ଭୁବନେଶ୍ବର/ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପାଇଁ ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଉଭୟ ବିଶ୍ବବିଦ୍ୟାଳୟର ଚୂଡ଼ାନ୍ତ ତାଲିକାରେ ଥିବା ଆଶାୟୀ ପ୍ରଫେସରମାନଙ୍କ ସାକ୍ଷାତକାର ନେବା ପରେ ଆଇଆଇଟି ରୁର୍କିରେ କାର୍ଯ୍ୟରତ ପ୍ରଫେସର ଗୋବିନ୍ଦ ଯୋଶେଫ ଚକ୍ରପାଣିଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ହରିହର ହୋତାଙ୍କୁ ଉକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି।
ବ୍ରହ୍ମପୁର ନିର୍ବାସୀ ପ୍ରଫେସର ଚକ୍ରପାଣି ୨୦୦୮ ଏପ୍ରିଲ ୧୫ରୁ ଉତ୍ତରାଖଣ୍ଡର ରୁର୍କିରେ ଅଧ୍ୟାପନା କରୁଛନ୍ତି। ୨୭ ବର୍ଷ ଧରି ସେ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେ ମୁଖ୍ୟତଃ ଜଳ, ବାୟୁ ଏବଂ ମୃତ୍ତିକା, ବିଶ୍ବ ପରିବେଶ ଓ ପୃଥିବୀର ବିଭିନ୍ନ ଉତ୍ସ ସମ୍ପର୍କରେ ଗବେଷଣା କରିଛନ୍ତି। ୧୯୬୩ ମେ’ ୧୮ରେ ଜନ୍ମିତ ପ୍ରଫେସର ଚକ୍ରପାଣି ଆମେରିକାର ଡେଲାୱର ବିଶ୍ୱବିଦ୍ୟାଳୟରୁ ମେରାଇନ୍ ସାଇନ୍ସରେ ପୋଷ୍ଟ ଡକ୍ଟରେଟ୍, ଜେଏନ୍ୟୁରୁ ଜିଓସାଇନ୍ସରେ ପିଏଚ୍ଡି ଓ ଏନଭର୍ଣ୍ଣମେଣ୍ଟାଲ ସାଇନ୍ସରେ ଏମ୍ଫିଏଲ୍, ବମ୍ବେ ଆଇଆଇଟିରୁ ଏମ୍. ଏସ୍ସି ଡିଗ୍ରି ହାସଲ କରିଛନ୍ତି। ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରମୁଖ ପଦ ପଦରେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନା କରିଛନ୍ତି। ଫ୍ରାନ୍ସ, ଜର୍ମାନୀ, ସାଙ୍ଘାଇ, ଚୀନ, ତାଇପେଇ, ତାଇୱାନ, ସ୍ବିଡେନ୍ ପରି ଦେଶରେ ଅନୁଷ୍ଠିତ ଅନ୍ତର୍ଜାତୀୟସ୍ତରର ଆଲୋଚନାଚକ୍ର, କର୍ମଶାଳାରେ ଭାଗ ନେଇଛନ୍ତି। ତାଙ୍କ ଦ୍ବାରା ୭୮ଟି ପବ୍ଲିକେସନ୍ସ, ୫୫ଟି ଜାତୀୟସ୍ତରୀୟ ଓ ୧୭ଟି ଅନ୍ତର୍ଜାତୀୟସ୍ତରର ଲେଖା ପ୍ରକାଶ ପାଇଛି। ତାଙ୍କ ଅଧୀନରେ ୧୪ ଜଣ ଛାତ୍ରଛାତ୍ରୀ ପିଏଚ୍ଡି କରିଥିବା ବେଳେ ୨୯ ଜଣ ଏମ୍ ଫିଲ୍ ଓ ୨୦ ଜଣ ଏମ୍.ଏସ୍ସି କରିଛନ୍ତି।
ସେହିପରି ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ପ୍ରଫେସର ହୋତା ୨୦୧୭ ସେପ୍ଟେମ୍ବର ୩୦ରୁ ପିଜି କାଉନସିଲ୍ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। ପ୍ରଫେସର, ରିଡର ଓ ଅଧ୍ୟାପକ ଭାବେ କାର୍ଯ୍ୟଭାର ତୁଲାଇଛନ୍ତି। ପ୍ରଫେସର ହୋତା ପଞ୍ଜାବ ବୈଷୟିକ ବିଶ୍ୱବିଦ୍ୟାଳୟରୁ ଏମ୍ବିଏ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି, ଆଚାର୍ଯ୍ୟ(ଏମ୍ଏ) ଶିକ୍ଷାଲାଭ କରିଛନ୍ତି। ତାଙ୍କ ଅଧୀନରେ ୧୫ ଜଣ ଛାତ୍ରଛାତ୍ରୀ ପିଏଚ୍ଡି ଓ ୫୫ ଜଣ ଏମ୍ ଫିଲ୍ କରି ଡିଗ୍ରି ହାସଲ କରିଛନ୍ତି। ବିଶ୍ବବିଦ୍ୟାଳୟକୁ ନାକ୍ ‘ବି+’ ଗ୍ରେଡ୍ ମାନ୍ୟତା ମିଳିବା ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ତାଙ୍କ ଦ୍ବାରା ଅନେକ ପୁସ୍ତକ ପ୍ରକାଶିତ ହୋଇଛି। ସେ ୧୦ଟି ପୁସ୍ତକ ଓ ମାଗାଜିନ୍ ସମୀକ୍ଷା କରିଛନ୍ତି। ତାଙ୍କର ୧୦୦ରୁ ଅଧିକ ଲେଖା ମଧ୍ୟ ବିଭିନ୍ନ ପତ୍ରପତ୍ରିକା ଓ ରିସର୍ଚ୍ଚ ଜର୍ଣ୍ଣାଲ୍ରେ ପ୍ରକାଶ ପାଇଛି।