ବୋମା ଓ ଗୁଳି ମାଡ଼ରେ ବର୍ଷ ଆରମ୍ଭ

ନିଆଳିରେ ଜଣେ, ଆଠଗଡ଼ରେ ୨ ଆହତ

ନିଆଳି/ଆଠଗଡ : ନୂଆ ବର୍ଷ ଆରମ୍ଭରୁ ଅଶାନ୍ତ ହୋଇପଡିଛି କଟକ ଜିଲ୍ଲାର ଗ୍ରାମାଞ୍ଚଳ। ବର୍ଷର ପ୍ରଥମ ଦିନରେ କଟକ ଜିଲ୍ଲାର ନିଆଳି ଓ ଆଠଗଡ ବ୍ଲକ୍‌ରେ ଘଟିଛି ବୋମା ଓ ଗୁଳି ମାଡ଼। ଗତକାଲି ବିଳମ୍ବିତ ରାତିରେ ନିଆଳି ପୋଖରୀଗାଁ ମହିଳା ସରପଞ୍ଚଙ୍କ ଘର ଉପରକୁ ବୋମା ଓ ଗୁଳି ମାଡ଼ ହୋଇଥିବା ବେଳେ କିଛି ଅସାମାଜିକ ଯୁବକଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏ ନେଇ ନିଆଳି ଥାନାରେ ଦୁଇଟି ପୃଥକ୍‌ ଅଭିଯୋଗ ହୋଇଛି। ଅନ୍ୟପଟେ ନୂଆବର୍ଷ ଅବସରରେ ଆଠଗଡ଼ ନୂଆବନ୍ଧ ଗ୍ରାମର କିଛି ଯୁବକ କ୍ରିକେଟ ଖେଳ ଦେଖି ଫେରୁଥିବା ବେଳେ ମାଡ଼ପିଟ୍‌ ଓ ବୋମା ଫିଙ୍ଗା ଘଟଣା ଘଟିଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି।

ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୫ ଜଣ ଦୁର୍ବୁତ୍ତ ୨ଟି ବାଇକ୍‌ରେ ଆସି ନିଆଳି ପୋଖରୀଗାଁ ସରପଞ୍ଚ ଜ୍ୟୋସ୍ନା ମଲ୍ଲିକ୍‌ଙ୍କ ବାସଭବନ ଉପରକୁ ୫ଟି ବୋମାମାଡ଼ କରିଥିଲେ। ବୋମାମାଡ଼ପରେ ପରିବାର ଲୋକେ ଉଠିପଡ଼ିବାରୁ ଦୁର୍ବୃତ୍ତମାନେ ଗାଳିଗୁଲଜ କରି ଖସି ପଳାଇଥିଲେ। ବୋମାମାଡ଼ରେ ଘର କାନ୍ଥରେ ଦାଗ ଲାଗିଥିବା ବେଳେ ସେଭଳି ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୋମାର ଟୁକୁରା ଅଂଶକୁ ଜବତ କରିଛି। ଏସଂପର୍କରେ ନିଆଳି ଥାନାରେ ଅଭିଯୋଗ ହୋଇଛି। ସରପଂଚଙ୍କ ଘର ଉପରକୁ ବୋମାମାଡ କରିଥିବା ଗୋଷ୍ଠୀର କିଛି ଲୋକ ପୁଣି ସଂଘବଦ୍ଧଭାବେ କିଛି ଯୁକବଙ୍କୁ ଆକ୍ରମଣ କରିବା ସହ ଫାଙ୍କା ଗୁଳିଚାଳନା କରିଛନ୍ତି। ଏଥିରେ ଜଣେ ଆହତ ହୋଇଥିବା ଜଣାପଡିଛି।

ଗତକାଲି ବିଳମ୍ବିତ ରାତିରେ ପୋଖରୀଗାଁର କଳ୍ପତରୁ ଦାସ, ସିଲୁ ସ୍ୱାଇଁ ଓ ଚିଣ୍ଟୁ ଦାସ ପ୍ରମୁଖ ଗ୍ରାମକୁ ଫେରୁଥିବା ବେଳେ ସେହିଗ୍ରାମର କେତେକ ଅସାମାଜିକ ଯୁବକ ବିଭିନ୍ନ ମାରଣାସ୍ତ୍ର ଓ ବନ୍ଧୁକ ଧରି ପୂର୍ବ ପୋଖରୀଗାଁ ଛକଠାରେ ସେମାନଙ୍କୁ ଆକ୍ରମଣ କରିବା ସହ ୫ ରାଉଣ୍ଡ୍‌ ଫାଙ୍କା ଗୁଳି ଚାଳନା କରିଥିଲେ। ଗାଳିଗୁଲଜ କରିବା ସହ ପୁଲିସକୁ ଘଟଣା ସଂପର୍କରେ ଜଣାଇଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ। ଆକ୍ରମଣରେ କଳ୍ପତରୁ ଦାସଙ୍କ ପିଠିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ନିଆଳି ଥାନାରେ ଅଭିଯୋଗ ହେବାପରେ ନିଆଳି ଅଧିକାରୀ ଶ୍ରବଣ କୁମାର ମହାରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ପଞ୍ଚାୟତ ନିର୍ବାଚନ ପରଠାରୁ ଉକ୍ତ ପଞ୍ଚାୟତରେ ଅସ୍ଥିରତା ଲାଗିରହିଥିବା ବେଳେ ବିଭିନ୍ନ ସମୟରେ ବୋମାମାଡ଼, ଗୁଳିଚାଳନା ଜାରି ରହିଛି। ପଞ୍ଚାୟତ ନିର୍ବାଚନ ସମୟରେ ଏଭଳି ଅଶାନ୍ତ ପରିବେଶ ପାଇଁ ନିର୍ବାଚନର ଦୁଇମାସ ପରେ ଏହି ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଅନ୍ୟପଟେ ଆଠଗଡ ଥାନା ଜେନାପଦା ପଞ୍ଚାୟତ ନୂଆବନ୍ଧ ଗ୍ରାମର ଦିନେଶ ମୁଦୁଲି ଓ ୩ଜଣ କ୍ରିକେଟ୍‌ ଦେଖି ଗାଁକୁ ଫେରୁଥିବା ବେଳେ ସେଠାରେ ବାଇକ୍‌ ଅଟକାଇ ଥିଲେ କିଛି ଯୁବକ। ନିଶାସକ୍ତ ଅବସ୍ଥାରେ ଉକ୍ତ ଯୁବକ ଦିନେଶଙ୍କୁ ମାଡମାରିବା ପରେ ସେମାନେ ମାଡଖାଇ ଗାଁକୁ ଫେରିଯାଇଥିଲେ। ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଆଠଗଡ ଥାନାକୁ ଏତଲା ଦେବାକୁ ଯିବା ସମୟରେ ରେଗଡାପଦା କୁକୁଡା ଫାର୍ମ ନିକଟରେ ସଂପୃକ୍ତ ଯୁବକ ଅଭିଯୋଗକାରୀଙ୍କ ଉପରକୁ ହାତବୋମା ଫିଙ୍ଗି ଦେଇଥିଲା। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୨ ଆହତଙ୍କୁ ଆଠଗଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର