍ନାତ୍ତକ ଡିଗ୍ରି ହାସଲ କରିଥିଲେ। ଏହାପରେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ପି.ଏଚଡି ଡିଗ୍ରି ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତ୍ତକ ଡିଗ୍ରି ହାସଲ କରିଛନ୍ତି। ଜାତୀୟ କୃଷି ଗବେଷଣା ପରିଚାଳନା ପ୍ରତିଷ୍ଠାନ, ହାଇଦ୍ରାବାଦରୁ ବୈଜ୍ଞାନିକ ଭାବେ ଡ. ଅଗ୍ରୱାଲ ନିଜ କର୍ମମୟ ଜୀବନ ଆରମ୍ଭ କରି ଆଇସିଏଆର, ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଭଳି ଅନୁଷ୍ଠାନଗୁଡ଼ିକରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର