ନୂଆବର୍ଷର ଆଶା

ସମ୍ବେଦନା ମିଶ୍ର

ଇ˚ରାଜୀରେ କୁହାଯାଏ, “Every story has an end, but in life every ending is a new beginning.” ଅର୍ଥାତ୍‌, ଜୀବନରେ ଆରମ୍ଭ ଓ ଶେଷ ଏକ ଚକ୍ର। ଚବିଶ ଘଣ୍ଟାକୁ ନେଇ ଏକ ଦିନ ଓ ୩୬୫ ଦିନକୁ ନେଇ ଏକ ବର୍ଷ। ଡିସେମ୍ବର ମାସରେ ଯେତେବେଳେ ବର୍ଷଟିଏ ସରିବାକୁ ଆସେ ସେତେବେଳେ ମନରେ ସେହି ବର୍ଷର ସଫଳତା ଓ ବିଫଳତା ଆପେ ଆପେ ଗଣି ହୋଇଯାଏ। ଯାହା କରିବାକୁ ଇଚ୍ଛା ରହିଥାଏ ବା ପୂର୍ବରୁ ଯା’ର ଏକ ରୂପରେଖ ପ୍ରସ୍ତୁତ ହୋଇଥାଏ ସେଗୁଡ଼ିକ ଭିତରୁ ଯାହା ସରିଛି ଓ ଯାହା ବାକି ଅଛି ତାକୁ ନେଇ ଆଗାମୀ ଦିନର ପ୍ରସ୍ତୁତି ଆରମ୍ଭ ହୋଇଯାଏ।

ଅନୁରୂପ ଭାବେ ଜାନୁଆରି ମାସ ଆରମ୍ଭରେ ପୂରା ବର୍ଷ ପାଇଁ ମନରେ କେତେ କ’ଣ ଆଶା ଭରି ରହିଥାଏ। ତା’ସହିତ ନିଜର ବିଫଳତାକୁ ସଫଳତାରେ ପରିଣତ କରି ଜୀବନକୁ ସରସ ସୁନ୍ଦର କରିବାର ଇଚ୍ଛା ମଧୢ ଆମକୁ ସମୟର ସଦୁପଯୋଗ ଶିଖାଇ ଦିଏ। ସେଥିପାଇଁ ଅନେକ ଲୋକ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟକୁ ମନଭରି ଦେଖିବାକୁ ପସନ୍ଦ କରନ୍ତି। ତା’ସହିତ ଅନେକେ ଦେବ ଦର୍ଶନ କରିବାକୁ ବି ଭାରି ପସନ୍ଦ କରନ୍ତି। ସେମାନଙ୍କ ମତରେ ନୂତନ ବର୍ଷର ଆରମ୍ଭରେ ଯଦି ଦେବତାମାନଙ୍କ କୃପା ଦୃଷ୍ଟି ଆମ ଉପରେ ପଡ଼େ ତେବେ ପୁରା ବର୍ଷ ନିଶ୍ଚୟ ଆମର ଭଲରେ ଭଲରେ କଟିଯିବ।

ଡିସେମ୍ବର ଓ ଜାନୁଆରି ଉଭୟ ମାସ ପ୍ରତ୍ୟେକ ମନୁଷ୍ୟଙ୍କ ଜୀବନରେ ବହୁ ଗୁରୁତ୍ବ ବହନ କରେ। ବିଶେଷ କରି ବନ୍ଧୁବାନ୍ଧବ, ସାଙ୍ଗସାଥୀଙ୍କୁ ନେଇ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ, ଭିନ୍ନ ଭିନ୍ନ ଦର୍ଶନୀୟ ସ୍ଥାନକୁ ଯିବାର ଅନୁଭୂତି, ପରିବାର ସହ ଏକାଠି ହୋଇ ହସଖୁସିରେ କିଛି ସମୟ କାଟିବାର ମିଠା ମିଠା ସ୍ମୃତି ଆମକୁ କେବଳ ଏହି ଦୁଇ ମାସରେ ଅଧିକ ମିଳିଥାଏ।

ସମୟ ଚକ୍ରରେ ଏବେ ପୁଣି ଥରେ ଆଉ ଏକ ବର୍ଷ ଅର୍ଥାତ୍‌ ୨୦୨୦ ସରିବା ପାଇଁ ଯାଉଛି ଓ ଏକ ନୂତନ ଆଶାର ବର୍ଷ ୨୦୨୧ ଆରମ୍ଭ ହେବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ୨୦୨୦ ଓ ୨୦୨୧ ଉଭୟ ବର୍ଷ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବା ଭଳି ଗୁରୁତ୍ବ ବହନ କରୁଛି। କାରଣ, ପୂର୍ବରୁ ଯେପରି ୧୯୪୭ ମସିହାରେ ଆମ ଦେଶ ସ୍ବାଧୀନ ହେଲା, ଯେପରି ୟୁରୋପରେ ୧୯୧୪ରୁ ୧୯୧୮ ଯାଏଁ ପ୍ରଥମ ବିଶ୍ବଯୁଦ୍ଧ ହୋଇଥିଲା ଠିକ୍‌ ସେହିପରି ୨୦୨୦ରେ ପୁରା ବିଶ୍ବ ଏକ ଶକ୍ତିଶାଳୀ ପ୍ରାଣଘାତୀ ଭୂତାଣୁ କରୋନା ସହ ପରିଚିତ ହେଲା। କରୋନା ଯୋଗୁଁ ପ୍ରାୟତଃ ବିଶ୍ବର ପ୍ରତ୍ୟେକ ଜନସାଧାରଣଙ୍କ ସାଧାରଣ ଜୀବନଚର୍ଯ୍ୟା ପ୍ରଭାବିତ ହୋଇଛି ଯାହାକି ପୂର୍ବରୁ କେବେ ଘଟି ନ ଥିଲା। ଅର୍ଥନୀତି, ଶିକ୍ଷା, ବ୍ୟବସାୟ, ମନୋରଞ୍ଜନ ଆଦି ପ୍ରତ୍ୟେକ କ୍ଷେତ୍ରରେ କ୍ଷତି ହିଁ ପରିଲକ୍ଷିତ ହେଉଛି। ତେଣୁ ଏବେ ପ୍ରାଥମିକତା ହେଉଛି ସେହି କ୍ଷତିକୁ କେମିତି ଭରଣା କରାଯାଇ ପୁଣିଥରେ ସବୁକିଛି ସ୍ବାଭାବିକ କରାଯିବ।

ମାତ୍ର ୨୦୨୦ର ପୁରା ବର୍ଷ ଯେଉଁଠି କୋଭିଡ୍-୧୯ ଭୂତାଣୁ ସହ ଲଢ଼ି ଲଢ଼ି କଟିଗଲା ଯାହାର କ୍ଷତ ସମସ୍ତଙ୍କ ପାଇଁ ଅଭୁଲା ହୋଇ ରହିଲା ତାକୁ କ’ଣ ୨୦୨୧ କେବେ ପୂରାପୁରି ଭରଣା କରାଯାଇପାରିବ? ତା’ର ସବୁଠାରୁ ବଡ଼ କାରଣ ହେଲା ଏ ପର୍ଯ୍ୟନ୍ତ ଏହି ମହାମାରୀ ସହ ଲଢ଼ିବା ଭଳିି କୌଣସି ଟିକାର ସଫଳ ପରିଣାମ ବାହାରି ପାରିନାହିଁ। କିଛି ମାତ୍ରାରେ ଯାହା ସଫଳତା ମିଳିପାରିଛି ସେଗୁଡ଼ିକ ମଧୢରୁ କାହାକୁ ସମୂହ ଟିକାକରଣରେ ବ୍ୟବହାର କରାଯିବ ତା’ର ସ୍ପଷ୍ଟ ଚିତ୍ର ମିଳିପାରିନାହିଁ।

୨୦୨୦ ମସିହାରେ ଶିକ୍ଷା ବ୍ୟବସ୍ଥା ପୂରାପୁରି ଭୁଷୁଡ଼ି ଯାଇଛି। ତେଣୁ ୨୦୨୧ରେ ଶିକ୍ଷା ବ୍ୟବସ୍ଥାକୁ ପୂର୍ବାବସ୍ଥାକୁ ଫେରାଇ ନେବା ସବୁଠାରୁ ବଡ଼ ଆହ୍ବାନ। ବିପତ୍ତି ମଧୢରେ ଅର୍ଥନୀତି, କୃଷି, ବ୍ୟବସାୟ ପ୍ରତିଷ୍ଠାନ, କଳକାରଖାନା ଆଉ ଥରେ ସଳଖ ହୋଇ ଚାଲିବାକୁ ଚେଷ୍ଟା ଆରମ୍ଭ କରୁଛନ୍ତି।

ଭଲ ଓ ମନ୍ଦ ପରସ୍ପରର ସହଚର। ୨୦୨୦ରେ କରୋନା ଆମକୁ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବାର କଳା ଶିଖାଇ ଦେଲା। ପାରିବାରିକ ସମ୍ପର୍କ ସୁଧାରିବା ପାଇଁ ମଧୢ ୨୦୨୦ର ଏହି ସମୟ ଖୁବ୍‌ ମୂଲ୍ୟବାନ ଥିଲା।

ବିଗତ ସମୟକୁ କିମ୍ବା ଘଟିସାରିଥିବା ଘଟଣାକୁ ବଦଳାଇବା ଅସମ୍ଭବ। ଠିକ୍‌ ସେହିପରି ଆଗାମୀ ସମୟ ବା ଭବିଷ୍ୟତକୁ ଜାଣିପାରିବା ବି ସମ୍ଭବ ନୁହେଁ। ଦିନ, ମାସ, ବର୍ଷ ଇତ୍ୟାଦିରେ ସମୟକୁ ଗଣା ଯାଇପାରିବ ମାତ୍ର ତାହାକୁ ନା ବାନ୍ଧି ରଖିହେବ ନା ନିଜ ଇଚ୍ଛା ମୁତାବକ ବଦଳାଯାଇପାରିବ। ସମୟ ଗଡ଼ି ଚାଲିବ, ଦିନ ଆସିବ ଓ ତାରିଖ ବଦଳିବ। ସେମିତି ୨୦୨୧ ପରେ ୨୦୨୨ ଚାଲିବ। ଏହା ହିଁ ସୃଷ୍ଟିର ନିୟମ।

ଯଦିଓ ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖକୁ ସମସ୍ତେ ନୂତନ ଆଶା ନେଇ ଅପେକ୍ଷା କରିଥାନ୍ତି ତଥାପି ପୂରା ବର୍ଷ ପ୍ରତ୍ୟେକ ଦିନ ହିଁ ନୂଆ ଆଶା, ନୂଆ ସୁଯୋଗ, ନୂଆ ଅନୁଭୂତି ନେଇ ଆସିଥାଏ। ୨୦୨୧ ପାଇଁ ଆମେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ହିଁ କାମନା କରିପାରିବା ଯେ ସମ୍ପ୍ରତି ଚାଲୁ ରହିଥିବା କରୋନା ଆତଙ୍କ ସମୂଳେ ନଷ୍ଟ ହୋଇଯାଉ ଏବ˚ ଦେଶ, ଜାତି, ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ମନୁଷ୍ୟ ପାଇଁ ଏହା ଶୁଭଙ୍କର ହେଉ।

ନୂଆପଲ୍ଲୀ, ଭୁବନେଶ୍ବର

ସମ୍ବନ୍ଧିତ ଖବର