ନେତାଙ୍କୁ ଶୁଭେଚ୍ଛାର ସୁଅ

ଭୁବନେଶ୍ୱର : ନୂଆ ବର୍ଷର ପ୍ରଥମ ଦିନ କ୍ଷମତା କେନ୍ଦ୍ର ପାଖରେ ଜୋର୍‌ଦାର୍‌ ଭିଡ଼ ଦେଖିବାକୁ ମିଳିଥିଲା। ଯେଉଁ ମନ୍ତ୍ରୀ, ବିଧାୟକ ଓ ସାଂସଦ ଭୁବନେଶ୍ୱରରେ ଥିଲେ, ସେଠି ନିଜ ନିର୍ବାଚନମଣ୍ଡଳୀ ସମେତ ବିଭିନ୍ନ ସ୍ଥାନରୁ ଛୁଟି ଆସିଥିଲେ ଶୁଭେଚ୍ଛୁମାନେ। ଏମ୍‌ଏଲ୍‌ଏ କଲୋନି ଓ ମନ୍ତ୍ରୀଙ୍କ କ୍ୱାର୍ଟର୍ସଗୁଡ଼ିକ ପାଖରେ ଦିନତମାମ ଗହଳିଚହଳି ଲାଗି ରହିଥିଲା। ଫୁଲତୋଡ଼ା ଦେବା, ମିଠା ବଣ୍ଟାରେ ବିତିଯାଇଥିଲା ଦିନଟି।

ଆଜି ସକାଳୁ ସକାଳୁ ସର୍ବାଧିକ ଗହଳି ହୋଇଥିଲା ନବୀନ ନିବାସରେ। ୭ଟାରୁ ଲୋକ ଆସିବା ଆରମ୍ଭ କରିଦେଇଥିଲେ। ଅଧିକାଂଶ ମନ୍ତ୍ରୀ, ବିଧାୟକ, ସାଂସଦ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ। ବିଜେଡିର ବିଭିନ୍ନ ଛାମୁଆ ସଂଗଠନର ନେତାମାନେ ବି ପହଞ୍ଚିଥିଲେ। ସମସ୍ତେ ଧାଡ଼ି ବାନ୍ଧିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେବା ପାଇଁ। ନବୀନ ନିବାସ ଫାଟକ ଆଜି ସାହାଣ ମେଲା କରାଯାଇଥିଲା। ସମସ୍ତଙ୍କୁ ଅନୁମତି ମିଳୁଥିଲା ଭିତରକୁ ଯିବା ପାଇଁ। ୮ଟା ୩୦ ସୁଦ୍ଧା ଲୋକାରଣ୍ୟ ହୋଇଯାଇଥିଲା ନବୀନ ନିବାସ ପରିସର।

୯ଟା ୧୫ରେ ମୁଖ୍ୟମନ୍ତ୍ରୀ ବାହାରକୁ ଆସିଲା ମାତ୍ରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ପରସ୍ପର ଭିତରେ ପ୍ରତିଯୋଗିତା ଚାଲିଥିଲା କିଏ ପ୍ରଥମେ ଫୁଲତୋଡ଼ା ଦେବ। ଏମିତି ଠେଲାପେଲା ହେଲା ଯେ ବହୁ ଲୋକଙ୍କ ଫୁଲତୋଡ଼ା ମୁଖ୍ୟମନ୍ତ୍ରୀଙ୍କ ଯାଏଁ ପହଞ୍ଚି ପାରି ନ ଥିଲା। ମୁଖ୍ୟମନ୍ତ୍ରୀ କିଛି ସମୟ ଠିଆ ହୋଇ ଫଟୋ ପାଇଁ ପୋଜ୍‌ ଦେଲେ। ସମସ୍ତଙ୍କ ହାତ ହଲାଇ ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ। ପ୍ରାୟ ୯ଟା ୪୫ରେ ମୁଖ୍ୟମନ୍ତ୍ରୀ ଯାଇଥିଲେ ରାଜଭବନ। ସେଠାରେ ରାଜ୍ୟପାଳଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇ ପୁଣି ନବୀନ ନିବାସ ଫେରିଥିଲେ। ଆଉ କିଛି ଶୁଭେଚ୍ଛୁଙ୍କ ଠାରୁ ଫୁଲତୋଡ଼ା ଗ୍ରହଣ କରି ପୁରୀ ଅଭିମୁଖେ ଯାଇଥିଲେ।

କଂଗ୍ରେସ ଭବନରେ ମଧ୍ୟ ଶୁଭେଚ୍ଛାର ପର୍ବ ଚାଲିଥିଲା। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିଜେ ଉପସ୍ଥିତ ରହି ଶୁଭେଚ୍ଛୁଙ୍କ ଠାରୁ ଫୁଲତୋଡ଼ା ଗ୍ରହଣ କରୁଥିଲେ। କଂଗ୍ରେସର ଆଉ କିଛି ନେତା ସେଠାରେ ଉପସ୍ଥିତ ଥିଲେ।

କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ବହୁ କଂଗ୍ରେସ ନେତା, କର୍ମୀ ଓ ଶୁଭେଚ୍ଛୁ ତାଙ୍କ ଆଇଆର୍‌ସି ଭିଲେଜସ୍ଥିତ ବାସଭବନରେ ଭିଡ଼ ଜମାଇଥିଲେ। ସକାଳୁ ଅପରାହ୍ନ ଯାଏଁ ଅଭିନନ୍ଦନର ଆସର ଚାଲିଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ଭୁବନେଶ୍ୱରରେ ନ ଥିଲେ।

ବିଜେପି ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କେଭି ସିଂହଦେଓ ମଧ୍ୟ ଭୁବନେଶ୍ୱରରେ ଅନୁପସ୍ଥିତ ଥିବାରୁ ଉଭୟଙ୍କ ବାସଭବନ ଖାଁ ଖାଁ ଲାଗୁଥିଲା। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ବାସଭବନରେ ଶୁଭେଚ୍ଛୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ନିକଟରେ ମନ୍ତ୍ରୀ ପଦ ହରାଇଥିବା ଦାମୋଦର ରାଉତଙ୍କ ବାସଭବନରେ କମ୍‌ ଭିଡ଼ ନ ଥିଲା। ଯୁବକ, ଯୁବତୀଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ବାସଭବନକୁ ଯାଇ ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ଲୋକ ଭିଡ଼ ଦେଖି ଉତ୍ସାହିତ ଥିବା ଶ୍ରୀ ରାଉତ ଗଣମାଧ୍ୟମକୁ କହିଥିଲେ, ଏମିତି ଲୋକଙ୍କ ଭଲ ପାଇବା ଦୀର୍ଘ ଦିନର ରାଜନୈତିକ ଜୀବନରେ ଶ୍ରେଷ୍ଠ ଉପହାର। କୌଣସି ପଦପଦବି ଏହା ଠାରୁ ବଡ଼ ନୁହେଁ।

ସମ୍ବନ୍ଧିତ ଖବର