ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ପିଣ୍ଡାପଥର ସ୍ଥିତ ଲହରଙ୍ଗା ନଦୀରେ ନବ ନିର୍ମିତ ପୋଲକୁ ବୁଧବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଂଜନ ଘଡ଼େଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ଟପ୍ପୋ, କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭୁବନେଶ୍ୱର କିସାନ ଓ କୁଚିଣ୍ଡା ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏ ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଗଡ଼ପୋଷ, ପିଣ୍ଡାପଥର, ସଗରା, କିନାବଗା ଓ ରବଗା ପଞ୍ଚାୟତରେ ପଦଯାତ୍ରା ହୋଇଥିଲା। ପିଣ୍ଡାପଥର ଗ୍ରାମରେ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ମୁଣ୍ଡା, ଓରାମ, କିସାନ ସଂପ୍ରଦାୟର ପାରମ୍ପରିକ ଲୋକନୃତ୍ୟ ସମେତ କୃଷ୍ଣଗୁରୁ, ସଂକୀର୍ତ୍ତନ ଦଳ ଭାଗ ନେଇଥିଲେ। ବିଜେଡି ଜିଲ୍ଲା ଉପସଭାପତି ପ୍ରଦୀପ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ଘଡେଇ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ବଖାଣିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ବାମରା ବ୍ଲକ କାର୍ଯ୍ୟକାରୀ ସଭାପତି ରାମଲାଲ ଓଝା, ପୂର୍ବ ପଞ୍ଚାୟତ ସମିତି ଅଧ୍ୟକ୍ଷ ସଦାନନ୍ଦ କୁଜୁର, କୁଚିଣ୍ଡା ବ୍ଲକ୍‌ ସଭାପତି ଅମୂଲ୍ୟ ମିଶ୍ର, ସରପଞ୍ଚ ବିରଞ୍ଚି ମାଝି, ପୁଷ୍ପା ତିର୍କୀ, ବିମଲ ଲାକ୍ରା, ସମିତି ସଭ୍ୟ ସଂଯୁକ୍ତା ପଟେଲ, ସୌଦାମିନୀ ନାଏକ, ପ୍ରମିଳା ରୋହିଦାସ, ପୂର୍ବ ସରପଞ୍ଚ ଦିଲ୍ଲୀପ ଛତ୍ରିଆ ଓ ତ୍ରିଲୋଚନ ଲୁହା ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ବିଜେଡି ନେତା ଧର୍ମେନ୍ଦ୍ର ଶୁକ୍ଳା, ବ୍ଲକ୍‌ ଯୁବ ସଭାପତି ପ୍ରବୀଣ କବାଟ, କ୍ରିଷ୍ଣା ଖଣ୍ଡେଲୱାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।  ଅସୀମ ପଟେଲ, ଯୁବ ନେତା ମିଥୁନ କୋହ୍ଲ ଓ ସଂଜୀତ ପଟେଲ ପରିଚାଳନା କରିଥିଲେ।

Advertisment

ବହୁ ପ୍ରତୀକ୍ଷିତ ଲହରଙ୍ଗା ନାଳରେ ନିର୍ମିତ ଏହି ପୋଲଟି ୫ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ମାରାଣ୍ଡି, ସହକାରୀ ଯନ୍ତ୍ରୀ ରଜନୀକାନ୍ତ ମୁନା, ଯନ୍ତ୍ରୀ ରମାକାନ୍ତ ଦୁବେ, ବିଘ୍ନେଶ୍ବର ଲୁହା ଓ ବିଭୀଷଣ ରୋହିଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିଭଳି କେଶାଇବାହାଲ ସ୍ଥିତ ବାସୁଦେବ ଗୋଦାବରୀ ଡିଗ୍ରି ମହାବିଦ୍ୟାଳୟରେ ମନ୍ତ୍ରୀ ଶ୍ରୀ ଘଡେଇ ୩ କୋଟି ୫୦ ଲକ୍ଷ ଟଙ୍କାର ଏକ ବୃହତ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉଚ୍ଚ ଶିକ୍ଷାର ବିକାଶ ପାଇଁ ବିଶ୍ୱ ବ୍ୟାଙ୍କ ପକ୍ଷରୁ ପାଣ୍ଠି ବ୍ୟବସ୍ଥା ରହିଥିବା ବେଳେ ଏଥିରେ କଲେଜର ଆବଶ୍ୟକୀୟ କମ୍ପ୍ୟୁଟର ଲେବ, କମନ ରୁମ, ଛାତ୍ରଛାତ୍ରୀଙ୍କ କମନ ରୁମ୍‌, ୫୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲ, କ୍ଲାସ୍‌ ରୁମ୍‌ ଆଦି ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଜ୍ୟ ସଂପାଦକ ସଂଜିତ ମହାନ୍ତି, କୁଚିଣ୍ଡା ଏନ୍‌ଏସି ଅଧ୍ୟକ୍ଷ ପ୍ରଦ୍ୟୁପ୍ତ ମହାନ୍ତି, କଲେଜ ଅଧ୍ୟକ୍ଷ ଦୟା ସାଗର ପ୍ରଧାନ, ୟୁଥ୍‌ ରେଡ୍‌କ୍ରସ ସଂଯୋଜକ ହରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।