ରାୟଗଡ଼ା: ସରକାର କା ମାଲ ଦରିଆ ମେଡାଲ ସଦୃଶ୍ୟ ରାୟଗଡା ପୌର ପରିଷଦ ଅଧିନରେ ମୁକ୍ତା ଯୋଜନାରେ ନିର୍ମିତ ହୋଇଥିବା ଭେଣ୍ଡିଂ ଜୋନ ଏବେ ଭାଙ୍ଗି ଗଲାଣି।ରାୟଗଡା ସହରର ଶାସ୍ତ୍ରୀନଗରରେ ଏବଂ ଚେକାଗୁଡାରେ ଦୁଇଟି ଭେଣ୍ଡିଂ ଜୋନ ୨୦୨୨-୨୩ ଆର୍ଥିକ ବର୍ଷରେ ମୁକ୍ତା ଯୋଜନାରେ ନିର୍ମାଣ କରାଯାଇଛି। ଶାସ୍ତ୍ରୀନଗରରେ ରହିଥିବା ଭେଣ୍ଡିଂ ଜୋନରେ ୧୪ଟି ଷ୍ଟଲ ରହିଥିବା ବେଳେ ପ୍ରାୟ ୧୬ ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି। ସେହିପରି ଚେକାଗୁଡା ଠାରେ ରହିଥିବା ଭେଣ୍ଡିଂ ଜୋନରେ ୧୨ଟି ଷ୍ଟଲ ରହିଥିବା ବେଳେ ପ୍ରାୟ ୧୧ ଲକ୍ଷ ଟଂକାରେ ଏହା ନିର୍ମାଣ କରାଯାଇଛି। ରାସ୍ତାକଡରେ ବସୁଥିବା ବେପାରୀ ସହ ଅନ୍ୟ ବେପାରୀଙ୍କୁ ଥଇଥାନ କରିବା ପାଇଁ ଏହି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଛି। କିନ୍ତୁ ନିର୍ମାଣ ହେବା ପରେ ଏହାକୁ ଉଦଘାଟନ କରାଯାଇପାରି ନାହିଁ। ଉଦଘାଟନ ହେବା ପୂର୍ବରୁ ଭେଣ୍ଡିଂ ଜୋନର ଷ୍ଟଲଗୁଡିକ ଭାଙ୍ଗି ଗଲାଣି। ଅଥବା କେହି ଷ୍ଟଲର ଟିଣଗୁଡିକକୁ ଭାଙ୍ଗି ସାରିଲେଣି।

Advertisment

ଏହି ଷ୍ଟଲ ଭିତରେ ଅସାମାଜିକ ବ୍ୟକ୍ତିମାନେ ମଦ ପିଇବା ସହ ଅନ୍ୟ ଅସାମାଜିକ କାମ କରୁଥିବା ଦେଖିବାକୁ ମିଳିଛି। ଏପରିକି ଲୋକେ ଏଠାରେ ଶୌଚାଳୟ କରିସାରିଲେଣି। ଏହି ପରିବେଶକୁ ପୁତିଗନ୍ଧମୟ କରିସାରିଲେଣି। ଆଉ କିଛି ଦିନ ଏଭଳି ଅସହାୟ ଅବସ୍ଥାରେ ରହିଲେ ଗୋଟିଏ ବି ଟିଣ ଦୋକାନଗୁଡିକର ରହିବ ନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ।ଏନେଇ ମୁକ୍ତା ଯୋଜନାର ଅଧିକାରୀଙ୍କୁ ପଚାରିବାରୁ ସେ ଠିକଠାକ ଉତ୍ତର ଦେଇନଥିଲେ। ସେ ବୁଝାଇବାକୁ ଚେଷ୍ଟା କରି ଷ୍ଟଲଗୁଡିକ ଟେଣ୍ଡର ହୋଇ ବେପାରୀଙ୍କୁ ଦିଆଯାଇସାରିଲାଣି ବୋଲି କହିଥିଲେ।

ଅନ୍ୟଦିଗରେ ପୌର ନିର୍ବାହୀ ଅଧିକାରୀ କେଉଁଠି ଭେଣ୍ଡିଂ ଜୋନ ରହିଛି ଜାଣିନଥିବା କହିଥିଲେ। ଶାସ୍ତ୍ରୀନଗରର ଭେଣ୍ଡିଂ ଜୋନ ଉଦଘାଟନ ପୂର୍ବରୁ ନଷ୍ଟ ହୋଇସାରିଲାଣି ବୋଲି ପଚାରିବାରୁ ସେ ଅନ୍ୟ ଅଧିକାରୀ ଏହା କେଉଁଠି ଅଛି ବୋଲି ପଚାରିବା ସହ ଦେଖୁଛି କଣ ହୋଇଛି ବୋଲି କହିଥିଲେ। ନିଜେ ପୌର ନିର୍ବାହୀ ଯନ୍ତ୍ରୀ ସହରର ମୁକ୍ତା ଯୋଜନାରେ କେଉଁ କେଉଁ ଉନ୍ନୟନ କାମ ହୋଇଛି ଜାଣିନଥିବା ହାସ୍ୟାସ୍ପଦ ବୋଲି କୁହାଯାଇଛି। ଲକ୍ଷାଧିକ ଟଂକାରେ ଏହୁ ଦୁଇଟି ଭେଣ୍ଡିଂ ଜୋନ ନିର୍ମାଣ ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁନଥିବା ବେଳେ ସହରର ରାସ୍ତା କଡରେ ବେପାରୀମାନେ ନିଜର ପସରା ଖୋଲି ରାସ୍ତାକୁ ଅବରୋଧ କରୁଥିବା ଦେଖିବାକୁ ମିଳିଛି।

ତେବେ ଭେଣ୍ଡିଂ ଜୋନର ଷ୍ଟଲଗୁଡିକ କେଉଁ କେଉଁ ଲୋକଙ୍କ ନାମରେ ପଞ୍ଜିକୃତ ହୋଇଛି ଏବଂ ସେମାନେ କାହିଁକି ସେଠାରେ ଦୋକାନ ଖୋଲୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଭେଣ୍ଡିଂ ଜୋନ ନିର୍ମାଣ କରାଗଲା ସତ କିନ୍ତୁ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ କୌଣସି ପଦକ୍ଷେପ ନିଆଗଲା ନାହିଁ। ବିଭାଗ ସବୁ ଜାଣି ଅଜଣା ପାଲଟିଛି। ଲକ୍ଷ ଲକ୍ଷ ଟଙ୍କା କିପରି ମୁକ୍ତା ଯୋଜନାରେ ଆତ୍ମସାତ କରାଯାଉଛି ତାହାର ଏହା ହେଉଛି ଜ୍ବଳନ୍ତ ଉଦାହରଣ। ମୁକ୍ତା ୟୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଯୋଜନା ମଧ୍ୟରୁ ଏହା ଗୋଟିଏ ବୋଲି କୁହାଯାଇଛି। ଅନ୍ୟ କାମଗୁଡିକ ଆହୁରି ତଦୁର୍ପ ବୋଲି ସାଧାରଣରେ ଆଲୋଚନା ହେଉଛି। ଧୀରେ ଧୀରେ ସବୁ ଗୁମର ପୌର ପରିଷଦର ଖୋଲିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।