ଜଳେଶ୍ୱର: ନବଜାତ ଶିଶୁକନ୍ୟାକୁ ବାପାମାଆ ପୋଖରୀରେ ଫିଙ୍ଗି ହତ୍ୟା ପରେ ଘରବାଡ଼ିରେ ଶବ ପୋତି ଦେଇଛନ୍ତି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ରାଇବଣିଆ ଥାନା ଅଧୀନ ଓଲମରା ପଞ୍ଚାୟତ ରାଜନଗର ଗ୍ରାମରେ। ତେବେ ଏହି ଜଘନ୍ୟକାଣ୍ଡ ପଛର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।

Advertisment

ସୂଚନା ଅନୁସାରେ; ରାଜନଗର ଗ୍ରାମର ରାମ ନାୟକଙ୍କ ପୁଅ ଦେବୁଙ୍କ ପତ୍ନୀ ସୁଭଦ୍ରା ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ତେବେ ଜନ୍ମ ହେବାର ୩ ଦିନ ପରେ; ଗତ ୧୯ ତାରିଖ ଦିନ ଏହି ଦମ୍ପତି ନବଜାତ ଶିଶୁକନ୍ୟାକୁ ପଡ଼ୋଶୀ କାଳିଆ ନାୟକଙ୍କ ବାଡ଼ିରେ ଥିବା ଗଡ଼ିଆକୁ ଫିଙ୍ଗି ଦେଇଥିଲେ। ପରେ ଶବକୁ ନେଇ ନିଜ ବାଡ଼ିରେ ପୋତି ଦେଇଥିଲେ। ଏହା ଜଣାପଡ଼ିବା ପରେ ୨୫ ତାରିଖ ଗାଁର ଭଦ୍ରବ୍ୟକ୍ତିଙ୍କୁ ନେଇ ଏକ ବୈଠକ ବସିଥିଲା। ବୈଠକରେ ଦେବୁ ଓଲଟି ଗ୍ରାମବାସୀଙ୍କୁ ଗାଳିଗୁଲଜ କରିଥିଲେ। ଫଳରେ ଦିଲ୍ଲୀପ ଦାସ ନାମକ ଜଣେ ଗ୍ରାମବାସୀ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ କେସ୍‌ ନମ୍ବର ୫୯/୨୫ରେ ଏକ ମାମଲା ରୁଜୁ କରିଥିବା ବେଳେ ଏସ୍‌ଆଇ ଲୋପାମୁଦ୍ରା ପଣ୍ଡା ତଦନ୍ତ ଭାର ନେଇଛନ୍ତି। ଦେବୁ ଓ ସୁଭଦ୍ରାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି। ଅପରପକ୍ଷରେ ସୁଭଦ୍ରା ଗର୍ଭବତୀ ହେବା ଏବଂ ଶିଶୁକନ୍ୟାକୁ ଜନ୍ମ ଦେବା ନେଇ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ଏଏନ୍‌ଏମ୍‌ ସେଣ୍ଟରରେ କୌଣସି ତଥ୍ୟ ନାହିଁ। ଅନ୍ୟପଟେ ପୋତା ଯାଇଥିବା ସ୍ଥାନକୁ ପୁଲିସ ଖୋଳିଥିଲେ ମଧ୍ୟ ଶିଶୁକନ୍ୟାର ଶବ ମିଳିନି। ଏହି ଦମ୍ପତି ବାରମ୍ବାର ବୟାନ ବଦଳାଇବା, ଶିଶୁକନ୍ୟା ଜନ୍ମ ବାବଦ କୌଣସି ସରକାରୀ ତଥ୍ୟ ନ ରହିବା ଏବଂ ଶବ ନ ମିଳିବା ଏହି ଘଟଣାକୁ ରହସ୍ୟମୟ କରିଦେଇଛି। ଏନେଇ ଜଳେଶ୍ୱର ଏସ୍‌ଡିପିଓ ମାନସ ଦେଓ କହିଛନ୍ତି, ତଦନ୍ତ ଚାଲିଛି; ଖୁବ୍‌ଶୀଘ୍ର ପୁଲିସ ଘଟଣା ଉପରୁ ପରଦା ହଟାଇବ ଏବଂ ଦୋଷୀମାନେ ଦଣ୍ଡ ପାଇବେ।