ନୂଆବର୍ଷର ନୂଆ ସଂକଳ୍ପ

ଦେବେନ୍ଦ୍ର ସାମନ୍ତରାୟ

ସବୁ ରାତି ଶେ‌ଷରେ ଏକ ସୁନ୍ଦର ସୂର୍ଯ୍ୟୋଦୟ ଆସେ। ଏହା ପ୍ରକୃତିର ଧରାବନ୍ଧା ନିୟମ। ହଁ, ଅବଶ୍ୟ ବେଳେବେଳେ ଏଥିରେ ସାମାନ୍ୟ ବ୍ୟତିକ୍ରମ ଆମ ଆଖିରେ ପଡ଼ିଥାଏ। ମେଘ ବା କୁହୁଡ଼ିରେ ଭୋର ସକାଳର ଆକାଶ ଯଦି ଆଚ୍ଛାଦିତ ହୋଇଯାଇଥାଏ ତେବେ ସେ ସୁନ୍ଦର ସୂ‌େର୍ଯ୍ୟାଦୟ ଆମେ ଦେଖିପାରୁନା। ମାତ୍ର ତା’ର ଅର୍ଥ କଦାପି ନୁହେଁ ଯେ, ସେଦିନ ପୂର୍ବାକାଶରେ ସିନ୍ଦୁରା ଫାଟେନି କି ସୂ‌େର୍ଯ୍ୟାଦୟ ହୁଏନାହିଁ। ଆଜି ନୂଆବର୍ଷ ୨୦୨୧କୁ ସ୍ବାଗତ କଲାବେଳେ ମନରେ ସେଇଭଳି ଏକ ଭ୍ରମ ସୃଷ୍ଟି ହେଉଛି।

ଅନ୍ୟ ବର୍ଷ ଭଳି ଆଜି ନୂଆବର୍ଷର ଆଡ଼ମ୍ବର ନାହିଁ। ଜିରୋ ନାଇଟ୍‌ରେ କର୍ଫ୍ୟୁ, ସକାଳୁ ଧର୍ମସ୍ଥଳୀ ଯିବାର ବାଟ ବି ବନ୍ଦ। ସାରା ବିଶ୍ବରେ ଘୋଟି ରହିଥିବା କରୋନାର କଳା ମେଘ ସବୁ ଉତ୍ସାହ ଓ ଉଦ୍ଦୀପନାକୁ ଢ଼ାଙ୍କି ପକାଇବାକୁ ଚେଷ୍ଟିତ। ଚୀନ୍‌ ପଟୁ ଆସିଥିବା କରୋନା ଲହର ଥମିବାକୁ ବସିଥିବା ବେଳେ ଏବେ ବ୍ରିଟେନ୍‌ ପଟୁ ଆସୁଥିବା ଦ୍ବିତୀୟ ଲହରୀ ପାଇଁ ଭାରତ ଭୀତତ୍ରସ୍ତ। କିଛି ସ୍ଥାନରେ ସଂକ୍ରମଣ କମିଛି। କିନ୍ତୁ ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁସଂଖ୍ୟାର ନୂଆ ଅନୁପାତ ଲୋକଙ୍କୁ ଡରାଇବା ଆରମ୍ଭ କରିଛି। ନୂଆବର୍ଷରେ ସାମୂହିକ ଉତ୍ସବ ପରିବର୍ତ୍ତେ ସାମୂହିକ ଟୀକାଦାନ ପାଇଁ ଯୋଜନା ଓ ପ୍ରସ୍ତୁତି ଚାଲିଛି। କିନ୍ତୁ ଏହାର ସଫଳତା ନେଇ ସନ୍ଦେହ ଦୂର ହୋଇପାରୁନି। ଟିକାଗୁଡ଼ିକର ବ୍ୟାପକ ଓ ସଘନ ପରୀକ୍ଷା ହୋଇନାହିଁ। କରୋନା ଚିକିତ୍ସା ବେଳେ ବିଭିନ୍ନ ଔଷଧର ପରୀକ୍ଷାମୂଳକ ଓ ପ୍ରଚାରଧର୍ମୀ ପ୍ରୟୋଗ ଯୋଗୁ ଯେଉଁ ଅବସ୍ଥା ହୋଇଥିଲା, ଏବେ ଟିକା ପାଇଁ ମଧ୍ୟ ସେଇଭଳି ଅବସ୍ଥା ସୃଷ୍ଟି ହେବାକୁ ଯାଉଛି। ‌କେଉଁ କଂପାନିର ଟିକା ବେ‌ଶି ପ୍ରଭାବଶାଳୀ ହେବ, କେଉଁ ଟିକାର ପାର୍ଶ୍ବ ପ୍ରତିକ୍ରିୟା ଅଧିକ ରହିବ, କେଉଁ ଟିକା କେତେ ଦାମ୍‌ରେ ମିଳିବ ସେ ନେଇ ଏବେଠାରୁ ବିତର୍କ ଓ ଟଣାଓଟରା ଚାଲିଛି। ଏ ସବୁ ପଛରେ ବହୁରାଷ୍ଟ୍ରୀୟ ଔଷଧ କଂପାନିଙ୍କ ବିପଜ୍ଜନକ ବ୍ୟାବସାୟିକ ଖେଳ ବି ଦେଖିବାକୁ ମିଳିଲାଣି। ଏ ସବୁ ଭିତରେ ଅଣନିଶ୍ବାସୀ ମଣିଷ ପାଇଁ ନୂଆବର୍ଷ ଏକ କ୍ୟାଲେଣ୍ଡର ବଦଳ ଦିବସ ପାଲଟି ଯାଇଛି।

ଅବଶ୍ୟ ରୋଗ, ଔଷଧ ଓ ଟିକାର ଏ ଖେଳ କିଛି ନୂଆ କଥା ନୁହେଁ। ବିଜ୍ଞାନ ଓ ପ୍ରାଦ୍ୟୋଗିକ ଜ୍ଞାନ କୌଶଳର ବିକାଶ ଦିନରୁ ହିଁ ଏ‌ ଖେଳ ଆରମ୍ଭ ହୋଇଛି। ତେବେ ବିଶ୍ବବ୍ୟାପୀ କୋଭିଡ୍‌ ସଂକ୍ରମଣ ବେଳେ ଏ ଖେଳର ନଗ୍ନ ରୂପ ପଦାରେ ପଡ଼ିଛି। ଲକ୍ଷ କି କୋଟିର ନୁହେଁ, ବିଲିୟନ, ଟ୍ରିଲିୟନ୍‌ ଡଲାରର ଖେଳ ଚାଲିଛି। ବିଶ୍ବ ଔଷଧ ବଜାରରେ ନିଜର ଆଧିପତ୍ୟ ଜାହିର କରିବା ପାଇଁ ଧନୀ ଦେଶ ଓ ବଡ଼ ବହୁରାଷ୍ଟ୍ରୀୟ କଂପାନି ନାମୀଦାମୀ ବିଶ୍ବବିଦ୍ୟାଳୟ ଓ ଗବେଷକଙ୍କୁ ଧରି ଏ ଖେଳ ଖେଳୁଛନ୍ତି। ଆମ ଭଳି ସାଧାରଣ ଲୋକ ଏଠି ନିରୁପାୟ। ରୋଗ ହେବ ତ ଔଷଧ କିଣି ଖାଇବାକୁ ପଡ଼ିବ। ଯେତେ ନୂଆ ରୋଗ ସେତେ ଦାମୀ ଔଷଧ। ଗତ କରୋନା କାଳରେ ସାଧାରଣ ଏଜିଥ୍ରୋମାଇସିନ୍‌, ସେଟ୍ରିଜିନ୍‌, ପାରାସିଟାମଲ କି ଇଭେରମେକ୍ଟିନ୍‌ ଭଳି ମାମୁଲି ବଟିକା ବି କିପରି ଚଢ଼ା ଦାମ୍‌ରେ ବିକ୍ରି ହେ‌ଲା ତାହା ସମସ୍ତେ ଦେଖିଛନ୍ତି। ଏମିତିକି କରୋନା ପୂର୍ବରୁ ଟଙ୍କା‌ଏରୁ ୫ ଟଙ୍କା ମଧ୍ୟରେ ବିକ୍ରି ହୋଇଥିବା ବଟିକାକୁ କରୋନା କାଳରେ ଲୋକେ ୫ରୁ ୨୫ ଟଙ୍କା ପର୍ଯ୍ୟନ୍ତ ଦେଇ କିଣିବାର ମଧ୍ୟ ଦେଖିବାକୁ ମିଳିଛି।

ଗୋଟିଏ ସାଧାରଣ ହିସାବ ଦେଖିଲେ ଏ ଖେଳର ଗୁରୁତ୍ବ ବୁଝିବା ସହଜ ହେବ। ଉଦାହରଣ ସ୍ବରୂପ ମନେ କରନ୍ତୁ କରୋନା ପାଇଁ ଏଥର ଭାରତରେ ପ୍ରାୟ ଶହେ କୋଟି ଲୋକ ଭିଟାମିନ୍‌ ବଟିକା କିଣି ଖାଇଲେ। ଆଗରୁ ଗୋଟିଏ ଭିଟାମିନ୍‌ ସି ବଟିକାର ଦାମ ଧରନ୍ତୁ ମାତ୍ର ଟଙ୍କାଟିଏ ଥିଲା। କରୋନା ବେଳେ ସେହି ବଟିକାକୁ ନିର୍ମାତା କମ୍ପାନି ପ୍ୟାକେଜିଂ ଓ ନାମ ବଦଳାଇ ୩ ଟଙ୍କାରେ ଯଦି ବିକିଲା, ତେବେ ଗୋଟିଏ ବଟିକାରୁ ଦୁଇ ଟଙ୍କା ଅଧିକ ଲାଭ କଲା। ଅର୍ଥାତ ଦିନକୁ ୨୦୦ କୋଟିର ଅଧିକ ଆୟ। ମାସକୁ ୬୦୦୦ କୋଟି। ବର୍ଷକୁ ୭୨୦୦୦ କୋଟି। ଏହା ତ କେବଳ ପ୍ରତୀକାତ୍ମକ ଚିତ୍ର। ଅସଲ ବେପାର ଏହାଠାରୁ ଯଥେଷ୍ଟ ଅଧିକ। ଖାଲି ଟିକେ କାଗଜକଲମ ଓ କାଲ୍‌କୁଲେଟର ଧରି ଔଷଧ ବ୍ୟବସାୟର ଏ ଅଙ୍କ ଭିତରେ ପଶନ୍ତୁ। ମୁଣ୍ଡ କାମ କରିବନି! ସରକାରମାନେ ଏ ଖେଳରେ କେବଳ ନିରବଦ୍ରଷ୍ଟା। ତେବେ ସରକାରୀ ବାବୁ ଓ ଡାକ୍ତରଙ୍କ ପାଇଁ ଲାଭାଂଶ ସଂରକ୍ଷିତ। ଡାକ୍ତରମାନଙ୍କୁ ଦ୍ବିତୀୟ ଭଗବାନ୍‌ କୁହାଯାଏ। କିନ୍ତୁ ଏବେ ଭୟ ଓ ଆତଙ୍କର ବାତାବରଣ ତିଆରି କରି ଡାକ୍ତରୀବିଦ୍ୟାର ଦୁରୂପଯୋଗ କରାଯାଉଛି। ଫାର୍ମା କଂପାନିଙ୍କ ମୁନାଫା ଦୌଡ଼ରେ ଦ୍ବିତୀୟ ଭଗବାନ ବି ହାତବାରିସି ସାଜିଛନ୍ତି।

୨୦୨୦ ନିଜେ କଳାବର୍ଷର ଅପବାଦ ମୁଣ୍ଡାଇଥିଲେ ମଧ୍ୟ ଏଭଳି ଅନେକ କଳାସତ୍ୟ ଉପରୁ ପରଦା ହଟାଇ ଦେଇଛି। ସାମାଜିକ ଦୂରତା ସିନା ବଢ଼ାଇ ଦେଇଛି ହେଲେ, ଲୋକଚରିତ୍ର ଓ ମଣିଷପଣିଆର ଚିତ୍ରକୁ ଖୋଲାଖୋଲି ଭ‌ାବେ ଦୁନିଆକୁ ଦେଖାଇଛି। ମାସ୍କ୍‌ ପିନ୍ଧିବାକୁ ସମସ୍ତଙ୍କୁ ବାଧ୍ୟ କରିଛି, ହେଲେ ଅନେକଙ୍କ ମୁଖା ଖୋଲି ଦେଇଛି। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ରେ ଅର୍ଥନୀତି, ଶିକ୍ଷାବ୍ୟବସ୍ଥାକୁ ସିନା ଉଜାଡ଼ି ଦେଇଛି, ହେଲେ ସମାଜକୁ ଅନେକ ଶିକ୍ଷା ଦେବାର ଭରପୂର ପ୍ରୟାସ କରିଛି। ସେଥିରୁ ଆମେ କିଛି ଶିଖିବା ନା ଚିରାଚରିତ ଭାବେ ଏହାକୁ ନଜରଅନ୍ଦାଜ କରିବା; ତାହା ଏବେ ଆମ ଉପରେ ନିର୍ଭର କରୁଛି।

ନୂଆବର୍ଷର ନୂଆ ସକାଳରେ କିଛି ନୂଆ ସଂକଳ୍ପ ଗ୍ରହଣ କରାଯାଏ। କିଏ କିଛି ଖରାପ ଅଭ୍ୟାସ/ଗୁଣ ପରିତ୍ୟାଗ କରି ଭଲ ଓ ନୂଆ କାମ କରିବାକୁ ସଂକଳ୍ପ ନିଅନ୍ତି ତ କିଏ ସେ ସଂକଳ୍ପ ଉପରେ କାର୍ଯ୍ୟ ଆରମ୍ଭ କରନ୍ତି। ଆଜି ଶୁଭ ସଂକଳ୍ପର ସେହି କ୍ଷଣ ଆପଣଙ୍କ ସମ୍ମୁଖରେ। ତେଣୁ ନିଶ୍ଚିତ ଭାବେ କିଛି ସଂକଳ୍ପ ନିଅନ୍ତୁ। ସେ ସଂକଳ୍ପ ନିଜ ପାଇଁ ହୋଇପାରେ ଅବା ସମାଜ ପାଇଁ। ଉଭୟଙ୍କ ପାଇଁ ହେଲେ ଆହୁରି ଭଲ। କାରଣ ନିଜେ ଠିକ୍‌ ରହିଲେ ହିଁ ସମାଜ ପାଇଁ କିଛି କରିହେବ। ଏଥିଲାଗି ବ୍ୟକ୍ତିଗତ ସୁସ୍ଥତା ସବୁଠାରୁ ବେଶି ଜରୁରୀ। କରୋନାକାଳ ଆମକୁ ଯେଉଁ ଭବିତବ୍ୟର ସୂଚନା ଦେଉଛି ସେଥିରେ ସବୁଠାରୁ ବଡ଼ ଇଙ୍ଗିତ ହେଉଛି ବ୍ୟକ୍ତିଗତ ସୁସ୍ଥତା ଓ ସ୍ବଚ୍ଛତା। ଆମକୁ ରୋଗ ବିରୋଧରେ ଲଢ଼େଇ କରିବାର ଅଛି। ସମାଜ ଓ ପରିବେଶକୁ ସ୍ବଚ୍ଛ ରଖିବାର ବି ଅଛି। ଏ ଲଢ଼େଇ ସହଜ ନୁହେଁ। କାରଣ, ଯେଉଁମାନଙ୍କୁ ଏହି ଲଢ଼େଇରେ ଆମେ ଆମର ମୁଖ୍ୟ ସହଯୋଗୀ ବୋଲି ଭାବୁଛୁ, ସେମାନେ ହିଁ ଗେମ୍‌ ଫିକ୍ସିଂ କରୁଛନ୍ତି। ତେଣୁ ରୋଗ ବିରୋଧରେ ଲଢ଼େଇରେ ଏଣିକି ନିଜ ଶକ୍ତି ନିଜକୁ ବଢ଼ାଇବାକୁ ପଡ଼ିବ। ନିଜେ ପାଖରେ ହିଁ ରହିଥିବା ଶ୍ରେଷ୍ଠ ଉପାୟ ଓ ଆୟୂଧ ଧରିବାକୁ ପଡ଼ିବ। କୋଟି କୋଟି ଲୋକଙ୍କ ଏହି ବ୍ୟକ୍ତିଗତ ଲଢ଼େଇ ସାମୂହିକ ରୂପ ନେଲେ କରୋନା କ’ଣ କୌଣସି ରୋଗ ବି ଆଉ କଳାବାଦଲ ହୋଇ ନୂଆବର୍ଷର ନବସୂର୍ଯ୍ୟ ଓ ନବଉତ୍ସାହକୁ ଢାଙ୍କି ପାରିବ ନାହିଁ।

ଉପମହାପ୍ରବନ୍ଧକ, ସମ୍ବାଦ
ସମ୍ବଲପୁର

ସମ୍ବନ୍ଧିତ ଖବର