ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଲା ବଦଳ! ନ୍ୟାୟାଳୟର ଦ୍ୱାରସ୍ଥ ହେଲେ ଦମ୍ପତି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ନବଜାତ ଶିଶୁ ବଦଳ। ନବଜାତ ପୁତ୍ରସନ୍ତାନକୁ ବଦଳାଇ ଏକ କନ୍ୟାସନ୍ତାନକୁ ଧରାଇ ଦିଆଯାଇଛି ବୋଲି ଭୁବନ ବ୍ଲକ୍ ସୁରପ୍ରତାପ ଗ୍ରାମର ଏକ ଦମ୍ପତି ଆଣିଛନ୍ତି ସାଂଘାତିକ ଅଭିଯୋଗ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଶିଶୁ ଅଦଳବଦଳ କରାଯାଇଥିବାର ଅଭିଯୋଗ ନେଇ ଗତ ଏକ ମାସ ଧରି ଡାକ୍ତରଖାନାଠାରୁ ଥାନା ପର୍ଯ୍ୟନ୍ତ ବିଭିନ୍ନ ମହଲରେ ଗୁହାରି କରି ନିରାଶ ହେବା ପରେ ଅଭିଯୋଗକାରୀ ଦମ୍ପତି ଶେଷରେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।

Kenyan Wallstreet

ଅଭିଯୋଗ ଅନୁଯାୟୀ, ଭୁବନ ବ୍ଲକ୍‌ ସୁରପ୍ରତାପପୁର ଗ୍ରାମର ଜିତେନ୍ଦ୍ର ସାମଲଙ୍କ ସ୍ତ୍ରୀ ତଟନୀ ନାୟକ(୨୮) ପ୍ରସବ ପାଇଁ ଗତ ମେ ୫ ତାରିଖରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ବିଶ୍ୱଜିତ ନନ୍ଦ ତାଙ୍କର ଚିକିତ୍ସା କରିଥିଲେ। ପ୍ରସବରେ ସମସ୍ୟା ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ସେ ପରାମର୍ଶ ଦେଇଥିଲେ। ତେବେ ତଟିନୀଙ୍କର ପ୍ରସବ ବେଦନା ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ନର୍ସ ତାଙ୍କର ଫିଙ୍ଗର ପ୍ରିଣ୍ଟ କରିବା ସହ ଏକ ଇଞ୍ଜେକ୍‌ସନ୍ ଦେଇଥିଲେ। ପ୍ରସବ ବେଦନା ବନ୍ଦ ହେବା ପରେ ତାଙ୍କୁ ମେ ୬ ତାରିଖରେ କାମାକ୍ଷାନଗର ଚିକିତ୍ସାଳୟର ସୁଇପର ସୁକାନ୍ତି ନାଏକଙ୍କ ପୁଅ ନିଲୁ ଏକ ଆମ୍ବୁଲାନ୍ସରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଆଣି ସକାଳ ୮ଟା ୪୨ ମିନିଟ୍ ସମୟରେ ପହଞ୍ଚାଇଥି‌ଲେ। ସେହିଦିନ ସେଠାରେ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା। ଚିକିତ୍ସାଳୟ ପକ୍ଷରୁ ପୁଅ ହୋଇଛି ନାଁ ଝିଅ ହୋଇଛି ସେ ସଂପର୍କରେ ଜିତେନ୍ଦ୍ରଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ତାଙ୍କ ସହିତ ଯାଇଥିବା ତାଙ୍କର ଧରମ ନାନୀ ତାଙ୍କୁ ଝିଅ ହୋଇଥିବା ଜଣାଇଥିଲେ।

ତେବେ ସ୍ତ୍ରୀ ତଟିନୀଙ୍କ କହିବା ଅନୁଯାୟୀ, ତାଙ୍କର ପୁଅ ହୋଇଥିବା ସେ ଦେଖିଥିଲେ। କିନ୍ତୁ ତାହାକୁ ପରେ ବଦଳାଇ ଦିଆଯାଇଛି । ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କ ହାବଭାବ ଓ କଥାବାର୍ତ୍ତାରୁ ମଧ୍ୟ ତାଙ୍କ ପିଲାକୁ ବଦଳାଇ ଦିଆଯାଇଥିବା ସନ୍ଦେହ ହୋଇଥିଲା। ଏ ସଂପର୍କରେ ତଟିନୀଙ୍କ ସ୍ୱାମୀ ଜିତେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓଙ୍କୁ ପ୍ରସବ ସମୟର ସିସିଟିଭି ଫୁଟେଜ୍ ଦେଖାଇବା ଲାଗି କହିବାରୁ ତାହା ସେମାନେ ଦେଖାଇନଥିଲେ ବୋଲି ଅଭିଯୋଗରେ ସେ ଦର୍ଶାଇଛନ୍ତି। ଏ ସଂପର୍କରେ ଜିତେନ୍ଦ୍ର ‘ମୋ ସରକାର’ ଫୋନ୍ ନମ୍ବରରେ ଅଭିଯୋଗ କରିଥିଲେ । ଚିକିତ୍ସାଳୟରେ ଖୋଲାଯାଇଥିବା ‘ସଖୀ ଡେସ୍କ’ରେ ମଧ୍ୟ ଅଭିଯୋଗ କରିଥିଲେ । କୌଣସି ସୁଫଳ ନମିଳିବାରୁ ଗତ ମେ ୯ ତାରିଖରେ ଢେଙ୍କାନାଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗର ନକଲ ସ୍ପିଡ୍‌ପୋଷ୍ଟ ମାଧ୍ୟମରେ ଏସ୍‌ପିଙ୍କ ନିକଟକୁ ମଧ୍ୟ ପଠାଇଥିବା ଜିତେନ୍ଦ୍ର ଅଭିଯୋଗରେ ଦର୍ଶାଇଛନ୍ତି ।

Kalinga TV

ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ ପିଲା ବଦଳା ଯିବା ଭଳି କୌଣସି ଅଭିଯୋଗ ଆମ ପାଖରେ ହୋଇନାହିଁ । ସେହିପରି ଏଡିଏମ୍‌ଓ ଅଭୟ ଦାସ ମଧ୍ୟ କହିଛନ୍ତି ଯେ ତାଙ୍କୁ ସିସିଟିଭି ଫୁଟେଜ୍ ଦେଖାଇବା ଓ ପିଲା ବଦଳ ସମ୍ପର୍କରେ କେହି ଅଭିଯୋଗ କରିନାହାନ୍ତି। ଅପରପକ୍ଷରେ ଟାଉନ୍ ଥାନା ଅଧିକାରୀ ଜ୍ଞାନରଂଜନ ସାମଲ କହିଛନ୍ତି ଯେ ଅଭିଯୋଗ ପାଇବା ପରେ ତାର ତଦନ୍ତ କରାଯାଇଛି । ଶିଶୁବଦଳ ସଂପର୍କରେ କୌଣସି ତଥ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମିଳିନାହିଁ। ଅଭିଯୋଗକାରୀଙ୍କୁ ବାରମ୍ବାର ଥାନା ପକ୍ଷରୁ ଡକାଯାଇ ସହଯୋଗ କରିବାକୁ କୁହାଯାଉଥିଲେ ମଧ୍ୟ ସେ ଥାନାକୁ ଆସୁନାହାନ୍ତି। ଏପରିକି ଡିଏନ୍‌ଏ ପରୀକ୍ଷା ପାଇଁ ମଧ୍ୟ ସେ କୌଣସି ପ୍ରକାର ସହଯୋଗ କରୁନାହାନ୍ତି ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।

ସବୁଆଡୁ ନିରାଶ ହେବା ପରେ ଶେଷରେ ଅଭିଯୋଗକାରୀ ଜିତେନ୍ଦ୍ର ଘଟଣାରେ ସଂପୃକ୍ତ ସମସ୍ତଙ୍କୁ ପକ୍ଷ କରି ଢେଙ୍କାନାଳ ଏସ୍‌ଡିଜେମ୍‌ଙ୍କ କୋର୍ଟରେ କପ୍ଲେନ୍ କେସ୍ (ୱାନ୍‌-ସିସି) ୪୫/୨୦୨୦ରେ ରୁଜୁ କରିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର