ଭୁବନେଶ୍ବର: କରୋନା ସଂକ୍ରମଣ ବଢୁଥିବା ବେଳେ ଭିଡକୁ ନିୟନ୍ତ୍ରଣ କରି ସଂକ୍ରମଣ ରୋକିବା ସହ କଟକଣା କଡାକଡି କରାଯାଉଛି । ସରକାରୀ ଅଫିସରେ ମଧ୍ୟ ନୂଆବର୍ଷ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହାସହ କଟକ-ଭୁବନେଶ୍ୱର ଦ୍ୱୈତନଗରୀରେ ଆଗାମୀ ୨ ଦିନ ଜୋରଦାର ହେବ ବ୍ଲକିଂ ଓ ଚେକିଂ । ଏହାରି ଭିତରେ ଜାନୁଆରୀ ମାସ ପାଇଁ ଗାଇଡଲାଇନ ଆସିଛି । ଯେଉଁଥିରେ ବଣଭୋଜି, ରାଲି, ସାଂସ୍ମୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି । ଏପରିକି କଟକଣା ଭିତରେ ବିବାହ ଓ ଦଶାହ କାମକୁ ଅନୁମତି ଦିଆଯାଇଛି ।

Advertisment

ନୂଆବର୍ଷ ପୂର୍ବରୁ ସରକାରଙ୍କ ଆଗାରେ ନୂଆ ଆହ୍ୱାନ ହୋଇ ଛିଡା ହୋଇଛି କରୋନାର ଦ୍ରୁତ ସଂକ୍ରମଣ । ଭିଡକୁ ନିୟନ୍ତ୍ରଣ କରି ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ନେବା ଆରମ୍ଭ ହୋଇଛି । ଏହି ମର୍ମରେ ସରକାରୀ ଅଫିସରେ ମଧ୍ୟ ନୂଆବର୍ଷ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।

ନୂଆବର୍ଷରେ ସରକାରୀ ଅଫିସରେ ଏକାଠି ହେବେନି ଏକାଧିକ ଲୋକ
କେହି ଫୁଲ ଦେଇ ନୂଆବର୍ଷ ଅଭିନନ୍ଦନ ଜଣାଇ ପାରିବେ ନାହିଁ
ଅନଲାଇନରେ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବାକୁ ନିର୍ଦ୍ଦେଶ
ସେପଟେ କଟକ-ଭୁବନେଶ୍ୱର ଦ୍ୱୈତନଗରୀରେ ଆଗାମୀ ୩ ଦିନ ଜୋରଦାର ହେବ ବ୍ଲକିଂ ଓ ଚେକିଂ । ଜିରୋ ନାଇଟ୍ ଓ ନୂଆବର୍ଷ ସେଲିବ୍ରେସନ୍ ଉପରେ ସରକାର କଟକଣା ଲଗାଇଥିବାରୁ ସପିଂ ମଲ, ରେଷ୍ଟୁରାଣ୍ଟ, ବାର ଓ କ୍ଲବ ଉପରେ ଗତକାଲିଠାରୁ ଯାଞ୍ଚ ଆରମ୍ଭ ହୋଇଛି । କୋଭିଡ ନିୟମ ପାଳନ ନକଲେ ଅନୁଷ୍ଠାନକୁ ସିଲ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ।

ଅନ୍ୟପଟେ ଓମିକ୍ରନ୍ ସଂକ୍ରମଣ ବଢୁଥିବାରୁ କଟକଣା ଭିତରେ ରାଜ୍ୟରେ ପାଳନ ହେବ ନୂଆବର୍ଷ । ୩୧ରୁ ଜାନୁଆରୀ ୨ ତାରିଖ ପାଇଁ କଟକଣା ଜାରି କରାଯାଇଛି । ଜିରୋ ନାଇଟ୍ ଓ ନୂଆବର୍ଷ ସେଲିବ୍ରେସନ୍ ଉପରେ କଟକଣା ଲଗାଯାଇଛି । ପିକନିକ୍ କିମ୍ବା ବଣଭୋଜି ହୋଇପାରିବ ନାହିଁ । ରାଲି, ସାଂସ୍ମୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଯାଇଛି । ଏପରିକି କଟକଣା ଭିତରେ ବିବାହ ଓ ଦଶାହ କାମକୁ ଅନୁମତି ଦିଆଯାଇଛି । ତେବେ କରୋନାର ହଟସ୍ପଟ ପାଲଟିଥିବା ମୁମ୍ବାଇ ସହରରେ ଆଗାମୀ ୧୫ ଜାନୁଆରୀ ଯାଏଁ କଠୋର କଟକଣା ଲଗାଯାଇଛି ।

ବଢୁଛି କରୋନା, ମୁମ୍ବାଇରେ କଟକଣା

-ସଂଧ୍ୟା ୫ରୁ ସକାଳ ୫ ଯାଏ ବିଚ୍, ପାର୍କକୁ ଯିବା ଉପରେ କଟକଣା
-ଏପରିକି ଖୋଲା ପଡିଆ, ସର୍ବସାଧାରଣ ସ୍ଥାନରେ ବି ଭିଡ ମନା
-ସର୍ବାଧିକ ୫୦ ଜଣଙ୍କୁ ନେଇ ହୋଇପାରିବ ବିବାହ ଉତ୍ସବ
-୫୦ ଜଣଙ୍କୁ ନେଇ ହୋଇପାରିବ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ
-ସର୍ବାଧିକ ୨୦ ଜଣରେ ହୋଇପାରିବ ସୁଦ୍ଧି ଓ ଦଶାହ କର୍ମ
ମେଟ୍ରୋ ସିଟିରେ ମାଡିଚାଲିଛି କରୋନା । ମୁମ୍ବାଇ ଓ ଦିଲ୍ଲୀ ପୁଣି ଥରେ କରୋନାର ହଟସ୍ପଟ୍ ହୋଇଛି । ମୁମ୍ବାଇରେ ୨୪ ଘଣ୍ଟା ମଧ୍ୟରେ ୩୬୭୧ ନୂଆ ମାମଲା ଆସିଥିବା ବେଳେ ଦିଲ୍ଲୀରେ ୮ ମାସ ପରେ ସବୁଠାରୁ ଅଧିକ ୧୩୧୩ କେସ୍ ଆସିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ୟେଲୋ ଆଲର୍ଟ ଜାରି କରି କଟକଣା ସବୁ ଲଗାଯାଇଛି । ରାତି କର୍ଫ୍ୟୁ ସାଙ୍ଗକୁ ସ୍କୁଲ, କଲେଜ, ସିନେମା ହଲ, ଜିମ ସବୁ ବନ୍ଦ କରିଦିଆଯାଇଛି । ବଡ ରାଜନୈତିକ ଓ ସାଂସ୍କୃତିକ ସମାବେଶକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ସହରରେ ହୋଟେଲ, ରେଷ୍ଟୁରାଣ୍ଟ ଆଦି ୫୦ ପ୍ରତିଶତ କ୍ଷମତାରେ ଚାଲିବାକୁ ଅନୁମତି ଦିଆଯାଇଛି ।