ଶନିବାର ପ୍ରବେଶ କରୁଛି ୨୦୨୨: ମୋଦୀ, ନବୀନଙ୍କ ପାଇଁ ବିଶେଷ ଶୁଭପ୍ରଦ ହେବନାହିଁ

ଭୁବନେଶ୍ୱର: ଶୁକ୍ରବାର ଓ ଶନିବାରର ଯୋଡ଼ା ସମୟରେ ଆସୁଛି ୨୦୨୨। ୨୮ ବର୍ଷ ପରେ କୌଣସି ବର୍ଷ ଶନିବାରରୁ ଆରମ୍ଭ ହେଉଛି ଅର୍ଥାତ ଶନିବାର ଜନ୍ମ ନେଉଛି। ଯେଉଁ ସମୟରେ ୨୦୨୨ ପ୍ରବେଶ କରୁଛି, ସେ ସମୟକୁ ୧୯୪୩ ଶକାବ୍ଦ, ୨୦୭୮ ସମ୍ବତ, ୧୪୨୯ ଦିଲ୍ଲୀଶ୍ବରାବ୍ଦ ଭୋଗ ହେଉଛି। କଳିଯୁଗ ୪୩୨୦୦୦ ବ‌ର୍ଷରୁ କଳିଯୁଗ ୫୧୨୨ ବର୍ଷ ଭୋଗ ଚାଲିଛି। ଏଭଳି ସ୍ଥିତିରେ ବର୍ଷର ରାଜା ଶନି ରହିବା କୃଷିହାନି, ପ୍ରଜାପୀଡ଼ା , ଅଗ୍ନି ଭୟ ଭଳି ସ୍ଥିତି ସୂଚାଏ। ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ଏ ବର୍ଷ ଲାଗି ରହିବ। ଶନିବାର ୨୦୨୨ ପ୍ରବେଶ କରୁଥିବାରୁ ବର୍ଷ ବିଶେଷ ମଙ୍ଗଳପ୍ରଦ ହୋଇ ନପାରେ। ବର୍ଷ ପ୍ରବେଶ ବେଳକୁ ଧନୁ ସୌର ମାସ। ଧନୁ ମାସର ଅଧିପତି ଗ୍ରହ ଏ ବର୍ଷ ଶନି ରହିଛନ୍ତି। ଶନି ଉଭୟ ବର୍ଷ ଓ ମାସର ରାଜା ହେଉଥିବାରୁ ଏହା କୁହାଯାଏ ଯେ ‘ଦୁର୍ଭିକ୍ଷଂ ମନ୍ଦ ବୃଷ୍ଟିଶ୍ଚ ପ୍ରଜାନା ରୋଗ ପୀଡନଂ, ସ୍ବେଚ୍ଛାନାଂ ସୁଖ ବିହିନଂ ଶନୌ ମାସ ପତୈ ଯଦି’। ଅନ୍ୟପଟେ ବର୍ଷ ପ୍ରବେଶ ସମୟରେ କୃଷ୍ଣ ପକ୍ଷରେ ଚନ୍ଦ୍ରକୁ ଦୁଇ ମାରାତ୍ମକ ଉଗ୍ର ଗ୍ରହ ମଙ୍ଗଳ ଓ କେତୁର ସଂଯୋଗ ରହିଛି। ଏହାସହିତ ଅନ୍ୟ ଗ୍ରହ ନକ୍ଷତ୍ର ସ୍ଥିତିରେ ଏ ବର୍ଷର ପ୍ରବେଶ ବହୁ ହାନିର ଆଶଙ୍କା ରଖୁଛି। ପୃଥ୍ବୀ ରାଶିରେ ରାହୁ ଶନି ପରସ୍ପର ଯୋଗଗତ। ଏହା ବିଶ୍ବକୁ ବିପଦ ସହିତ ରାଜନୀତିରେ ବି ବିଭେଦ, ବିବାଦ ବଢିବ। ଚୋରି ବଢିବ। ଲୋକେ ଧୈର୍ଯ୍ୟହରା ହେବେ। ୧୯୪୪ ଶକାବ୍ଦ ୨୦୨୨ ଏପ୍ରିଲ ୧୪ ତାରିଖରୁ ଆରମ୍ଭ ହେବ। ଅନଳ ସମ୍ବତ୍ସର ୨୦୨୨ ମେ ୨୪ରୁ ଆରମ୍ଭ। ଏହା ମଣିଷଙ୍କ ମଧ୍ୟରେ ଦୁର୍ବୁଦ୍ଧି ବଢିବାର ସୂଚାଉଛି। ନାରୀ ନିର୍ଯାତନା ବଢିବ। ମଧ୍ୟପ୍ରଦେଶରେ ଅଧିକ ଅଘଟଣ ଘଟିବ। ମାସ ମାନଙ୍କ ସମ୍ବନ୍ଧରେ ବାରପତି ସଂଯୋଗ ରହିଛି। ଏଥିରେ ଧନାଧିପତି କନ୍ୟା ମାସର ମାଲିକ ଶନି ଗ୍ରହ କୃପଣ ହାତରେ ଧନ ଭଣ୍ଡାର ରହିବା ପରି ଅବସ୍ଥା। ଅଭାବରେ ଲୋକ ଚଳିବେ।

ରାହୁ କେତୁ ଘେରରେ ମେ ମାସ ପର୍ଯ୍ୟନ୍ତ ରବି, ଶୁକ୍ର, ବୁଧ, ଶନି, ବୃହସ୍ପତି ରହିବେ। ଏ ସମୟ ଅତି କ୍ଷତିକାର ସମୟ। ମକର ରାଶିରୁ ଶନି ଯାଇ ନଥିବା ବେଳେ ଅସ୍ତ ପରେ ଉଦୟ ସ୍ଥାନ ପରିବର୍ତ୍ତନ କରି କୁମ୍ଭକୁ ଗମନ କରି ପୁଣି କୁମ୍ଭରୁ ବକ୍ରଗତିରେ ପଛକୁ ମକରକୁ ଆସିବା, ଲୋକଙ୍କ ପାଇଁ ବହୁ ଦୁଃଖକଷ୍ଟ, ଭୟ ଇତ୍ୟାଦି ଦର୍ଶାଉଛି। ରାଜନୈତିକ ଅସ୍ଥିରତା ସହିତ ବରିଷ୍ଠ ନେତାଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ରାହୁ, କେତୁ, ଶନିଙ୍କ ସ୍ଥିତିରୁ ପ୍ରବଳ ବାତ୍ୟା, ଅଦିନ ବର୍ଷା ଭଳି ସ୍ଥିତି ଉପୁଯିବ। କାଳ ବୈଶାଖୀ ସହ ଅକ୍ଟୋବର, ନଭେମ୍ବରରେ ବାତ୍ୟା ଭୟ ରହିବ। ରୋଗ ଭୟ ଯିବ ନାହିଁ। ବୃହସ୍ପତି ମୀନକୁ ଯିବା ପରେ କିଛି ନୂତନ ସୃଷ୍ଟି ଦେଖିବାକୁ ମିଳିବ।

‘ନ ଅକ୍ଷର’ରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀଙ୍କ ନାମ ଆରମ୍ଭ ହେଉଛି। କେତୁସ୍ଥିତ ରାଶି ବିଛାରେ ‘ନ ଅକ୍ଷର’ ଲୁଟନ୍ତି। ଏମାନଙ୍କ ଜୀବନରେ ଓମିକ୍ରନର ‘ଓ ଅକ୍ଷର’ ବୃଷରେ ଥିବାରୁ ଏଠାରେ ରାହୁ ସ୍ଥିତ ଥିବାରୁ ଏହି ଦୁଇ ନେତାଙ୍କ ପାଇଁ ଓମିକ୍ରନ ନିୟନ୍ତ୍ରଣ ଚାଲେଞ୍ଜ ହେବ। ୨୦୨୨ ଏହି ଦୁଇ ନେତାଙ୍କ ପାଇଁ ବିଶେଷ ଶୁଭପ୍ରଦ ହେବନାହିଁ।

ଡକ୍ଟର ଅଜୟ ବେହେରା
ବିଶିଷ୍ଟ ଜ୍ୟୋର୍ତିବିଦ୍
ଅରୁଣୋଦୟନଗର, କଟକ

ସମ୍ବନ୍ଧିତ ଖବର