ପୁରୀ: ଶ୍ରୀମନ୍ଦିରରେ ନୂଆବର୍ଷରେ ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁ ଯାଉଛି। ଶୀତତାପ ନିୟନ୍ତ୍ରିତ ସେଡ୍‌ ଦେଇ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବେ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସେଡ୍‌ର ପ୍ରସ୍ତୁତି ଚାଲିଛି। ନୂଆ ବ୍ୟାରିକେଡ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ଖଞ୍ଜା କାମ ଜୋର୍‌ଦାର୍‌ ଚାଲିଛି। ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସେପଟେ ନୂଆବର୍ଷ ପୂର୍ବରୁ କାମ ସାରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ମାଣସ୍ଥଳରେ ଡେରା ପକାଇଛନ୍ତି। ନିର୍ମାଣସ୍ଥଳରେ ବସି କାମର ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରୁଛନ୍ତି।

Advertisment

ଇତିମଧ୍ୟରେ ମରିଚିକୋଟ ଛକରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୀତତାପ ନିୟନ୍ତ୍ରିତ ସେଡ୍‌ ଭିତରେ ବ୍ୟାରିକେଡିଂ କାମ ପ୍ରାୟ ଶେଷ ହୋଇଛି। ଏସି ଲଗା କାମ ବି ଶେଷ ହୋଇଛି। ବିଦ୍ୟୁତ୍‌ ସଂଯୋଗ ପାଇଁ ୪୫୦ କେଭିଟର ଦୁଇଟି ନୂଆ ଟ୍ରାନ୍ସଫର୍ମର ଶ୍ରୀଦାଣ୍ଡ ପାର୍ଶ୍ବକୁ ସ୍ଥାପନ କରାଯାଇଛି। ସେପଟେ ବଡ଼ଦାଣ୍ଡ ସେଡ୍‌ରୁ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟ ପାର୍କିଂରେ ହେବାକୁ ଥିବା ଅଭ୍ୟର୍ଥନା କେନ୍ଦ୍ରକୁ ବି ବ୍ୟାରିକେଡ୍‌ ସଂଯୋଗ କାମ ଶେଷ ହୋଇଛି। ସେଡ୍‌ ଭିତରୁ ୬ଟି ଧାଡ଼ିରେ ଭକ୍ତ ଅଭ୍ୟର୍ଥନା କେନ୍ଦ୍ରରେ ପଶିବେ। ପଶିବା ପରେ ବିଶ୍ରାମ ପାଇଁ କିଛି ସ୍ଥାନ ଛଡ଼ାଯାଇଛି। ଯେଉଁଠି ଚେୟାର ପଡ଼ିବା ସହ ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ପରେ ସେହି ସ୍ଥାନରୁ ବ୍ୟାରିକେଡ୍‌ରେ ସାନଛତା ମଠ ନିକଟରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି। ସାନଛତା ମଠ ଦେଇ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ମେଘନାଦ ପାଚେରି କଡ଼ରେ ଲଙ୍ଗୁଳି ମଠକୁ ଲାଗି ଦର୍ଶନ ପାଇଁ ନୂ୍ଆ ବାରିକେଡ୍‌ ଲଗାଯାଉଛି। ଏହି ବ୍ୟାରିକେଡ୍‌ରେ ୧୦ଟି ଧାଡ଼ିରେ ଭକ୍ତଙ୍କୁ ସିଂହଦ୍ବାରରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି। ୬ଟି ଧାଡ଼ି ବଡ଼ଦାଣ୍ଡ ପାର୍ଶ୍ବରୁ ଓ ୪ଟି ଧାଡ଼ି ଶ୍ରୀଦାଣ୍ଡ ପାର୍ଶ୍ବରୁ ଏଠାରେ ମିଶିବ। ଶ୍ରୀଦାଣ୍ଡ ପାର୍ଶ୍ବରୁ ବ୍ୟାରିକେଡ୍‌ରେ ପଶିବା ପାଇଁ ଶୀତତାପ ନିୟନ୍ତ୍ରିତ ସେଡ୍‌ କରାଯାଉଛି। ସେଡ୍‌ରୁ ସାନଛତା ମଠ ନିକଟ ବ୍ୟାରିକେଡ୍‌ରେ ପଶିବାକୁ ୪ଟି ଧାଡ଼ି ବ୍ୟବସ୍ଥା ହୋଇଥିଲେ ବି ଶ୍ରୀଦାଣ୍ଡ କାମ ବିଳମ୍ବ ହେଉଥିବାରୁ ନୂଆବର୍ଷରେ ଏହିପାର୍ଶ୍ବ ସେଡ୍‌ ଖୋଲିବନି ବୋଲି ଜଣାଯାଇଛି। ସେପଟେ ମେଘନାଦ ପାଚେରି କଡ଼ ବ୍ୟାରିକେଡ୍‌ କାମ ଶେଷ ହେବା ପରେ ବର୍ତ୍ତମାନର ଦର୍ଶନ ସେଡ୍‌ ଖୋଲି ସିଂହଦ୍ବାରକୁ ଖୋଲା ରଖିବାକୁ ଯୋଜନା କରାଯାଉଛି।