ଦିନକ ପରେ ନୂଆବର୍ଷ: ସଜେଇ ହେଉଛି ଶ୍ରୀମନ୍ଦିର, ବଡ଼ଦାଣ୍ଡରେ ଭକ୍ତ ଶୁଣିବେ ଭଜନ-ଜଣାଣ

ପୁରୀ: ଆଉ ଦିନକ ପରେ ଆମ ଗହଣରୁ ବିଦାୟ ନେବ ୨୦୧୯। ଆରମ୍ଭ ହେବ ନୂଆବର୍ଷ-୨୦୨୦। ନୂଆବର୍ଷ ସ୍ୱାଗତ ପାଇଁ ତେବେ ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଶ୍ରୀମନ୍ଦିରକୁ ସୁସଜ୍ଜିତ କରାଯିବା ସହ ନବନିର୍ମିତ ସେଡକୁ ଫୁଲରେ ଅପୂର୍ବ ଭାବେ ସଜାଯାଇଛି। ଏପରିକି ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିରେ ଭକ୍ତିପୂର୍ଣ୍ଣ ଭଜନ ସମେତ ଜଣାଣ ଓ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଜଗନ୍ନାଥଷ୍ଟକକୁ ଶ୍ରେତାମାନେ ଏକ ଭିନ୍ନ ଢଙ୍ଗରେ ଶୁଣିପାରିବେ। ଭକ୍ତମାନେ ଭକ୍ତି ଭାବରେ ଯେପରି ସଂପୂର୍ଣ୍ଣ ରୂପେ ହଜିଯିବେ ସେହିି ପରିକଳ୍ପନା ରଖି ବଡ଼ଦାଣ୍ଡରେ ଏହି ସ୍ୱତନ୍ତ୍ର ଆୟୋଜନର ବ୍ୟବସ୍ଥା କରାଯାଉଛି।

ନୂଆବର୍ଷ ଅବସରରେ ଆଧ୍ୟାତ୍ମିକ ସହର ତଥା ଶ୍ରୀକ୍ଷେତ୍ର ପୁରୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ରହବ। ଏପରି ସ୍ଥିତିରେ ଭକ୍ତମାନଙ୍କ ଉପରେ ନଜର ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅତ୍ୟାଧୁନିକ ସିସି କ୍ୟାମେରା ଖଞ୍ଜା ଯାଇଛି। ପୁରୀକୁ ନୂଆ ରୂପ ଦେବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ଜୋରଦାର ପ୍ରୟାସ କରାଯାଉଥିବା ବେଳେ ସିଂହଦ୍ୱାର ସମ୍ମୁଖ ପ୍ରାଚୀର କଡ଼ରେ ସବୁଜିମା ସୃଷ୍ଟି କରାଯାଇଛି।

ସେପଟେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷାକୁ ବଢାଇ ଦିଆଯାଇଛି। ଟ୍ରାଫିକ୍‌ ବ୍ୟବସ୍ଥାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁରୀ ସହର ଏବଂ ସହର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂଆବର୍ଷ ଦିନ ସୁରକ୍ଷା ପାଇଁ ୬୫ ପ୍ଲାଟୁନ୍‌ ଫୋର୍ସ ପୁରୀ ସହରରେ ମୁତୟନ କରାଯିବ। କାରଣ ଏହି ଦିନ ପ୍ରାୟ ଲକ୍ଷାଧିକ ଭକ୍ତଙ୍କର ପୁରୀ ସହରରେ ସମାଗମ ଘଟିବାର ଆକଳନ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ରାତି ୨ଟାରୁ ଭିଡ଼ ଆରମ୍ଭ ହୋଇଯିବ ଏବଂ ଏହି ଭିଡ଼ ଦିନ ତମାମ ପର୍ଯ୍ୟନ୍ତ ଅବ୍ୟାହତ ରହିବ।

ସମ୍ବନ୍ଧିତ ଖବର