ରାସ୍ତାକଡ଼ରୁ ନବଜାତ କନ୍ୟା ଉଦ୍ଧାର, ଯାଜପୁରର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ‘ସା’ରେ ରଖାଗଲା

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବ୍ଲକ୍ ଅଞ୍ଚଳରୁ ଏକ ନବଜାତ କନ୍ୟା ଉଦ୍ଧାର ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଅନ୍ତର୍ଗତ ବୈରୀ ଥାନା ଅଧୀନସ୍ଥ ଶାଳପଡ଼ାରେ ଆଜି ସକାଳେ କିଛି ଲୋକ ଚା’ ପିଇବାକୁ ଆସିଥିବା ବେଳେ ରାସ୍ତାକଡ଼ରେ ଏକ ନବଜାତ କନ୍ୟାକୁ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ତାକୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏହି ନବଜାତ ଶିଶୁଟି ତିନି ବା ଚାରି ଦିନର ବୋଲି ଅନୁମାନ କରାଯାଉଛି।

ଏ ନେଇ ଲୋକେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦେଇଥିଲେ। ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଆସିବା ପରେ ଉକ୍ତ ନବଜାତ କନ୍ୟାକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଶିଶୁକନ୍ୟା ସୁସ୍ଥ ଥିବା ଜଣାଯିବା ପରେ ତାକୁ ଯାଜପୁରର ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ‘ସା’ରେ ରଖାଯାଇଥିବା ଜଣାଯାଇଛି। ଏହି ଘଟଣା ଏବେ ଯାଜପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର