ମାଲକାନଗିରି ଜିଲ୍ଲାରେ ନୂଆ ଗ୍ରାମ ନ୍ୟାୟାଳୟ ଉଦ୍‌ଘାଟିତ

କଟକ : ମାଲକାନଗିରି ଜିଲ୍ଲାର କୋରୁକୁଣ୍ଡାଠାରେ ଆଜି ଗ୍ରାମ ନ୍ୟାୟାଳୟ ଉଦ୍‌ଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଭର୍ଚୁଆଲ ବ୍ୟବସ୍ଥାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ନୂଆ ଗ୍ରାମ ନ୍ୟାୟାଳୟକୁ ଉଦ୍‌ଘାଟନ କରିବା ସହିତ କହିଥିଲେ ଯେ କୋରୁକୁଣ୍ଡାରେ ଗ୍ରାମ ନ୍ୟାୟାଳୟ ଖୋଲିବା ମାଲକାନଗିରି ବାସିନ୍ଦାଙ୍କ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ବିଚାର ବ୍ୟବସ୍ଥା ସେମାନଙ୍କ ପାଇଁ କାର୍ଯ୍ୟ କରୁଛି ବୋଲି ମାଲକାନଗିରିର ଜନସାଧାରଣଙ୍କୁ ଏହା ଭରସା ଦେବ।

ଜଷ୍ଟିସ ଏମ.ଏସ.ରମଣ ଯୋଗ ଦେଇ କହିଥିଲେ ଯେ କୋରୁକୁଣ୍ଡା ଭଳି ଉପାନ୍ତ ଅଞ୍ଚଳରେ ଲୋକମାନଙ୍କ ନିକଟରେ ନ୍ୟାୟିକ ବ୍ୟବସ୍ଥା ଉପଲବ୍ଧ କରିବା ପଇଁ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ଏକ ଉଦ୍ୟମ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ଅନ୍ୟ ବିଚାରପତିଙ୍କ ସହିତ, ରେଜିଷ୍ଟ୍ରିର ଅଧିକାରୀ, ମାଲକାନଗିରି ଜିଲ୍ଲା ଓ ଦୌରାଜଜ୍ ଅଜନ୍ତା ଷଡଙ୍ଗୀ, ଜିଲ୍ଲାପାଳ ବିଶାଲ ସିଂ, ଏସପି ନିତେଶ ୱାଧୱାନି, ଜିଲ୍ଲା ବାର୍ ଆସୋସିଏସନ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି, ସଂପାଦକ ନୃସିଂହଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ଟି ଗ୍ରାମ ନ୍ୟାୟାଳୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହା ୧୯ତମ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର