ଏମୟୁଜେ ତରଫରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

ମାଲକାନଗିରି: ସ୍ଥାନୀୟ ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ (ଏମୟୁଜେ)କାର୍ଯ୍ୟାଳୟରେ ସଂଘର ସଭାପତି ଦେବ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ନରସିଂହ ମାଡକାମିଙ୍କୁ ଏମୟୁଜେର ସାମ୍ବାଦିକ ଏବଂ କର୍ମକର୍ତ୍ତାମାନେ ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଯଥା ସାମ୍ବାଦିକ ପେନସନ, ସ୍ବାସ୍ଥ୍ୟ ବୀମା ଏବଂ ସାମ୍ବାଦିକମାନଙ୍କୁ କର୍ମକ୍ଷେତ୍ରରେ ସୁରକ୍ଷା ଯୋଗାଇ ଦେବା ଇତ୍ୟାଦି ବିଷୟରେ ବିଧାୟକ ଶ୍ରୀ ମାଡ଼କାମି ବିଧାନସଭାରେ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଥିଲେ। ଏହାସହ ସେ ମାଲକାନଗିରି ଜିଲ୍ଲାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଯେପରି ସ୍ବାସ୍ଥ୍ୟ ସେବାରେ ଉନ୍ନତି, ଶିକ୍ଷା ବ୍ୟବସ୍ଥା, ବିଭିନ୍ନ ଜଳସେଚନ ପ୍ରକଳ୍ପ, ରାସ୍ତାଘାଟର ଉନ୍ନତି ତଥା ଗମନାଗମନର ସୁବିଧା, ରେଳପଥ ସଂଯୋଗ, ବିମାନ ଚଳାଚଳ, ମାଲକାନଗିରି ସହର ଉପକଣ୍ଠରେ ବାଇପାସ୍ ରାସ୍ତା ନିର୍ମାଣ ଏବଂ ଚାଷୀ ଭାଇମାନଙ୍କର ଉନ୍ନତି ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ।

ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝhଙ୍କ କହିବା ଅନୁଯାୟୀ ଏହି ସରକାର ହେଉଛି ଜନସାଧାରଣଙ୍କ ସରକାର। ତେଣୁ ଜନସାଧାରଣଙ୍କ ଉନ୍ନତି ହିଁ ଏହି ସରକାରଙ୍କ ଏକମାତ୍ର ଲକ୍ଷ୍ୟ। ପରିଶେଷରେ ଏହି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାୟକ ଶ୍ରୀ ମାଡକାମୀ ଜିଲ୍ଲାର ସମସ୍ତ ସାମ୍ବାଦିକ ତଥା ଜନସାଧାରଣଙ୍କ ସାହାଯ୍ୟ ସହଯୋଗ କାମନା କରିଥିଲେ। ଏହି ସଭାରେ ବିଜେପିର ବିଭିନ୍ନ କର୍ମକର୍ତ୍ତା ମଧ୍ୟରୁ ନୀହାର ରାୟ, ସଞ୍ଜୟ ସରକାର, ମାନିକଲାଲ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ଶିଶିର ହାଲଦାର, ବିଜୟ ମହାରାଣା ଏବଂ ରତନ ବଣିକଙ୍କ ସହିତ ଏମ୍‌ୟୁଜେର କର୍ମକର୍ତ୍ତା ଏବଂ ବିଭିନ୍ନ ସାମ୍ବାଦିକ ମଧ୍ୟରୁ ସତ୍ୟନାରାୟଣ ପଣ୍ଡା, ଶିବ ପ୍ରସାଦ କୀର୍ତ୍ତନିୟା, କାମରାଜ ଜେନା, ଅସିମ ବିଶ୍ଵାସ,ଏ, ଈଶ୍ୱର ରାଓ, ଶଙ୍କର ପାଲ, ବିକ୍ରମ କେଶରୀ ପାଢ଼ୀ, କୃଷ୍ଣ ରାୟ, ଚକ୍ରଧର ପଟ୍ଟନାୟକ, ଗୋବିନ୍ଦ ମଣ୍ଡଲ, ଦିବାକର ଭଗବାନ, କବିରାଜ ଏବଂ ସନ୍ତୋଷ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର