ନ୍ୟୁୟର୍କରେ ରହୁଥିବା ଓଡ଼ିଆ ଡାକ୍ତରାଣୀଙ୍କ ମହାନତା : ଗଞ୍ଜାମକୁ ଦେଲେ ୧୫ ଲକ୍ଷର ସ୍ୱାବ୍‌ ସଂଗ୍ରହ ଭ୍ୟାନ୍‌

ବ୍ରହ୍ମପୁର : ସମଗ୍ର ବିଶ୍ବ କରୋନା ମହାବିପତ୍ତିର ମୁକାବିଲା କରୁଛି। ଏଭଳି ସମୟରେ ନ୍ୟୁୟର୍କରେ ରହୁଥିବା ଓଡ଼ିଆ ଡାକ୍ତରାଣୀ ତାପ୍ତି ପଣ୍ତା ମହାନତାର ପରିଚୟ ଦେଇଛନ୍ତି। ଗଞ୍ଜାମ ଜିଲ୍ଳାରେ କରୋନାର ମୁକାବିଲା ଲାଗି ସେ ୧୫ଲକ୍ଷ ଟଙ୍କା ମୂଲ୍ୟର ଏକ ସ୍ବାବ୍‌ ସ˚ଗ୍ରହ ଭ୍ୟାନ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଦେଇଛନ୍ତି। ଏ ନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଗତ ଶୁକ୍ରବାରଠାରୁ ଉକ୍ତ ଶୀତତାପ ନିୟନ୍ତ୍ରିତ ମୋବାଇଲ୍‌ ସ୍ବାବ୍‌ ସଂଗ୍ରହ ଭ୍ୟାନ୍‌ରେ ସ୍ବାବ୍‌ ସଂଗ୍ରହ କରି ଟେଷ୍ଟ୍‌ କରାଯାଉଛି।

ନ୍ୟୁୟର୍କର କ୍ରିଷ୍ଟାଲ ରନ୍‌ ହେଲଥ୍‌ କେୟାର୍‌ରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଲାପ୍ରୋସ୍କୋପିକ୍‌ ସର୍ଜନ ଭାବେ ତାପ୍ତି ପଣ୍ତା କାର୍ଯ୍ୟ କରୁଛନ୍ତି। ତାପ୍ତିଙ୍କ ଘର ଭୁବନେଶ୍ବର ଖାରବେଳ ନଗର ତୃତୀୟ ଲାଇନ୍‌ରେ। ସେ ତାମିଲନାଡୁରେ ଡାକ୍ତରୀ ପାଠପଢା ଶେଷ କରିବା ପରେ ୨୦୦୪‌ରେ ନ୍ୟୁୟର୍କ ଯାଇଥିଲେ। ତାଙ୍କ ସ୍ବାମୀ ରାଜନ୍‌ ସୁବାହୀ ସେଠାରେ ଛାତିରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ। ତାପ୍ତିଙ୍କ ବାପା ତାମିଲନାଡ଼ୁ କ୍ୟାଡର୍‌ର ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ହୋଇଥିବା ବେଳେ ମାଆ ରମାଦେବୀ କଲଜେରେ ଅର୍ଥନୀତି ବିଭାଗ ପ୍ରଫେସର।

ଆମ ପ୍ରତିନିଧିଙ୍କ ସହ ଫୋନ୍‌ରେ ଆଲୋଚନା ବେଳେ ଡା.ତାପ୍ତି କହିଛନ୍ତି, ଏହା ଏକ ସ୍ବତନ୍ତ୍ର ଧରଣର ଭ୍ୟାନ୍‌। ଏହି ଭ୍ୟାନ୍‌ ଦିଲ୍ଳୀର ନୋଏଡା ମ୍ୟୁନିସିପାଲଟିରେ ପ୍ରଥମେ ବ୍ୟବହାର ହେଉଥିବା ଦେଖିବାକୁ ପାଇଥିଲି। ଏହାପରେ ଉକ୍ତ ଭ୍ୟାନ୍‌ ପ୍ରସ୍ତୁତ କରୁଥିବା କମ୍ପାନି ‘ଆଜିମୁ୍‌ଥ୍‌ ବିଜିନେସ୍‌ ଅନ୍‌ ହୁଇଲ୍‌’ ସହିତ କଥା ହେଲି। ଆଇସିଏମ୍‌ଆର, ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ଏବଂ ଭୁବନେଶ୍ବର ଆରଏମ୍‌ଆରସି ସହିତ ଆଲୋଚନା କଲି। ଯେହେତୁ ମୋ ଘର ଭୁବନେଶ୍ବରରେ ତେଣୁ ଏଭଳି ଅତ୍ୟାଧୁନିକ ସୁବିଧା ରହିଥିବା ଭ୍ୟାନ୍‌ ଓଡ଼ିଶାକୁ ଦେବାକୁ ସ୍ଥିର କଲି। ଏହି ଭ୍ୟାନ୍‌ ଦ୍ବାରା ସ୍ବାବ୍‌ ସଂଗ୍ରହ କରୁଥିବା କର୍ମଚାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବେ। ରୋଗୀଙ୍କୁ ମେଡିକାଲ ଆସିବାକୁ ପଡ଼ିବ ନାହିଁ। ରୋଗୀଙ୍କ ଘର ନିକଟକୁ ଯାଇ ଭ୍ୟାନ୍‌ରେ ସ୍ବାବ୍‌ ସଂଗ୍ରହ କରିହେବ। ଭ୍ୟାନ୍‌ରେ ସ୍ବାବ୍‌ ଟେଷ୍ଟିଙ୍ଗ୍‌, ପାନୀୟ ଜଳ ଓ କ୍ଲିନିକାଲ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ରହିଛି। ଏହି ଭ୍ୟାନ୍‌କୁ ମୁଁ ଓଡ଼ିଶା ସରକାରଙ୍କୁ ଦେଇଛି। ଓଡ଼ିଶାରେ ଏବେ ଗଞ୍ଜାମର ସ୍ଥିତି ବହୁତ ଖରାପ ରହିଥିବାରୁ ସେମାନେ ଗଞ୍ଜାମକୁ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଗାଁ ଗହିଳକୁ ଏଭଳି ଭ୍ୟାନ୍‌ ନେଇ ଟେଷ୍ଟ କରିବାର ଆବଶ୍ୟକତା ରିହଛି।

ସମ୍ବନ୍ଧିତ ଖବର