ଭୁବନେଶ୍ବର : ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଓ ନୂତନ ଭାବେ ଅନୁଦାନପ୍ରାପ୍ତ ସ୍କୁଲ୍ର ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀମାନଙ୍କୁ ସରକାର ନୂଆ ବର୍ଷ ଭେଟି ଦେଇଛନ୍ତି। ସେମାନଙ୍କ ପାଇଁ ସପ୍ତମ ବେତନ କମିସନ୍ ଲାଗୁ କରାଯାଇଛି। ୨୦୨୨ ଜାନୁଆରି ୧ରୁ ସେମାନେ ବର୍ଦ୍ଧିତ ଦରମା ପାଇବେ। ଏହାଦ୍ବାରା ରାଜକୋଷ ଉପରେ ବର୍ଷକୁ ଅତିରିକ୍ତ ୨୯୨ କୋଟି ଟଙ୍କାର ବୋଝ ପଡ଼ିବ। ଶୁକ୍ରବାର ଦିନ ରାଜ୍ୟ କ୍ୟାବିନେଟ୍ରେ ଏହି ନିଷ୍ପତ୍ତି ହୋଇଛି।
ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଓ ପୂର୍ବତନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀମାନେ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ, ୨୦୦୮ ଅନୁଯାୟୀ ଅନୁଦାନ ପାଇ ଆସୁଛନ୍ତି। ସପ୍ତମ ବେତନ କମିସନ୍ ଲାଗୁ କରିବା ଲାଗି ସେମାନେ ବହୁ ଦିନରୁ ଦାବି କରି ଆସୁଥିଲେ। ଆସନ୍ତା ଜାନୁଆରି ୧ ତାରିଖରୁ ସପ୍ତମ ବେତନ କମିସନ୍ ହାରରେ ବର୍ଦ୍ଧିତ ଆର୍ଥିକ ଅନୁଦାନ ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ପ୍ରାୟ ୧୫,୬୬୪ ଅଧ୍ୟାପକ ଓ କର୍ମଚାରୀ ଉପକୃତ ହେବେ ଓ ସରକାର ଅତିରିକ୍ତ ୧୬୬ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବେ।
ସେହିପରି ନୂତନ ଭାବେ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାର ଶିକ୍ଷକ ଓ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ୍ ହାରରେ ଦରମା ପ୍ରଦାନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏହାଦ୍ବାରା ଶତ ପ୍ରତିଶତ ଅନୁଦାନ ପାଉଥିବା ୨୬,୧୬୪ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ। ସରକାର ୧୨୬ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବେ।
ମହଙ୍ଗା ଭତ୍ତା ୩% ବଢ଼ିଲା, ସପ୍ତମ ବେତନ କମିସନର ୩୦% ବକେୟା ଦେୟ ବି ମିଳିବ
ଭୁବନେଶ୍ବର : ନୂଆ ବର୍ଷରେ ସରକରୀ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ୦୧/୦୭/୨୦୨୧ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଶୁୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଛି। ସଂଶୋଧିତ ହାରରେ ପେନ୍ସନ୍ ପାଉଥିବା ପେନ୍ସନଭୋଗୀଙ୍କ ଟି.ଆଇ.ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ବାରା ରାଜ୍ୟର ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ତଥା ପେନ୍ସନଭୋଗୀ ଉପକୃତ ହେବେ।ଏହା ସହିତ ସପ୍ତମ ବେତନ କମିସନ ବାବଦ ୩୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମାର ୫୦ ପ୍ରତିଶତ ପାଇସାରିଛନ୍ତି। ଏହା ଦ୍ବାରା ରାଜ୍ୟର ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/naveen-patnaik-1.jpg)