ଏଥର ୫୦ ଭାଗ ବିଧାୟକ ନୂଆ, ନବନିର୍ବାଚିତଙ୍କୁ ବିଧାନସଭା କାର୍ଯ୍ୟପଦ୍ଧତି ସଂପର୍କରେ ତାଲିମ ଦିଆଯିବ : ବାଚସ୍ପତି

ଭୁବନେଶ୍ୱର(ସୁବ୍ରତ ଦାସ): ରାଜ୍ୟର ନବ ନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭାର ଆଇନ୍‌ କାନୁନ୍‌ ଓ କାର୍ଯ୍ୟପଦ୍ଧତି ସଂପର୍କରେ ଅବଗତ କରାଇବା ଲାଗି  ଏକ ତାଲିମ୍‌ କାର୍ଯ୍ୟକ୍ରମର ଆୟୋଜନ ଖୁବ୍‌ ଶୀଘ୍ର କରାଯିବ ବୋଲି ରାଜ୍ୟ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

‘ସମ୍ବାଦ ଡଟ୍‌ ଇନ୍‌’ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ବାଚସ୍ପତି ଶ୍ରୀ ପାତ୍ର କହିଲେ ଯେ, ଯେଉଁମାନେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି,ସେମାନଙ୍କୁ ରାଜ୍ୟ ବିଧାନସଭାର ଆଇନ୍‌ କାନୁନ୍‌ ଏବଂ କାର୍ଯ୍ୟ ପଦ୍ଧତି ସଂପର୍କରେ ଜଣା ନାହିଁ। ଉଦାହରଣ ସ୍ୱରୂପ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କିପରି ଭାଗ ନେବେ, ମୂଳ ପ୍ରଶ୍ନ କେମିତି ପଚରାଯିବ ଏବଂ ଅତିରିକ୍ତ ପ୍ରଶ୍ନ କିପରି ପଚାରଯିବ, ଧ୍ୟାନ ଆକର୍ଷଣକାରୀ ନୋଟିସ ଏବଂ ମୁଲତବୀ ପ୍ରସ୍ତାବ ନୋଟିସ କେମିତି ଦିଆଯିବ ଏସବୁ ସଂପର୍କରେ ଅବଗତ ହେବା ଆବଶ୍ୟକ। ବିଲ୍‌ ପାସ୍‌ ହେବା ବେଳେ ଭାଗ ନେବାକୁ ହେଲେ କ’ଣ କରାଯିବ ସେସବୁ ଜାଣିବା ଦରକାର।

ରାଜ୍ୟ ବିଧାନସଭାକୁ ଲଗାତର ସାତଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏବଂ ଉଭୟ ପ୍ରଶାସନିକ ଓ ବୈଧାନିକ କାର୍ଯ୍ୟରେ ଦୀର୍ଘ ଅଭିଜ୍ଞତା ଥିବା ଶ୍ରୀ ପାତ୍ର ଏଥର ବାଚସ୍ପତି ଭାବେ ପ୍ରଥମ ଥର ପାଇଁ ବିଧାନସଭା ପରିଚାଳନା କରିବେ। ଏହା ଏକ ଦୁରୂହ କାର୍ଯ୍ୟ। କାରଣ ଏଥର ବିଧାନସଭାକୁ ପ୍ରାୟ ୭୦ ରୁ ୮୦ ଜଣ ବିଧାୟକ ଓ ବିଧାୟିକା ପ୍ରଥମଥର ପାଇଁ ନିର୍ବାଚିତ ହୋଇ ଆସିଛନ୍ତି।

ବାଚସ୍ପତି କହିଲେ ଯେ, ରାଜ୍ୟ ବିଧାନସଭା ପକ୍ଷରୁ ନୂଆ ବିଧାୟକ ଓ ବିଧାୟିକାଙ୍କ ପାଇଁ ଏକ ଅଧଓଳିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଖୁବ୍‌ ଶୀଘ୍ର କରାଯିବ। ରାଜ୍ୟର ବିଧାୟକମାନଙ୍କ ପାଇଁ ଏକ ତିନିଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଲୋକସଭା ସଚିବାଳୟକୁ ମଧ୍ୟ ଅନୁରୋଧ କରାଯାଇଛି।

ଆସନ୍ତାକାଲି ନବଗଠିତ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ କିପରି ଶୃଙ୍ଖଳିତ ଭାବେ ଚାଲିବ, ସେ ସଂପର୍କରେ ଆଲୋଚନା ଲାଗି ବାଚସ୍ପତି ସବୁ ଦଳର ବରିଷ୍ଠ ନେତାମାନଙ୍କର ଏକ ବୈଠକ ଡାକିଥିଲେ। ଅଧିବେଶନ ସମୟରେ ହୋହଲ୍ଲାରେ ସମୟ ବ୍ୟୟ ନ କରି କିପରି ଶୃଙ୍ଖଳିତ ଭାବେ ବିଧାନସଭା ଚାଲିବ ଏବଂ ଜନସାଧାରଣଙ୍କର ସମସ୍ୟା ସଂପର୍କରେ ଆଲୋଚନା ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହାଦ୍ୱାରା ଲୋକମାନେ ଶୃଙ୍ଖଳା ଶିଖିବେ ବୋଲି ସେ କହିଛନ୍ତି।

ବୈଠକରେ ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର,ଭାରତୀୟ ଜନତା ପାର୍ଟି ପକ୍ଷରୁ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ପ୍ରଦୀପ୍ତ କୁମାର ନାୟକ, ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଆଗାମୀ ଅଧିବେଶନରେ ବାତ୍ୟା ‘ଫନି’ ଓ ତା’ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକ୍ରମ,ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ କୃଷି ଓ କୃଷକମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରାଯିବ ବୋଲି ଭାରତୀୟ ଜନତା ପାର୍ଟି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି।

ପ୍ରତ୍ୟେକ ଦିନ କିପରି ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିବ ସେଥିପାଇଁ ବିରୋଧୀ ଦଳ ପକ୍ଷରୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବାଚସ୍ପତି ଶ୍ରୀ ପାତ୍ର ଏଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ତା’ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇ ଆଲୋଚନା କରାଯିବ। ତା’ପରେ ଆସନ୍ତା ୨୮ ତାରିଖ ଦିନ ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ।

କେତେକ ବଛାବଛା ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇ ଗୃହୀତ ହେବା ପରେ ବ୍ୟୟ ମଂଜୁରୀ ବିଲ୍‌ ଉପରେ ଗୃହର ଅନୁମୋଦନ ଦିଆଯିବ। ଏହା ନବଗଠିତ ବିଧାନସଭାର ପ୍ରଥମ ଅଧିବେଶନ ହୋଇଥିବାରୁ ପ୍ରଥମ ଥର ପାଇଁ ନିଯୁକ୍ତ ମନ୍ତ୍ରୀ ବିଧାନସଭାକୁ ସମ୍ମୁଖୀନ କରିବା ପ୍ରଥମ ଅନୁଭୂତି ହେବ।

ସମ୍ବନ୍ଧିତ ଖବର