ଭୁବନେଶ୍ବର: ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ହଠାତ୍ ଦଳ ଛାଡ଼ି ବିଜେପିରେ ମିଶିବା ପରେ ଏବେ ବିଜେଡିର ଚିନ୍ତା ବଢ଼ିଯାଇଛି। ନୂଆପଡ଼ାରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ନବୀନ ନିବାସରେ ଦଳୀୟ ନେତାଙ୍କର ଘନ ଘନ ବୈଠକ ବସୁଛି। ଆଜି ସଂଧ୍ୟାରେ ନବୀନ ରାଜନୈତିକ ବ୍ୟାପାର କମିଟି ବୈଠକ ଡାକିଥିବାବେଳେ ଜୟଙ୍କ ଦଳ ଛାଡ଼ିବାର ପ୍ରଭାବ ଏବଂ କାହାକୁ ପ୍ରାର୍ଥୀ କଲେ ଦଳ ଜିତିବ ସେନେଇ ଆଲୋଚନା ହୋଇଥିଲା।

Advertisment

କାହାକୁ ପ୍ରାର୍ଥୀ କରିବେ ଦଳକୁ ଚିନ୍ତା ଘାରିଛି

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ମୁଖ୍ୟତଃ ନୂଆପଡ଼ା ଉପନିର୍ବାଚନରେ ଦଳ ବିଜେଡିରୁ କାହାକୁ ପ୍ରାର୍ଥୀ କରିବ ନା ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ଆଣିବ ତାହା ଉପରେ ଆଲୋଚନା ହୋଇଥିଲା। ଏପରିକି ଅନ୍ୟ ଦଳରୁ ନେତା ନଆଣି ବି‌ଜେଡିରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ କିଛି ନେତା କହିଥିଲେ। କିନ୍ତୁ କିଛି ଠୋସ୍ ନିଷ୍ପତ୍ତି ନିଆଯାଇପାରିନଥିଲା। ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲେ କିପରି ଶାସକ ଦଳର ଅସନ୍ତୁଷ୍ଟ ନେତାଙ୍କୁ ବି‌େଜଡିରେ ସାମିଲ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏବେ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେପି ପ୍ରାର୍ଥୀ ଘୋଷଣା କରିବା ନେଇ ଦୁଇ ପାଦ ଆଗକୁ ବଢ଼ିଛି। ତେଣୁ ଆଉ ବିଳମ୍ବ ନକରି ଦୁଇରୁ ତିନି ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରିବାକୁ କିଛି ନେତା ନବୀନଙ୍କୁ କହିଛନ୍ତି।