ବୁର୍ଲା : ବୁର୍ଲା ଭିମସାର୍ରେ କେତେବେଳେ ଆଇସିୟୁ ନ ପାଇ ତ ଆଉ କେତେବେଳେ ଡାକ୍ତରଙ୍କ ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ନଜିର ରହିଛି। ରବିବାର ମଧ୍ୟ ଚିକିତ୍ସା ଅବହେଲାରୁ ଜଣେ ନବ ଜାତକ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଡାକ୍ତରଖାନା ପରିସରରେ ରବିବାର ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁଟି ୩ ଦିନ ତଳେ ଜନ୍ମ ହୋଇଥିବା ବେଳେ ବୁର୍ଲା ଭିମସାର୍ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ରବିବାର ମୃତ୍ୟୁ ଘଟିଥିଲା।
ପ୍ରାପ୍ତ ସୂଚନା ଅନୁଯାୟୀ, ବୁର୍ଲା ଜ୍ୟୋତିବିହାରର ଅଭିଜିତ ଥନାପତିଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ବଡମାଲିଙ୍କୁ ଗତ ୧୮ ତାରିଖ ସନ୍ଧ୍ୟା ୬ଟା ବେଳେ ବୁର୍ଲା ଭିମସାର୍ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ୧୯ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ସାଧାରଣ ପ୍ରସବରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଶିଶୁପୁତ୍ରର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଥିଲେ। ଶନିବାର ଡାକ୍ତର ତାଙ୍କୁ ଘରକୁ ଯିବାକୁ କହିବା ସହ ଛୁଆକୁ ଶିଶୁ ରୋଗ ବିଭାଗର ଡାକ୍ତରଙ୍କୁ ଦେଖାଇବାକୁ ପରାମର୍ଶ ଦେଇଥିଲେ। ଶିଶୁ ରୋଗ ବିଶେଷଜ୍ଞଙ୍କୁ ଦେକାଇବାରୁ ଶିଶୁର ଅବସ୍ଥା ଗୁରୁତର ଥିବା କହିଥିଲେ ଏବଂ ଚିକିତ୍ସା ଆରମ୍ଭ କରିଥିଲେ। ରବିବାର ସକାଳ ପ୍ରାୟ ସାଢେ଼୬ ଟାରେ ଶ୍ରଦ୍ଧାଞ୍ଜଳି ଦେଖିବା ବେଳକୁ ଶିଶୁଟି ଅଚେତ ଅବସ୍ଥାରେ ଥିଲା ଏବଂ ସେ ସେଠାରେ ଥିବା ଡାକ୍ତରଙ୍କୁ ଏହା ଜଣାଇଥିଲେ।
ତାପରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ବୋଲି ପରିବାର ଲୋକେ କହିଛନ୍ତି। ତେବେ ଶିଶୁପୁତ୍ରକୁ ଜଣ୍ଡିସ୍ ହୋଇଥିଲା ବୋଲ ପରିବାର ଲୋକେ କହିବା ସହ ଏକଥା ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗର ଡାକ୍ତରମାନେ କିଭଳି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। କିଚି ସମୟ ପାଇଁ ଡାକ୍ତରଖାନା ପରିସରରେ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଚିକିତ୍ସା ଅବହେଳା ପାଇଁ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମୃତ ଶିଶୁର ବାପା ମାଙ୍କ ଭିନ୍ନ ଭିନ୍ନ ରକ୍ତ ବର୍ଗ ଥିବାରୁ ସ୍ଥିତି ଗମ୍ଭୀର ହୋଇଥିବା ବୋଲି ଭିମସାର ଅଧୀକ୍ଷକ ପ୍ରଫେସର ଲାଲ ମୋହନ ନାୟକ କହିଛନ୍ତି। ଅନ୍ୟପଟେ ଡାକ୍ତରଙ୍କ ପକ୍ଷରୁ କୌଣସି ଅବହେଳା ହୋଇ ନଥିବା ସେ କହିଛନ୍ତି।