ଭୁବନେଶ୍ୱର: ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ସଙ୍ଗରୋଧରେ ରହିଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ସବୁ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି।
୬ଟି ସ୍ଥାନୀୟ ସଂକ୍ରମଣ ରାଜଧାନୀର ବିଭିନ୍ନ ସ୍ଥାନରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ୟୁନିଟ-୪ ଅଞ୍ଚଳରୁ ୨ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା, ସାଲିଆସାହି, ଆଇଗିଣିଆ ଓ ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ତେବେ ସାଲିଆ ସାହି ବସ୍ତିରୁ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ସରକାରଙ୍କୁ ଚିନ୍ତାରେ ପକାଇଛି।
ସେହିପରି ଅନ୍ୟ ୭ଜଣ ମଧ୍ୟରୁ ଜଣେ ପାତ୍ରପଡ଼ାରୁ(ଦିଲ୍ଲୀ ଫେରନ୍ତା), ଦୁଇଜଣ ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ(ଦିଲ୍ଲୀ ଫେରନ୍ତା), ଜଣେ ଲକ୍ଷ୍ମୀସାଗରରୁ(ଦିଲ୍ଲୀ ଫେରନ୍ତା), ଜଣେ ଟଙ୍କପାଣି ରୋଡରୁ(ଝାଡ଼ଖଣ୍ଡ ଫେରନ୍ତା), ଜଣେ ଚିନ୍ତାମଣିଶ୍ୱରରୁ (ମହାରାଷ୍ଟ୍ର ଫେରନ୍ତା) ଓ ଆଉ ଜଣେ ଓଲଡ ଟାଉନ୍ରୁ (ପଶ୍ଚିମବଙ୍ଗ ଫେରନ୍ତା)ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚି ଯାଇଛି।
Update on newly detected #COVIDー19 cases in the last 24 hrs under Bhubaneswar Municipal Corporation on 5th Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/ghbFkn7Oxu— BMC (@bmcbbsr) June 5, 2020
ଏହି ନୂତନ ୧୩ ଜଣ ଆକ୍ରାନ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବେଳେ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି। ନିକଟସ୍ଥ ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହ ସମଗ୍ର ଅଞ୍ଚଳରେ ସର୍ଭିଲାନ୍ସ ଆରମ୍ଭ ହୋଇଛି ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୁହାଯାଇଛି।
ଗତକାଲି ଭୁବନେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡ଼ିଥିଲା। ଏହି ଆକ୍ରାନ୍ତ ଜଣକ ହୋମ କ୍ୱାରେଣ୍ଟିନରେ ଥିଲେ ଏବଂ ସେ ପୂର୍ବରୁ କଳିଙ୍ଗ ବିହାରରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା।

ସେହିପରି ଅନ୍ୟ ୩ଜଣ ସଂକ୍ରମିତ ସ୍ଥାନୀୟ ମାମଲା ରହିଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଥିଲେ। ୩ଜଣ ସଂକ୍ରମିତ ମଧ୍ୟରୁ ଜଣେ ଏମସ୍ର କର୍ମଚାରୀ ଥିବା ବେଳେ ଅନ୍ୟ ଦୁଇଜଣ ଆଇଗିଣିଆ ଓ ଡୁମୁଡ଼ୁମାର ରହିଛନ୍ତି। ଏମସର ଏହି କର୍ମଚାରୀ ଜଣେ ନର୍ସ ଅଛନ୍ତି।