ଦୁୁର୍ଘଟଣାରେ ଗଲା ୬ ଜୀବନ, ବେଳାଭୂମିରେ ୨ ଛାତ୍ର ନିଖୋଜ
ପାତ୍ରପୁର/ମୋହନା/ ହିଞ୍ଜିଳିକାଟୁ/ ଚିକିଟି/ ଗୋଳନ୍ଥରା : ଓଡ଼ିଶା ସନ୍ନିକଟ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ଇଚ୍ଛାପୁର (ଗ୍ରାମାଞ୍ଚଳ ଥାନା) ଅଧୀନ ଲଦାପୁଟ୍ଟି ଗ୍ରାମରେ ଧାନ ଅମଳ ମେସିନ୍ ନେଉଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୩ ଜଣ ମହିଳା ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତକ ମାନେ ହେଲେ ଲଦାପୁଟ୍ଟି ଗ୍ରାମର କେ.ତୁଳସାମ୍ମା (୪୦), ଡି.ଜାନକୀଆମ୍ମା (୨୭) ଓ ଟି.କୁରମାମ୍ମା (୪୬)। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଧାନ ଅମଳ ମେସିନ୍କୁ ନେଇ ଟ୍ରାକ୍ଟରଟି ଗୋଟିଏ ବିଲରୁ ଆଉ ଏକ ବିଲକୁ ଯାଉଥିବା ବେଳେ ଓଲଟି ପଡ଼ିଥିଲା। ଫଳରେ ମେସିନ୍ ଉପରେ ବସିଥିବା ତିନି ମହିଳା ଚାପି ହୋଇ ରହିଯାଇଥିଲେ।
ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପଥରଗଡ଼ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଗଂଜାମ ଛତ୍ରପୁର ସହର ଶ୍ରୀନଗର ସାହି ବାସିନ୍ଦା ସୁବ୍ରତ ଦଳାଇ ଓ ମୋହନା ବ୍ଲକ ପୋଇପଡ଼ା ଗ୍ରାମର କିରଣ ବଳିୟାରସିଂଙ୍କ ମୃତ୍ୟୁ ହୋଇଛି। ସେହିପରି ଗଂଜାମ ହିଞ୍ଜିଳିକାଟୁ ଥାନା ଘୋଡ଼ାହାଡ଼ ନଦୀ ସେତୁ ନିକଟରେ ମଧ୍ୟ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଆସିକା ଥାନା ଚେରମାରିଆ ଗ୍ରାମର ଅଜିତ ଗୌଡ଼ (୩୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।
ଅନ୍ୟପକ୍ଷରେ ଚିକିଟି ବ୍ଲକ୍ ଅଧିନ ସୁନାପୁର ବେଳାଭୂମିରେ ଦୁଇଜଣ ବିଟେକ୍ ଛାତ୍ର ପ୍ରଦୀପ ମହାନ୍ତି ଓ ଅଜୟ ସୁଆସିଆ ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ହୋଇଯାଇଛନ୍ତି।
ସମୁଦ୍ରସ୍ନାନ ବେଳେ ୩ ଗୁରୁତର
ପୁରୀ : ଆଜି ନୂଆ ବର୍ଷ ଉପଲକ୍ଷେ ପୁରୀରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ବେଳେ ବେଳାଭୂମିରେ ମଧ୍ୟ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ପଶ୍ଚିମବଙ୍ଗ ବରିସାଲ ଥାନା ମାନସୀମାଲ ନିବାସୀ ସୁଦୀପ ରଞ୍ଜନ ଭୋଳ(୪୧) ସକାଳେ ସୋନାଲି ହୋଟେଲ ସମ୍ମୁଖ ସମୁଦ୍ରରେ ଗାଧୋଉଥିବା ବେଳେ ଲହଡ଼ି ତାଙ୍କୁ ଭସାଇ ନେଇଥିଲା। ତେବେ ଲାଇଫ୍ଗାର୍ଡମାନେ ତାଙ୍କୁ ସମୁଦ୍ରଗର୍ଭରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତାଙ୍କର ବାମ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ସେହିପରି ଉତ୍ତର ଚବିଶପ୍ରଗଣା ଜିଲ୍ଲା ହାବ୍ରା ଥାନା ଅନ୍ତର୍ଗତ ଶିରିପୁର ନିବାସୀ ମୋନିକା ଶାହା(୩୯) ଏବଂ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କପିଳେଶ୍ୱରର ସାଈବିହାର ନିବାସୀ ଶୈଳେନ୍ଦ୍ର ବେହୁରା ମଧ୍ୟ ଲହଡ଼ି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣାରେ ଶିଶୁ କନ୍ୟା ମୃତ,୫ ଗୁରୁତର
ନାକ୍ଟିଦେଉଳ/ବୁର୍ଲା : ନୂଆବର୍ଷରେ ଚର୍ଚ୍ଚ ଯିବା ପାଇଁ ମା, ଭଉଣୀ ସହିତ ବସକୁ ଅପେକ୍ଷା କରିଥିବା ଶିଶୁ କନ୍ୟା ଦୀପିକା କିଡ଼ୋ(୩)ଙ୍କ କାର ଧକ୍କାରେ ମୃତ୍ୟୁ ହୋଇଛି। ଅନ୍ୟ ୫ ଆହତ ହୋଇଛନ୍ତି। ରାଞ୍ଚି-ବିଜୟଓ୍ଵାଡ଼ା ରାସ୍ତାର ନାକ୍ଟିଦେଉଲ ବ୍ଲକ ଚରଡ଼ପଶିରେ ପୂର୍ବାହ୍ନ ସାଢ଼େ ୧୦ ଟାରେ ଏହି ଦୁର୍ଘଟଣା ଘଟିଛି। ନାକ୍ଟିଦେଉଲ ବ୍ଲକ ଚରଡ଼ପଶିର ହୀରାମଣି କିଡ଼ୋ ଦୁଇ ଶିଶୁ କନ୍ୟା ଦୀପିକା କିଡ଼ୋ, ସରିତା କିଡ଼ୋ, ଅନ୍ୟ ଦୁଇ ଭଉଣୀ ସୁଗାନ୍ତି କୁଲୁ ଏବଂ ଅନିମା କୁଲୁ, ପଡ଼ୋଶୀ ରୀତା କୁଲୁଙ୍କ ସହ ନୂଆବର୍ଷ ପାଇଁ ଚର୍ଚ୍ଚ ଯିବାକୁ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ରେଢାଖୋଲ ପଟୁ ଦ୍ରୁତ ଗତିରେ ଆସୁଥିବା କାର ସେମାନଙ୍କୁ ଧକ୍କା ଦେଇଥିଲା।
ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା
ସୁନ୍ଦରଗଡ଼/ବାଲିଶଙ୍କରା : ବାଲିଶଙ୍କରା ବ୍ଲକ ଦେଓଭବନପୁର ତେଲିପଡ଼ାର ହିତେଶ୍ୱରୀ ପୃଷେଠ୍ (୪୨)ଙ୍କୁ ଆଜି ଭୋର୍ରେ ଦନ୍ତା କଚାଡ଼ି ମାରିଦେଇଛି। ଏହାସହ ହିତେଶ୍ୱରୀଙ୍କ ଘରକୁ ମାଟିରେ ମିଶେଇଦେଇଛି।
ଦୁର୍ଘଟଣାରେ ଆହତ ଅଜା- ନାତି ମୃତ
ଗୁଡ଼ଭେଲା : ରବିବାର ରାତିରେ ଗୁଡ଼ଭେଲା-ତୁଷରା ରାସ୍ତାର ଡାହିମାଲ ପୋଖରୀ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଆହତ ହୋଇଥିବା ଅଜା- ନାତିଙ୍କ ମୃତ୍ୟୁ ଘଟିଛି। ଏହି ଅନ୍ୟଜଣେ ଆହତ ଏବେ ବି ଚିକିତ୍ସାଧୀନ ରହିଛନ୍ତି। ଦୁର୍ଘଟଣା ଘଟାଇ ଫେରାର୍ ଥିବା ଗାଡ଼ିକୁ ପୁଲିସ ଠାବ କରିଛି। ଗୁଡ଼ଭେଲା ବ୍ଲକ ମୁଣ୍ଡାପଲାର ଶ୍ରୀଧର କୁମ୍ଭାର(୬୫), ନାତି ବୃନ୍ଦା କୁମ୍ଭାର(୨୭)ଙ୍କ ବାଇକରେ ସଂପର୍କୀୟ ଭଗବାନ ମହାନନ୍ଦ (୪୮)ଙ୍କ ସହ ଝିଅ ଘର ତାଣ୍ଡିଗାଁକୁ ଯାଇଥିଲେ। ଫେରିବା ବେଳେ ରାତି ପ୍ରାୟ ସାଢ଼େ ଆଠଟାରେ ଡାହିମାଲ ପୋଖରୀ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଗାଡ଼ି ଧକ୍କା ଦେଇ ଫରାର ହୋଇ ଯାଇଥିଲା। ତିନି ଜଣଙ୍କ ଡାହାଣ ଗୋଡ଼ ଆଣ୍ଠୁ ତଳକୁ ଛିଣ୍ଡି ଯାଇଥିବା ବେଳେ ଚାଳକ ବୃନ୍ଦା ସଂଜ୍ଞାହୀନ ଅବସ୍ଥାରେ ପଡ଼ି ରହିଥିଲେ। ବାଇକଟି ଚୂରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ବଡ଼ ଗାଡ଼ିର ସାମ୍ନା ଲାଇଟର ଭଙ୍ଗା କାଚ ପଡ଼ିଥିବା ଦେଖିବାକୁ ମିଳିଥିଲା। ସମସ୍ତ ଆହତଙ୍କୁ ପ୍ରଥମେ ତୁଷରା ଓ ପରେ ବଲାଙ୍ଗୀର ଡାକ୍ତରଖାନାକୁ ନିଆଯାଇଥିଲା। ରାତିରେ ଅଜା ଶ୍ରୀଧର ଓ ନାତି ବୃନ୍ଦାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଭଗବାନ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି। ବୃନ୍ଦାଙ୍କ ପରିବାରେ ସ୍ତ୍ରୀ ସହ ଦୁଇ ବର୍ଷର ଶିଶୁ ପୁତ୍ର ଅଛନ୍ତି। ଶବ ପହଞ୍ଚିବା ପରେ ସୋମବାର ଅପରାହ୍ନରେ ଉଭୟଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bam.jpg)
