ଜାନୁଆରି ୧୫ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆସନ୍ତା ଜାନୁଆରି ୧୫ ତାରିଖରେ ୨୦୨୧ ପାଇଁ ନୂଆ ଭୋଟର ତାଲିକା ପ୍ରକାଶ ପାଇବ। ଭୋଟ୍‌ ପରିଚୟ ପତ୍ର ସଂଶୋଧନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଳ କୁମାର ଲୋହାନୀ ଆଜି ଏହି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି ଯେ, ଭୋଟର୍‌ ତାଲିକାରେ ନୂଆ ନାଁ ଯୋଡ଼ିବା, କାଟିବା ଓ ସଂଶୋଧନ ହୋଇ ପାରିବ। ନାଁ ଯୋଡ଼ିବା ପାଇଁ ଫର୍ମ ନଂ ୬, କାଟିବା ପାଇଁ ଫର୍ମ ନଂ ୭ ଓ ସଂଶୋଧନ ପାଇଁ ୮ ନଂ ଫର୍ମ ନେବାକୁ ପଡିବ। ନାମ ଯୋଡ଼ିବାକୁ ପରିଚୟ ଆକାରରେ ଫଟୋ ଓ ବାସସ୍ଥାନର ପ୍ରମାଣପତ୍ର ଦେବାକୁ ପଡ଼ିବ।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ କହିଛନ୍ତି, ଉଭୟ ଅଫଲାଇନ୍‌ ଓ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରାଯାଇ ପାରିବ। ପ୍ରତ୍ୟେକ ଏରିଆରେ ବୁଥ ଲେବଲ ଅଧିକାରୀ ଅଛନ୍ତି। ଲୋକେ ବୁଥ ଲେବଲ ଅଫିସରଙ୍କ ସହ ଯୋଗାଯୋଗ କରି ଫର୍ମ ନେଇପାରିବେ। ବୁଥ ସ୍ତରରେ ବିଏଲ୍‌ଓମାନେ ଡିସେମ୍ବର ୫ ଓ ୬ରେ ରହିବେ। ସେମାନେ ତାଲିକାରେ ଭୋଟରଙ୍କ ନାମ ଯୋଡ଼ିବେ, କାଟିବେ ଓ ସଂଶୋଧନ କରିବେ। ସେହିଭଳି www.nvsp.inରେ ଆବେଦନ କରିପାରିବେ। ମୋବାଇଲ ଆପ୍‌ ‘ଭୋଟର ହେଲ୍‌ପଲାଇନ’ରେ ମଧ୍ୟ ଆବେଦନ କରିପାରିବେ। ଡିସେମ୍ବର ୧୫ ରୁ ଜାନୁଆରି ୫ ମଧ୍ୟରେ ଆବେଦନର ଯାଞ୍ଚ କରାଯିବ।

ସମ୍ବନ୍ଧିତ ଖବର