କାଶୀପୁରରେ ରୂପ ବଦଳାଉଛି କଲେରା: ଚିହ୍ନଟ ହେଲା ନୂଆ ଭୂତାଣୁ ଇ-କୋଲାଇ

୨୭ରୁ ୧୭ ନମୁନାରେ ଇ-କୋଲାଇ, ୪ଟିରେ ସିଜୋଲେସିସ୍ ଭୂତାଣୁ

ରାୟଗଡ଼ା: ରୂପ ବଦଳାଉଛି କଲେରା ଭୂତାଣୁ। ଆକ୍ରାନ୍ତଙ୍କ ନମୁନା ପରୀକ୍ଷଣ ସମୟରେ ଚିହ୍ନଟ ହୋଇଛି ନୂଆ ଭୂତାଣୁ ଇ ଡଟ୍ କୋଲାଇ। ଆରଏମଆରସିକୁ ଯାଇଥିବା ୨୭ ନମୁନା ମଧ୍ୟରୁ ୧୭ ନମୁନାରେ ଏହି ନୂଆ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ। ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆପାଙ୍ଗ ଆଓ କାଶୀପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସଂଧ୍ୟାରେ ରାୟଗଡ଼‌ାରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର।

ଗତ ଦୁଇ ଦିନରେ ସଂଗ୍ରହ ହୋଇଥିବା ନମୁନାରେ ନୂଆ ଭୂତାଣୁ ଇ ଡଟ୍ କୋଲାଇ ଏବଂ ସିଜୋଲିସସ୍ ଚିହ୍ନଟ ହୋଇଛି। କଲେରା ଆକ୍ରାନ୍ତଙ୍କ ମଳରେ ଜଳୀୟ ଅଂଶ ଅଧିକ ଯାଉଥିବା ବେଳେ ଇ କୋଲାଇ ଆକ୍ରାନ୍ତଙ୍କ ମଳରେ ରକ୍ତର ପରିମାଣ ଅଧିକ ରହୁଛି। ଯାହା ଆକ୍ରାନ୍ତଙ୍କ ପାଇଁ ଘାତକ ସାଜିବା ସହ ଜୀବନ ନେଉଛି। ପରୀକ୍ଷଣ ପାଇଁ ଯାଇଥିବା ୨୭ ନମୁନା ମଧ୍ୟରୁ ୧୭ ନମୁନାରେ ଇ କୋଲାଇ, ୬ ନମୁନାରେ ଭିବ୍ରିଓ କଲେରା, ୪ଟି ନମୁନାରେ ସିଜୋଲେସିସ୍ ଭୂତାଣୁ ଚିହ୍ନଟ ହୋଇଛି। ନୂତନ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ ଟିମ୍ । ଧୀରେ ଧୀରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୂଆ ଭୂତାଣୁର ମୁକାବିଲା ସ୍ବାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ସଦୃଶ୍ୟ ହୋଇଛି।

କାଶୀପୁର କଲେରା ସ୍ଥିତି ସଙ୍ଗୀନ ହେବାରେ ଲାଗିଥିବାରୁ ଅପରାହଣରେ ଟିକିରି ଓ ଉଷାପଡ଼ା ମେଡ଼ିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ଟି. ଆପାଙ୍ଗ ଆଓ। ଶ୍ରୀ ଆଓ ଆକ୍ରାନ୍ତ ଓ ମୃତକଙ୍କ ପରିବାର ସହ ଆଲୋଚନା କରି ଦୁଡୁକାବାହଲ ଗ୍ରାମକୁ ଯାଇ ଦୂଷିତ କୂଅକୁ ଦେଖିଥିଲେ। ଉକ୍ତ କୂଅକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ବେଳେ ଆଜି ଉକ୍ତ ଗ୍ରାମରେ ନୂତନ ଜଳ ପ୍ରକଳ୍ପର ଖନନ ଆରମ୍ଭ ହୋଇଛି। ଏହା ପରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଆରଡିସିଙ୍କ ଗସ୍ତ ପୂର୍ବରୁ ଜିଲ୍ଲାପାଳ ସ୍ୱଧା ଦେବ ସିଂ କାଶୀପୁର ଗସ୍ତରେ ଯାଇ ପ୍ରଭାବିତ ଗ୍ରାମ ଗୁଡ଼ିକରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଚିକିତ୍ସା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । କୌଣସି ରୋଗୀଙ୍କୁ ତଳେ ସୁଆଇ ଚିକିତ୍ସା କରିବାକୁ ମନା କରିଥିଲେ। ଆବଶ୍ୟକ ପଡିଲେ ଉତ୍କଳର ଉଷାପଡ଼ା ହସପିଟାଲକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

ଏହା ପରେ ଜିଲ୍ଲାପାଳ ଡଙ୍ଗାସିଲ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ଖାଲି ପଡିଥିବା ଫାର୍ମାସିଷ୍ଟ ପଦବି ତୁରନ୍ତ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ମାଳିଝରଣ, କାକୁଡିପଦର ଗସ୍ତ‌ରେ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୦୬ ଟପିଛି। ଦୁଡୁକାବାହଲରୁ ୪୪, ଟିକିରିରୁ ୩୭, ଶଙ୍କରଡ଼ାରୁ ୧୩, ମାଇକଞ୍ଚରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟିକିରି ସ୍ବାସ୍ଥ୍ୟକେନ୍ଦ୍ରରେ ୧୭, ଉଷାପଡ଼ାରେ ୨୮, କାଶୀପୁର ସିଏଚସିରେ ୧୦, କୋରାପୁଟ ମେଡ଼ିକାଲ୍ କଲେଜରେ ଜଣେ ଏବଂ ଘରେ ମେଡ଼ିକାଲ୍ ଟିମ୍ ତତ୍ତ୍ବାବଧାନରେ ୪୮ ଚିକିତ୍ସାଧୀନ ଅଛନ୍ତି। ଇତି ମଧ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର