୬ ମାସର ଗର୍ଭବତୀଙ୍କୁ ଅନ୍ୟ ପ୍ରସୂତିଙ୍କ ଔଷଧ ଦେଲେ, ନବଜାତ ଶିଶୁକନ୍ୟାର ମୃତ୍ୟୁ, ଡାକ୍ତରଖାନାରେ ଉତ୍ତେଜନା

ବାଲେଶ୍ବର: ରୋଗୀ ଚିକିତ୍ସାରେ ଖାମଖିଆଲ ମନୋଭାବ। ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୬ ମାସର ଗର୍ଭବତୀଙ୍କୁ ଅନ୍ୟ ଜ‌ଣେ ପ୍ରସୂତିଙ୍କ ‌ଔଷଧ ଦିଆଯିବାରୁ ଗର୍ଭବତୀଜଣକ ଏକ ମୃତ ଶିଶୁକନ୍ୟା ଜନ୍ମ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଜଳେଶ୍ବର ବ୍ଲକ ବାଇଗଣବାଡ଼ିଆ ପଞ୍ଚାୟତ ଘଣ୍ଟିଆଡ଼ି ଗ୍ରାମର ଗୀତା ଜେନା (୨୬)ଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଜଳେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୀତା ୬ ମାସର ଗର୍ଭବତୀ ଥିବାବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଗତକାଲି ସକାଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ଥିବାରୁ କେହି ଡାକ୍ତର ଦେଖିବାକୁ ଆସିନଥିଲେ। ଡ୍ୟୁଟିରେ ଥିବା ନର୍ସ ଯନ୍ତ୍ରଣା ଉପଶମ ପାଇଁ ଇଞ୍ଜେକ୍ସନ୍‌ ଦେବା ପରେ ଗୀତାଙ୍କ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ଏ ସଂପର୍କରେ ପରିବାର ଲୋକେ ନର୍ସଙ୍କୁ କହିଥିଲେ ମଧ୍ୟ କିଛି ଫଳ ମିଳିନଥିଲା। ରାତିରେ ଡାକ୍ତର ଆସି ଅଲଟ୍ରାସାଉଣ୍ଡ କରିବାକୁ କହିଥିଲେ। ଆଜି ଅଲଟ୍ରାସାଉଣ୍ଡ ରିପୋର୍ଟ ପାଇବାକୁ ଦିନ ୧୨ଟା ହୋଇଯାଇଥିଲା। ଏହି ସମୟ ମଧ୍ୟରେ ଗୀତାଙ୍କ ଅବସ୍ଥା ଖରାପ ଆଡ଼କୁ ଗତି କରିବାରୁ ପରିବାର ଲୋକେ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ କହିଥିଲେ। ଏଥିରେ ଜନୈକା ନର୍ସ ବିରକ୍ତି ହୋଇ ଏକ ଔଷଧ ଲେଖି ଦେଇଥିଲେ। ପରିବାର ଲୋକେ ଔଷଧ ଆଣି ଦେବାର ୧୫ ମିନିଟ୍‌ ପରେ ଗୀତା ଏକ ମୃତ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ।

ଏ ନେଇ ପରିବାର ଲୋକ ସନ୍ଦେହ କରି ୱାର୍ଡରେ ପଚରାଉଚରା କରିଥିଲେ। ତେବେ ଗୀତାଙ୍କୁ ଯେଉଁ ଔଷଧ ଦିଆଯାଇଥିଲା ତାହା ଅନ୍ୟ ଜଣେ ପ୍ରସୂତି ଭାରତୀ ମାଝୀଙ୍କର ବୋଲି ଗୀତାଙ୍କ ଦିଅର ଅଭିଜିତ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଗୀତାଙ୍କ ସଂପର୍କୀୟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ସିଡିଏମ୍‌ଓ ଡାକ୍ତର ଦୁଲାଲସେନ ଜଗଦେବଙ୍କଠାରେ ଅଭିଯୋଗ କରିବାକୁ ଗଲା ବେଳକୁ ସିଏ ସୁପରିନ୍‌ଟେଣ୍ଡେଣ୍ଟ ଡାକ୍ତର ସୁଜାତା ମିଶ୍ରଙ୍କ ପାଖକୁ ଯିବାଲାଗି ପରାମର୍ଶ ଦେଇଥିଲେ। ତେବେ ସୁପରିନ୍‌ଟେଣ୍ଡେଣ୍ଟ ଶ୍ରୀମତୀ ମିଶ୍ର ନଥିବାରୁ ପରିବାର ଲୋକେ ଅଭିଯୋଗ କରିପାରିନାହାନ୍ତି। ଏ ସଂପର୍କରେ ଡାକ୍ତର ଶ୍ରୀମତୀ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇନଥିଲେ।

ସମ୍ବନ୍ଧିତ ଖବର