ପୁଣି ମରିଗଲା ମମତା : ଶିଶୁକନ୍ୟାକୁ ଜିଅନ୍ତା ପୋତିଲେ

ଜୟପୁର : ଆଦିବସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ନବଜାତ ଶିଶୁକନ୍ୟା ପାଇଁ ପୁଣି ଜଣେ ମା’ର ମମତା ମରିଗଲା। କିଛି ଘଣ୍ଟା ପୂର୍ବରୁ ଦୁନିଆକୁ ଆସିଥିବା ଶିଶୁକୁ ମାରି ଦେବାକୁ ହୋଇଥିଲା ପ୍ରୟାସ। ଜନ୍ମକଲା ମା’ ଏତେ ନିଷ୍ଟୁର ହୋଇଗଲା ଯେ ଜିଅନ୍ତା ପୋତିଦେଲା। କିନ୍ତୁ ଦୁନିଆକୁ ଭଲ ରୂପେ ଦେଖିବାକୁ ସୌଭାଗ୍ୟ ବଶତଃ ଶିଶୁକନ୍ୟାଟି ମାଟିତଳୁ ଉଦ୍ଧାର ହୋଇଛି। ତେବେ ବହୁ ସମୟ ଧରି ମାଟି ତଳେ ରହିବାରୁ ଅସୁସ୍ଥ ଶିଶୁକନ୍ୟାକୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତି କରାଯାଇଛି। ଏବେ ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡ଼ିଛି। ଅନ୍ୟପଟେ ଏଭଳି ହୃଦୟ ବିଦାରକ ଘଟଣା ଜୟପୁର ବ୍ଲକ ଅନ୍ତର୍ଗତ କେବିଡି ଗାଁ ଲୋକଙ୍କୁ ଥରାଇ ଦେଇଛି।

ଶୀତୁଆ ରାତିରେ ଜନ୍ମ ନେଇଥିଲା ଅଭାଗା ଶିଶୁକନ୍ୟା। ପରିବାର ପାଇଁ ହୁଏତ ସେ ଥିଲା ଆଲୋଡ଼ା। ତେଣୁ ଏହି କଅଁଳା ଛୁଆ ସହ ବର୍ବରତା କରିବାକୁ ପଛାଇ ନଥି‌ଲା ଜନ୍ମକଲା ମା’। ଜନ୍ମ ହେବାର କିଛି ଘଣ୍ଟା ପରେ ହିଁ ତାକୁ ଦୁନିଆ ଛାଡ଼ି ଚାଲି ଯିବାକୁ ବାଧ୍ୟ କରାଗଲା। କେବିଡି ଗାଁର ଶେଷମୁଣ୍ଡରେ ରହିଥିବା ଗୋଟିଏ କଲଭର୍ଟ ନିକଟରେ ଅଧା ପୋତି ଛାଡ଼ିଗଲେ। ହେଲେ ଦୁନିଆକୁ ଦେଖିବା ସହ ନିଜ ଅଧିକାରକୁ ସାବ୍ୟସ୍ତ କରିବାକୁ ହୁଏତ ଏହି ଶିଶୁଟିର ସୌଭାଗ୍ୟ ରହିଥିଲା। ତେଣୁ ସକାଳୁ ସକାଳୁ ଗାଁର କିଛି ମହିଳା ଶୌଚ ପାଇଁ ଯିବା ସମୟରେ କୁଆ‌ଁ କୁଆଁ କାନ୍ଦ ଶୁଣି ଅଟକି ଯାଇଥିଲେ। ଭଲ ରୂପେ ଖୋଜାଖୋଜି କରିବା ପରେ ଅଧା ପୋତା ହୋଇଥିବା ଶିଶୁକୁ ଉଦ୍ଧ‌ାର କରିଥିଲେ। ଗୁରୁତର ଅବସ୍ଥାରେ ଜୟପୁର ଉପକଣ୍ଠ ରାବଣାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲର ଏସଏନସିୟୁରେ ଭର୍ତି କରାଯାଇଛି।

ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ହେମନ୍ତ ପାତ୍ର ଓ ପୂର୍ଣ୍ଣିମା ଦାସଙ୍କ ସହ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଗାୟତ୍ରୀ ଦେବୀଙ୍କ ଉପସ୍ଥିତିରେ ଶିଶୁକନ୍ୟାକୁ କୋରାପୁଟକୁ ନିଆଯାଇଛି। ଏନେଇ କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧୀକାରୀ ରାଜଶ୍ରୀ ଦାସ କହିଛନ୍ତି ଯେ, କିଏ ଓ କେଉଁ ପରିସ୍ଥତିରେ ଶିଶୁକନ୍ୟାକୁ ଶୀତରାତିରେ କଲଭର୍ଟ ନିକର୍ଟରେ ଅଧା ପୋତି ଚାଲିଗଲା ତାହାର ତଦନ୍ତ ପାଇଁ ବୋରିଗୁମ୍ମା ପୁଲିସକୁ ଲିଖିତ ଭାବେ ଅଭିଯୋଗ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୩ସପ୍ତାହ ମଧ୍ୟରେ ୩ ଶିଶୁକନ୍ୟା ଏଭଳି ପରିତ୍ୟକ୍ତ ଭାବେ ଫୋପାଡିବା ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର