ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟମାନଙ୍କର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଆଜି ପ୍ରଫେସର ଉମାବଲ୍ଲଭ ମହାପାତ୍ର ଏବଂ ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କୁ ଯଥାକ୍ରମେ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୦ ର ଉପ-ଧାରା (୭) ସହିତ ଉପ-ଧାରା (୧) ଦ୍ୱାରା ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି କୁଳାଧିପତି ପ୍ରଫେସର ଲାଲ ଚାରି ବର୍ଷ ପାଇଁ ଉଭୟଙ୍କୁ ନିଯୁକ୍ତ କରିଛନ୍ତି।

Advertisment

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କର ପ୍ରାୟ ୩୩ ବର୍ଷ ଶିକ୍ଷାଦାନର ଅଭିଜ୍ଞତା ରହିଛି। ସେ ଗୋଟିଏ ପୁସ୍ତକ ରଚନା କରିଛନ୍ତି ଏବଂ ସଫଳତାର ସହିତ ୧୪ଜଣଙ୍କୁ ପିଏଚଡି ଏବଂ ୨୪ଜଣ ଏମଫିଲ ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ସଞ୍ଜୟ କୁମାର ଶତପଥୀ ୧୩ଟି ପାଠ୍ୟ ପୁସ୍ତକ ସମେତ ୨୪ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କର ୩୬ ବର୍ଷରୁ ଅଧିକ ଶିକ୍ଷାଦାନ ଅଭିଜ୍ଞତା ଅଛି ଏବଂ ସେ ୨୦ଟି ପିଏଚଡି ଲାଗି ସଫଳତାର ସହ ଛାତ୍ରମାନଙ୍କୁ ମାର୍ଗଦର୍ଶନ କରିଛନ୍ତି।