ଦାୟିତ୍ୱ ଗ୍ରହଣ କଲେ ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ

ରାଜ୍ୟ, କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷି‌ଲେ କଂଗ୍ରେସ ନେତା

ଭୁବନେଶ୍ବର : ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର ଦିନ ବିଧିବଦ୍ଧଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟି ଭୁବନେଶ୍ବର ଫେରିବା ପରେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି।

ଶ୍ରୀ ପଟ୍ଟନାୟକଙ୍କୁ ପାଛୋଟି ଆଣିବା ଲାଗି ବିମାନ ବନ୍ଦରରୁ କଂଗ୍ରେସ ଭବନ ଯାଏ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା। କଂଗ୍ରେସ ଭବନରେ ମଧ୍ୟ ସମାବେଶର ଆୟୋଜନ ହୋଇଥିଲା। କର୍ମୀମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ସମାବେଶରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ସମେତ ଜିଲ୍ଲାସ୍ତରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଗତ ୨୨ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର ବିରୋଧରେ କଂଗ୍ରେସ ନେତୃବୃନ୍ଦ ବର୍ଷିଥିଲେ। ଆସନ୍ତା ୨୦୨୪ରେ କିଭଳି କଂଗ୍ରେସ ଓଡ଼ିଶାରେ ବିଜେଡି ସରକାରକୁ ଗାଦିଚ୍ୟୁତ କରି ଶାସନକୁ ଫେରିବ ତାହାର ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ଉପରେ ଜୋର ଦିଆଯାଇଛି।

ଦାୟିତ୍ବ ଗ୍ରହଣ କରିବା ପରେ ଶରତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କହିଥିଲେ ଯେ ଗତ ୨୨ବର୍ଷ ଧରି ବିଜେଡି ସରକାର ଶାସନରେ ରହିଛି। ବିଜେଡି ସହ ୯ବର୍ଷ ପାଇଁ ବିଜେଡି ମେଣ୍ଟ ସରକାର ରହିଥିଲା। ଏତେ ବର୍ଷ ଶାସନରେ ଥିଲେ ବି ଓଡ଼ିଶାର ଉନ୍ନତି ହୋଇନାହିଁ। ଓଡ଼ିଶାର ଲକ୍ଷ ଲକ୍ଷ ଯୁବକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। କଳ କାରଖାନା ବସିଲା ନାହିଁ କି ଜଳସେଚନର ସୁବିଧା ହେଲାନାହିଁ। ପ୍ରତିବର୍ଷ ୨ଲକ୍ଷ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦେବା ଲାଗି ରାଜ୍ୟ ସରକାର ଘୋଷଣା କରିଥିଲେ। ୨୨ବର୍ଷରେ ୪୪ଲକ୍ଷ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦେବା ସମ୍ଭବ ହେଲାନାହିଁ। ତେଣୁ ଅମଲାତାନ୍ତ୍ରିକ, ଅତ୍ୟାଚାରୀ ବିଜେଡି ସରକାରକୁ କିଭଳି ୨୦୨୪ରେ ବିଦା କରିବା ଲାଗି ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯିବ।

 

ରାଜ୍ୟରେ କଂଗ୍ରେସ ସଂଗଠନକୁ ମଜଭୁତ କରାଯିବ। ଏବେ କଂଗ୍ରେସର ୯ ବିଧାୟକ ‌ଥିବା ବେଳେ ଆଗକୁ କିଭଳି କଂଗ୍ରେସର ୯୦ଜଣ ବିଧାୟକ ହେବେ ତାହାକୁ ଗୁରୁତ୍ବ ଦିଆଯିବ। ରାଜ୍ୟର ଯେଉଁ ସ୍ଥାନରେ ଜିଲ୍ଲା/ବ୍ଲକ୍ ସଭାପତି ନାହାନ୍ତି ଖୁବଶୀଘ୍ର ଏହାର ଘୋଷଣା କରାଯିବ। ଓଡ଼ିଶା ପ୍ରଭାରୀ ଓ ଅନ୍ୟମାନଙ୍କ ସହିତ ଆଲୋଚନା ପରେ ପଦକ୍ଷେପ ନିଆଯିବ। ଏଥିରେ ଯୁବକମାନଙ୍କୁ ପ୍ରାଥମିକତା ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସମୟରେ ପରିବର୍ତନ ହୋଇଛି। ତ୍ୟାଗର ସମୟ ଚାଲି ଯାଇଛି। କେବଳ ଭୋଗ ପାଇଁ ରାଜନୀତି କଲେ ହେବନାହିଁ। ଯେ ପର୍ଯ୍ୟନ୍ତ ଉଭୟ ତ୍ୟାଗ ଓ ଭୋଗର ମିଶ୍ରଣ ନ ହେବ କଂଗ୍ରେସ ସଫଳ ହୋଇପାରିବ ନାହିଁ। ବିଧାୟକ ତାରା ବାହିନୀପତି ସଭା ମଞ୍ଚରୁ ନବୀନ ହଟାଅ ନାରା ଦେଇଥିଲେ। ସମସ୍ତଙ୍କୁ ଏକାଠି ନେଇ ଚାଲିବାକୁ ହେବ। ସବ୍‌କା ସାଥ, ଓଡ଼ିଶା କା ବିକାଶ ବୋଲି ତାରା କହିଥିଲେ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ସଂଗତି, ସଂଗଠନ ଓ ଆନ୍ଦୋଳନ କଂଗ୍ରେସକୁ ଆଗକୁ ବଢ଼ାଇବ। ବିଧାୟକ ଦଳ ଭିତରେ ସଂଗତି ଆସିବା ସହିତ ସଂଗଠନ ମଜଭୁତ ହେଉ। ଆନ୍ଦୋଳନ ଜରିଆରେ କଂଗ୍ରେସ ନିଶ୍ଚୟ ସଫଳ ହେବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ଦାଶରଥୀ ଗମାଙ୍ଗ, ସି. ରାଜନ ଏକ୍କା, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ, ଜୟଦେବ ଜେନା, ବନ୍ଦିତା ପରିଡ଼ା, ସସ୍ମିତା ବେହେରା, ଜଗନ୍ନାଥ ପଟ୍ଟନାୟକ, ସ୍ମୃତି ଲେଙ୍କା, ୟାସିର ନୱାଜ, ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ ମହାପାତ୍ର, ଯଜ୍ଞେଶ୍ବର ବାବୁ, ଅନନ୍ତ ପ୍ରସାଦ ସେଠୀ, ରମାକାନ୍ତ ମିଶ୍ର, ଚିନ୍ତାମଣି ସାମନ୍ତରାୟ, ଶିବାନନ୍ଦ ରାୟ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଆସିଲେନି ୩ ବିଧାୟକ
ପିସିସି ସଭାପତିଙ୍କ ଦାୟିତ୍ବ ଗ୍ରହଣ ସମାରୋହରେ ଆଜି କଂଗ୍ରେସର ୩ ବିଧାୟକଙ୍କୁ ଦେଖିବାକୁ ମିଳିନାହିଁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ରମେଶ ଜେନା ଓ ମହମ୍ମଦ ମୋକିମ୍ ଅନୁପସ୍ଥିତ ଥିଲେ। ପୂର୍ବରୁ ଚଳିତମାସ ପହିଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନବସଂକଳ୍ପ ଶିବିରରେ ରମେଶ, ମୋକିମ୍ ଓ ତାରାଙ୍କୁ ଦେଖିବାକୁ ମିଳି ନ ଥିଲା। ହେଲେ ଆଜି ତାରା ଉପସ୍ଥିତ ରହିବା ସହିତ ଶିବିରରେ ଅନୁପସ୍ଥିତ ରହିବା କାରଣ ସ୍ପଷ୍ଟ କରିଥିଲେ। ତେବେ ୩ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆଜିର ଦିନରେ ଏଭଳି ନକରାତ୍ମକ ବିଷୟ ଉପରେ ଆଲୋଚନା କରିବା ଉଚିତ୍ ନୁହେଁ। ହୁଏତ କାହାର ଦେହ ଅସୁସ୍ଥ ଥିବ ସେ କାରଣରୁ ଆସିପାରି ନ ଥିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର