ଆମ୍ବୁଲାନ୍ସରେ ଅକ୍ସିଜେନ୍‌ ଅଭାବରୁ ନବଜାତର ମୃତ୍ୟୁ!

ସୁନ୍ଦରଗଡ଼ : ଏକ ଅଭାବନୀୟ ଘଟଣାକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବୁର୍ଲା ସ୍ଥାନାନ୍ତର ହେଉଥିବା ବେଳେ ଆମ୍ବୁଲାନ୍ସରେ ଅକ୍ସିଜେନ ସରିଯିବା କାରଣରୁ ଜଣେ ନବଜାତଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଯାଇଛି। ମୃତ ନବଜାତ ପୁତ୍ରର ବାପା ହସ୍ପିଟାଲ କର୍ତ୍ତୃପକ୍ଷ, ଆମ୍ବୁଲାନ୍ସର ଅବ୍ୟବସ୍ଥା ଓ ସ୍ଥାନୀୟ ଆଶା କର୍ମୀଙ୍କୁ ଏଥିପାଇଁ ଦାୟୀ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି। ଅଭିଯୋଗ ଅନୁସାରେ, ସବଡେଗା ବ୍ଲକ ମାୟାବାହାଲର ଦିଲୀପ ତନ୍ତୀଙ୍କ ପତ୍ନୀ ସୁନିତାଙ୍କ ଗତ ୧୯ ତାରିଖ ରାତିରେ ଗର୍ଭ ବେଦନା ହେବାରୁ ଆଶା କର୍ମୀ ପୁଷ୍ପା କିଣ୍ଡୋଙ୍କ ସହ ତାଙ୍କୁ ଆଣି ସବଡେଗା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ କରିବା ପରେ ଆଶା କର୍ମୀ ପୁଷ୍ପା ଘରକୁ ଫେରି ଯାଇଥିଲେ। ଏପଟେ ଦିନଟେ ରହିବା ପରେ ବି ପ୍ରସବ ନ ହେବା ଓ ସୁନିତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ୨୧ ତାରିଖ ସକାଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ସୁନ୍ଦରଗଡ଼ ଡାକ୍ତରଖାନ‌ା ଅଣାଯାଇଥିଲା। ସେଠାରେ ୨୨ ତାରିଖ ସକାଳ ସାଢ଼େ ୧୦ଟା‌ରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ନବଜାତର ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ଆଇସିୟୁରେ ରଖାଯାଇଥିଲା। ସେ ଦିନ ଅପରାହ୍ନ ୪ଟାରେ ଡାକ୍ତର ନବଜାତକୁ ତୁରନ୍ତ ବୁର୍ଲା ନେଇଯିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଦିଲୀପ ଆମ୍ବୁଲାନ୍ସ ‌ପାଇବାଲାଗି ଏଠି ସେଠି ଧନ୍ଦି ହେଲେ। କେହି ନ ଶୁଣିବାରୁ ଶେଷକୁ ଆଶା କର୍ମୀଙ୍କୁ ଫୋନ କରି ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଆଶା କର୍ମୀ ଘରେ ଥାଇ ଫୋନ୍‌ ଯୋଗେ ଆମ୍ବୁଲାନ୍ସ ବ୍ୟବସ୍ଥା କରୁ କରୁ ରାତି ୯ଟା ହୋଇଯାଇଥିଲା। ୯ଟାରେ ଗୁରୁତର ଶିଶୁକୁ ଅକ୍ସିଜେନ ଲଗାଇ ବୁର୍ଲା ନିଆଯିବା ବେଳେ ରେଙ୍ଗାଲି ନିକଟରେ ଅକ୍ସିଜେନ ସରିଯିବାରୁ ସେଇଠି ହିଁ ଶିଶୁର ମୃତ୍ୟୁ ଘଟିଥିଲା। ତଥାପି ଆଶା ଆଶଙ୍କାରେ ଶିଶୁକୁ ବାପା ବୁର୍ଲା ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର