ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀମନ୍ଦିର : ୩୧ ଓ ୧ରେ ପୁରୀକୁ ମାଲବାହୀ ଗାଡ଼ି ମନା, ଗାଡ଼ି ପାର୍କିଂ ପାଇଁ ପ୍ରସ୍ତୁତ ହେଲା ରୁଟ୍ ଚାର୍ଟ

ନବ ନିର୍ମିତ ସେଡ୍‌ରେ ଶୁଭିବ ଭଜନ, ଭକ୍ତଙ୍କ ଉପରେ ନଜର ରଖିବ କ୍ୟାମେରା

ପୁରୀ : ନୂଆ‌ବର୍ଷ ପାଇଁ ଶ୍ରୀମନ୍ଦିର ସିଂହଦ୍ବାର ସଜେଇ ହେଉଛି। ନୂଆବର୍ଷକୁ ଆଉ ତିନି ଦିନ ବାକିଥିବା ବେଳେ ଆଜି ନବ ନିର୍ମିତ ସେଡ୍‌କୁ ଅଧିକ ଆକର୍ଷଣୀୟ କରାଯାଇଛି। ଫୁଲ କୁଣ୍ଡ ସଜ‌ା କାମ ସରିଥିବ‌ା ବେଳେ ଆଜି ସେଡ୍‌ ଉପରେ ଫୁଲ ସଜାହେଉଛି। ଏହି ବାଟ ଦେଇ ଭକ୍ତମାନେ ଯିବା ବେଳେ ସେମାନଙ୍କ ମନରେ ଆଧ୍ୟା‌ତ୍ମିକ ଭାବନା ସୃଷ୍ଟି କରିବା ପାଇଁ ଆଜି ସେଡରେ ସାଉଣ୍ଡ୍‌ ବକ୍ସ (ସ୍ପିକର୍‌) ଲଗାଯାଇଛି। ଏଥିରେ ଭଜନ ଓ ଜଗନ୍ନାଥାଷ୍ଟକ ଓ ଭକ୍ତିପୂର୍ଣ୍ଣ ଭଜନ ବାଜିବ। ସେହିଭଳି ଭକ୍ତଙ୍କ ଉପରେ ନଜର ରଖିବାକୁ ଆଜି ଅତ୍ୟାଧୁନିକ ସିସି କ୍ୟାମେରା ଖଞ୍ଜାଯାଇଛି। ସେଡ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସିସି କ୍ୟାମେରା ଲଗାଯାଇଛି। ନୂଆ ବର୍ଷରେ ପୁରୀକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବା ଓ ପୁରୀ ବଦଳୁଥିବାର ଏକ ଛବି ତିଆରି କରିବା ପାଇଁ ଏଭଳି ଜୋରଦାର ପ୍ରସ୍ତୁତି କରାଯାଇଛି। ମେଘନାଦ ପ୍ରାଚୀରରେ ଆଲୋକ ପଡ଼ୁଛି। ସିଂହଦ୍ବାର ସମ୍ମୁଖ ପ୍ରାଚୀର କଡ଼ରେ ସବୁଜିମା ସୃଷ୍ଟି କରାଯାଇଛି।

ନୂଆବର୍ଷ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା : ଜଗିବେ ୨୭୬ ଅଧିକାରୀ, ୬୫ ପ୍ଲାଟୁନ୍ ଫୋର୍ସ

ପୁରୀ :‌ ନୂଆବର୍ଷକୁ ଆଖିଆଗରେ ରଖି ଶ୍ରୀମନ୍ଦିର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁରୀ ସହର ଓ ସହର ବାହାରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଭିତର ଓ ବାହାର ସହ ସହର ଭିତରେ ଓ ବାହାରେ ୨୭୬ ଜଣ ଅଧିକାରୀ ଓ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ମିଳିଥିବା ସୂଚନା ମୁତାବକ, ନୂଆବର୍ଷ ଉପଲକ୍ଷେ ୨ ଜଣ କମାଣ୍ଡାଣ୍ଡ୍‌ଙ୍କୁ ମୁତୟନ କରାଯାଇଛି। ସେହି ଭଳି ୭ ଜଣ ଏଏସପି, ୧୯ ଜଣ ଡିଏସପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଡ, ୪୮ ଥାନା ଅଧିକାରୀ, ୨୦୦ ଏସଆଇ ଓ ଏଏସ୍‌ଆଇଙ୍କୁ ମୁତୟନ କରାଯାଇଛି। ହାବିଲଦାର ଓ ଟ୍ରାଫିକ୍ ପୁଲିସକୁ ମିଶାଇ ୩୬ ଜଣ ଓ ୨୨୯ କନଷ୍ଟେବଳଙ୍କୁ ସୁରକ୍ଷା ଦାୟିତ୍ବ ବଣ୍ଟନ କରାଯାଇଛି। ଏହାବାଦ୍ ୬୦୦ ହୋମାଗାର୍ଡ଼ଙ୍କୁ ବି ମୁତୟନ କରାଯାଇଛି।

ଅନ୍ୟପଟେ ନୂଆବର୍ଷରେ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଡିସେମ୍ବର ୩୧ ଓ ଜାନୁଆରି ୧ରେ ମାଲବାହୀ ଗାଡ଼ି ଚଳାଚଳରେ କଟକଣା ଲଗାଯାଇଛି। ଏହି ଦୁଇଦିନ ସହର ଭିତରେ ମାଲବାହୀ ଗାଡ଼ି ପ୍ରବେଶରେ ରୋକ୍ ଲଗାଯାଇଛି। ଦୈନନ୍ଦିନ ଯାତାୟାତ କରୁଥିବା ଯାତ୍ରୀବାହୀ ବସ ଓ ଟୁରିଷ୍ଟ ବସ ଚଳାଚଳର ରୁଟ୍ ପରିବର୍ତ୍ତନ କରାଯାଇନି। ପୂର୍ବଭଳି ପୁରୀ ବସଷ୍ଟାଣ୍ଡକୁ ଦୈନନ୍ଦିନ ଯାତାୟାତ କରୁଥିବା ବସ୍‌ ନିଜ ରୁଟରେ ଚଳାଚଳ କରିବ। ଟୁରିଷ୍ଟ ବସ୍‌ମାନେ ମାଳତୀପାଟପୁର ବସଷ୍ଟାଣ୍ଡରେ ରହି‌ବେ। କିନ୍ତୁ ଚାରିଚକିଆ, ତିନିଚକିଆ ଓ ଦୁଇଚକିଆ ଉପରେ କଟକଣା ଲଗାଯାଇଛି। ଚାରିଚକିଆ ଗାଡ଼ି ପ୍ରଥମେ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପାର୍କିଂ କରିବେ। ଫେରିବା ବେଳେ ଜଟିଆ ବାବାଜୀ ଛକ ଦେଇ ଫେରିବେ। ଏଠାରେ ପାର୍କିଂ ସ୍ଥାନ ଅଭାବ ହେଲେ ମେଡିକାଲ ଛକରୁ ଗାଡ଼ିଗୁଡ଼ିକ ଅଟକାଯାଇ ପୁରୁଣା ଜେଲ ଜାଗାରେ ପାର୍କିଂ ବ୍ୟବସ୍ଥା କରାଯିବ। ଫେରିବା ବେଳେ ଅଠରନଳା ଦେଇ ‌ଏମାନେ ଫେରିବେ। ତଥାପି ଯଦି ସ୍ଥାନାଭାବ ହେଲା, ମାଳତୀପାଟପୁର ଠାରୁ ଦିଗ ପରିବର୍ତ୍ତନ କରାଯାଇ ଓଭରବ୍ରିଜ୍ ଦେଇ ତାଳବଣିଆ ହେଲିପ୍ୟାଡ୍, ଇନ୍‌ଡୋର ଷ୍ଟାଡିୟମ ଖେଳପଡ଼ିଆ, ଶ୍ରୀଜଗନ୍ନାଥ ଖେଳପଡ଼ିଆରେ ପାର୍କିଂ ବ୍ୟବସ୍ଥା କରାଯିବ। ବେଳାମାର୍ଗ ଆଡ଼ୁ ଆସୁଥିବା ଚାରିଚକିଆ ଗାଡ଼ି ଯାତ୍ରୀକା ଓ ଦିଗବାରେଣୀ ଠାରେ ପାର୍କିଂ କରିବେ। ଫେରିବା ବେଳେ ହୋଟେଲ ଚାରିଅଟ୍, ମଙ୍ଗଳାଘାଟ ଦେଇ ଯିବେ। ବ୍ରହ୍ମଗିରି ଆଡ଼ୁ ଆସୁଥିବା ଗାଡ଼ି ଫ୍ଲୋରିସ୍ ଇଣ୍ଡିଆ ପାଖରେ ପାର୍କିଂ କରିବେ। ସେହିଭଳି ବିଭିନ୍ନ ସ୍ଥାନରୁ ଆସୁଥିବା ବାଇକଗୁଡ଼ିକ ମ୍ୟୁନିସିପାଲିଟି ମାର୍କେଟର ଖାଲି ଜାଗାରେ ପାର୍କିଂ କରିବେ। ଆବଶ୍ୟକ ପଡ଼ିଲେ ମେଡିକାଲ ଛକରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ପାର୍କିଂ ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର