ପୁରୀ: ଶ୍ରୀକ୍ଷେତ୍ରକୁ ୨୦୨୪ ନୂଆବର୍ଷରେ ୪ରୁ ୫ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ଆଶା କରୁଛୁ। ସେହି ଅନୁଯାୟୀ ନୂଆବର୍ଷ ପ୍ରସ୍ତୁତି ଚାଲିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ପର୍ଯ୍ୟଟକଙ୍କ ସୁରକ୍ଷିତ ଭ୍ରମଣ ଆମର ପ୍ରମୁଖ ଲକ୍ଷ୍ୟ। ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଶ୍ରୀମନ୍ଦିର ସହ ବେଳାଭୂମି ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଆଶିଷ ସିଂହ କହିଛନ୍ତି। ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଜି ଶ୍ରୀ ସିଂହ କହିଛନ୍ତି, ନୂଆବର୍ଷରେ ନୂଆ ବ୍ୟବସ୍ଥାରେ ଭକ୍ତ ଦର୍ଶନ କରିବେ। ଏସି ସେଡ୍ ସାଙ୍ଗକୁ ବ୍ୟାରିକେଡ୍ ଭିତରେ ବସିବା ସୁବିଧା ରହିବ। ଏକାଧିକ ଜୋତାଷ୍ଟାଣ୍ଡ୍, ଶୌଚାଳୟର ବ୍ୟବସ୍ଥା କରାଯିବ। ବରିଷ୍ଠ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା ହେବ। ଏଥିପାଇଁ ପର୍ଯ୍ୟାପ୍ତ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ୫୦ ପୁଲିସ ଅଧିକାରୀ ଏହି ସେବାରେ ରହିବେ। ସୁରକ୍ଷା ଦୃଷ୍ଟିରୁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁରୀ ସହର ଓ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥରେ ଗାଡ଼ି ଯାଞ୍ଚ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାହାରେ ୯ଟି ସେକ୍ଟର ଓ ଭିତରେ ୭ଟି ସେକ୍ଟର କରାଯାଇ ଭିଡ଼ ନିୟନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ଭିତରେ ସାତପାହାଚ, ନାଟମଣ୍ଡପ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।
ଏ ନେଇ ଜେଟିପି ଓ ପୁଲିସଙ୍କ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ଦର୍ଶନ ପାଇଁ ଯେଉଁ ଗଳିଆବାଟ ରହିଛି, ତା ଉପରେ କଡ଼ା ନଜର ରଖାଯିବ। ଏଭଳି କ୍ଷେତ୍ରରେ ଶୂନ ସହନଶୀଳ ନୀତି ଆପଣାଯିବ। ବଡ଼ଦାଣ୍ଡରେ ମରିଚିକୋଟ ଛକରୁ ସିଂହଦ୍ବାର ଓ ବେଳାମାର୍ଗରେ ସମୁଦ୍ର କୂଳ ଥାନାଠାରୁ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ନିଷିଦ୍ଧ ରହିବ। ପୁରୀବାସିନ୍ଦାଙ୍କ ପାଇଁ ଟ୍ରାଫିକ୍ କଟକଣା କୋହଳ ରହିବ। ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁଲିସ ସହ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ, ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଉଭୟ ଶ୍ରୀମନ୍ଦିର ଓ ବେଳାଭୂମିରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ମୋଟ୍ ୮୨ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ। ୩ଶହରୁ ଅଧିକ ପୁଲିସ ଅଧିକାରୀଙ୍କ ସହ ୧୨ଶହ ପୁଲିସ ନିୟୋଜିତ ହେବେ ବୋଲି ଶ୍ରୀ ସିଂହ କହିଛନ୍ତି। ପୁରୀ ଏସ୍ପି ଡା. କେ. ବିଶାଳ ସିଂହ କହିଛନ୍ତି, ଟ୍ରାଫିକ ଉପରେ ଅମେ ଯଥେଷ୍ଟ ଗୁରୁତ୍ବ ଦେଇଛୁ। ବେଳାଭୂମି ଉପରେ ନଜର ରଖିବା ପାଇଁ ୯ଟି ସେକ୍ଟର୍ କରାଯାଇଛି। ସିଟି ଡିଏସ୍ପିଙ୍କ ନେତୃତ୍ବରେ ନିୟୋଜିତ ପୁଲିସ ବେଳାଭୂମିରେ ପର୍ଯ୍ୟଟକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କଥା ବୁଝିବେ। ୪ଟି ପୁଲିସ ସହାୟତା କେନ୍ଦ୍ର ବି ରହିବ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ହୋଟେଲ ସଂଘ ସହ ବୈଠକ ସରିଛି। ସିସିଟିଭି ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖିବାକୁ କୁହାଯାଇଛି। ନିୟମିତ ବିଭିନ୍ନ ହୋଟେଲ ସହ ପୁଲିସ ଅଧିକାରୀମାନେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଯୋଗାଯୋଗ କରୁଛନ୍ତି ବୋଲି ଡା. ସିଂହ କହିଛନ୍ତି।
ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ପୁଲିସ ନଜର
ପୁରୀ: ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ପୁଲିସ କଡ଼ା ନଜର ରଖିଛି ବୋଲି ପୁରୀ ଏସ୍ପି ଡା. କେ. ବିଶାଳ ସିଂହ କହିଛନ୍ତି। ଡା. ସିଂହ କହିଛନ୍ତି, ଜଣେ ଡିଏସ୍ପି ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ପୁଲିସମାନେ ସୁରକ୍ଷା ଦାୟିତ୍ବରେ ରହିବେ। ଏଥିପାଇଁ ୯ ସେକ୍ସନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୭ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସମେତ ଅନ୍ୟ ପୁଲିସଙ୍କୁ ନିୟୋଜିତ କରାଯାଇଛି। କୋଣାର୍କ, ରାମଚଣ୍ଡୀ, ଜାହାନିଆ ଓ ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ୪ ସେକ୍ସନ୍ ପୁଲିସ ନିୟୋଜିତ ହୋଇଛନ୍ତି। ଏଥିସହ ୩ଜଣ ଇନ୍ସପେକ୍ଟର, ୨୦ଜଣ ହୋମଗାର୍ଡ ଓ ଅନ୍ୟ ପୁଲିସ ନିୟୋଜିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/gjgjgjgjgjg.jpg)